କଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ବିପର୍ଯ୍ୟୟ ଆସିବାକୁ ଯାଉଛି। ମମତାଙ୍କ ନେତୃତ୍ୱ ଏବେ ବିପଦରେ। ଭୁଶୁଡ଼ିବାକୁ ଯାଉଛି ଟିଏମ୍ସି ଦଳ। ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ତୃଣମୂଳ କଂଗ୍ରେସ (TMC)ରେ ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଛି। ଦଳର ପ୍ରାୟ ୧୨ ଜଣ ସାଂସଦ ବିଜେପିର ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଯଦିଓ ଏହି ଖବର ବର୍ତ୍ତମାନ କେବଳ ଚର୍ଚ୍ଚାରେ ରହିଛି, ତେବେ ଏହା ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ପାଇଁ ବଡ଼ ସତର୍କ ଘଣ୍ଟି।

ନିର୍ବାଚନ ପରାଜୟ ପରେ ଦଳରେ ବିଦ୍ରୋହ

ରିପୋର୍ଟ ଅନୁଯାୟୀ, ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ଶୀର୍ଷ ନେତୃତ୍ୱଙ୍କୁ ଦାୟୀ କରାଯାଉଛି। ପୂର୍ବତନ ମନ୍ତ୍ରୀ ମନୋଜ ତିୱାରୀଙ୍କ 'ଟିକେଟ ପାଇଁ ଟଙ୍କା' ଅଭିଯୋଗ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାଙ୍କ ଅସନ୍ତୋଷ ଦଳର ଆଭ୍ୟନ୍ତରୀଣ ଫାଟକୁ ପଦାରେ ପକାଇଛି। ଏହି ସମୟରେ ୧୨ ଜଣ ସାଂସଦ ଦଳ ଛାଡ଼ି ବିଜେପି କ୍ୟାମ୍ପକୁ ଯିବା ନେଇ ଚର୍ଚ୍ଚା ହେବା ଫଳରେ ଦଳ ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଲୋକସଭାର ୨୯ ଜଣ ତୃଣମୂଳ ସାଂସଦଙ୍କ ମଧ୍ୟରୁ ପ୍ରାୟ ୧୨ ଜଣ ବିଜେପିରେ ଯୋଗଦେବା କିମ୍ବା ସମର୍ଥନ କରିବା ପାଇଁ ଯୋଜନା କରିସାରିଛନ୍ତି। ଅନ୍ୟ ପାଞ୍ଚ କିମ୍ବା ଛଅ ଜଣ ସାଂସଦଙ୍କ ସହିତ ମଧ୍ୟ ଆଲୋଚନା ଚାଲିଛି।

ଜାଗରଣ ଅନୁଯାୟୀ, ଦଳ ପରିବର୍ତ୍ତନ ବିରୋଧୀ ଆଇନକୁ(ଆଣ୍ଟି ଡିଫେକ୍ସନ ଲ)ରେ ଆକ୍ସନକୁ ଏଡ଼ାଇବା ପାଇଁ ଅତି କମରେ ୧୯-୨୦(ଏକ ତୃତୀୟାଂଶ) ସାଂସଦଙ୍କୁ ଏକାଠି କରିବା ପାଇଁ ଏକ ରଣନୀତି ଚାଲିଛି। ଏଥିରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ନିକଟତର ସାଂସଦ ଅଛନ୍ତି ବୋଲି କୁହାଯାଉଛି।

Also read- Bangladeshi's Crowd Bengal Border: ପଶ୍ଚିମବଙ୍ଗରେ ଅନୁପ୍ରବେଶ ବିରୋଧୀ ଅଭିଯାନ, ବାଂଲାଦେଶ ଫେରିଯିବାକୁ ସୀମାରେ ଜମିଲା ଭିଡ଼

କାଳୀଘାଟ ବୈଠକରୁ ନେତା ଗାୟବ

ନିକଟରେ ମମତା ବାନାର୍ଜୀଙ୍କ ବାସଭବନ 'କାଳୀଘାଟ'ରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଦଳର ଅନେକ ପ୍ରମୁଖ ବିଧାୟକ ଓ ସାଂସଦ ଅନୁପସ୍ଥିତ ରହିଥିଲେ। ଏହି ଅନୁପସ୍ଥିତି ଦଳରେ ବଢ଼ୁଥିବା ଅସନ୍ତୋଷକୁ ସ୍ପଷ୍ଟ କରିଥିଲା। ବିଶେଷ କରି କଲ୍ୟାଣ ବାନାର୍ଜୀଙ୍କୁ ପୁନର୍ବାର ଲୋକସଭାର ମୁଖ୍ୟ ସଚେତକ (Chief Whip) କରାଯିବା ନେଇ ଦଳର କେତେକ ମହିଳା ସାଂସଦ ମଧ୍ୟ କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି।

ବ୍ୟାକଫୁଟରେ ମମତା ଓ ଅଭିଷେକ

ପଶ୍ଚିମବଙ୍ଗର ଏହି ରାଜନୈତିକ ସଙ୍କଟକୁ ରୋକିବା ପାଇଁ ମମତା ବାନାର୍ଜୀ ନିଜର ରଣନୀତି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବୈଠକରେ ସେ ବିଜେପି ଉପରେ ପ୍ରତିଆକ୍ରମଣ କରିବାକୁ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି, କିନ୍ତୁ ନିଜ ଘର ସଜାଡ଼ିବା ଏବେ ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯଦି ଏହି ୧୨ ସାଂସଦ ବିଜେପି ଆଡ଼କୁ ଢଳନ୍ତି, ତେବେ ଜାତୀୟ ରାଜନୀତିରେ ମଧ୍ୟ ଟିଏମସି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ। ବର୍ତ୍ତମାନ ସୁଭେନ୍ଦୁ ଅଧିକାରୀ ଓ ବିଜେପି ଶିବିର ଏହି ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆଗାମୀ ଦିନରେ ବେଙ୍ଗଲ ରାଜନୀତିରେ ଏକ ବଡ଼ ଓଲଟପାଲଟ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ମମତାଙ୍କ ଗଡ଼ରେ ମହାସଙ୍କଟ: ନିର୍ବାଚନ ହାରିବା ପରେ ଟିଏମସିରେ ବଡ଼ ବିପର୍ଯ୍ୟୟ, ୧୦୦ରୁ ଅଧିକ କାଉନସିଲରଙ୍କ ଇସ୍ତଫା

ଏପଟେ ଦଳ ତୃଣମୂଳ ସ୍ତରରୁ ଦୁର୍ବଳ ହେବାର ଲାଗିଛି। ରାଜ୍ୟର ବିଭିନ୍ନ ପୌରପାଳିକା (Municipalities) ରୁ ପ୍ରାୟ ୧୦୦ରୁ ଅଧିକ ଟିଏମସି କାଉନସିଲର ଏକାସଙ୍ଗେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ଗଣ-ଇସ୍ତଫା ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ ସୃଷ୍ଟି କରିବା ସହ ମମତା ବାନାର୍ଜୀଙ୍କ ଦଳ ପାଇଁ ଏକ  ଶକ୍ତ ଝଟ୍‌କା ବୋଲି କୁହାଯାଉଛି।

କେଉଁଠି କେତେ କାଉନସିଲର ଛାଡ଼ିଲେ ଦଳ?

ରିପୋର୍ଟ ଅନୁଯାୟୀ, ସବୁଠାରୁ ବଡ଼ ଝଟକା ଭାଟପଡ଼ା ପୌରପାଳିକାରୁ ଲାଗିଛି, ଯେଉଁଠାରେ ଅଧ୍ୟକ୍ଷା ରେବା ରାହାଙ୍କ ସମେତ ୩୫ ଜଣଙ୍କ ମଧ୍ୟରୁ ୩୦ ଜଣ କାଉନସିଲର ଇସ୍ତଫା ଦେଇଛନ୍ତି। ସେହିପରି-

  • ହାଲିସହର ପୌରପାଳିକା:୨୩ ଜଣଙ୍କ ମଧ୍ୟରୁ ୧ ଜଣ କାଉନସିଲର ପଦ ଛାଡ଼ିଛନ୍ତି।

  • କାଞ୍ଚରାପଡ଼ା ପୌରପାଳିକା:୧୪ ଜଣ କାଉନସିଲରଙ୍କ ଇସ୍ତଫା।

  • ଗାରୁଲିଆ ଓ ଉତ୍ତର ବାରାକପୁର:ଯଥାକ୍ରମେ ୧୮ ଏବଂ ୧୫ ଜଣ କାଉନସିଲର ଦଳରୁ ଓହରି ଯାଇଛନ୍ତି।

  • କାନ୍ଥି (Contai) ପୌରପାଳିକା:୧୪ ଜଣ କାଉନସିଲର ଇସ୍ତଫା ଦେଇଛନ୍ତି।

ଭୁଷୁଡ଼ିଲା ଅଭିଷେକ ବାନାର୍ଜୀଙ୍କ 'ଡାଇମଣ୍ଡ ହାର୍ବର ମଡେଲ'

ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା 'ଡାଇମଣ୍ଡ ହାର୍ବର' ପୌରପାଳିକାରୁ ମଧ୍ୟ ୮ ଜଣ କାଉନସିଲର ଇସ୍ତଫା ଦେଇଛନ୍ତି। ନିକଟରେ ଅନୁଷ୍ଠିତ ଫାଲତା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ୭୧ ପ୍ରତିଶତରୁ ଅଧିକ ଭୋଟ ପାଇ ବିପୁଳ ବିଜୟ ହାସଲ କରିଥିବା ବେଳେ ଟିଏମସି ଚତୁର୍ଥ ସ୍ଥାନକୁ ଖସିଯାଇ ଅମାନତ ହରାଇଥିଲା। ଏହି ପରାଜୟ ପରେ ଅଭିଷେକଙ୍କ ଲୋକପ୍ରିୟ 'ଡାଇମଣ୍ଡ ହାର୍ବର ମଡେଲ'ର ବେଲୁନ ଫାଟିଯାଇଛି ବୋଲି ବିଦ୍ରୋହୀ କାଉନସିଲରମାନେ ଅଭିଯୋଗ କରିଛନ୍ତି।

ଇସ୍ତଫା ପଛର ଅସଲ କାରଣ କଣ?

କାଉନସିଲରମାନେ ବାହାରକୁ ବ୍ୟକ୍ତିଗତ କାରଣ ଦର୍ଶାଉଥିଲେ ମଧ୍ୟ, ଅସଲ କାରଣ ହେଉଛି ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ମାମଲାର ଭୟ। ଗତ କିଛି ଦିନ ମଧ୍ୟରେ ବିଧାନନଗର ଏବଂ କୁଚବେହାରର କେତେକ ପ୍ରଭାବଶାଳୀ ଟିଏମସି କାଉନସିଲର ଚାନ୍ଦା ଆଦାୟ ଓ ମାଫିଆଗିରି ଅଭିଯୋଗରେ ଗିରଫ ହୋଇଛନ୍ତି। ସରକାର ବଦଳିବା ପରେ ପୂର୍ବରୁ ମିଳୁଥିବା ରାଜନୈତିକ ସୁରକ୍ଷା ହଟିଯାଇଥିବାରୁ ଅନେକ ନେତା ଏବେ ନିଜକୁ ବଞ୍ଚାଇବା ପାଇଁ ପଦବୀ ଛାଡ଼ୁଥିବା ଚର୍ଚ୍ଚା ହେଉଛି। କୋଲକାତା ମ୍ୟୁନିସିପାଲ କର୍ପୋରେସନ (KMC) ଭିତରେ ମଧ୍ୟ ଅଭିଷେକ ବାନାର୍ଜୀଙ୍କ ସମ୍ପତ୍ତିକୁ ନୋଟିସ ଜାରି ହେବା ପରେ ଉତ୍ତେଜନା ଦେଖାଦେଇଛି।

ବିଜେପିର ରଣନୀତି ଓ ମମତାଙ୍କ ଚେତାବନୀ

ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ବିଜେପି ଏକ ଦ୍ୱିମୁଖୀ ରଣନୀତି ଆପଣାଇଛି। ଗୋଟିଏ ପଟେ ଦୁର୍ନୀତି ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଅନ୍ୟପଟେ ଟିଏମସିର ସାଂଗଠନିକ ମେରୁଦଣ୍ଡ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ଏହି ମହାସଙ୍କଟକୁ ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜରୁରୀକାଳୀନ ବୈଠକ ଡାକି ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, "ଦଳ ଜିତିଲେ ସାଥୀରେ ରହିବା ଏବଂ ହାରିଗଲେ ଦଳ ଛାଡ଼ି ପଳାଇବା ଭଳି କର୍ମୀ ଆମର ଦରକାର ନାହିଁ।" ତେବେ ବେଙ୍ଗଲ ରାଜନୀତିରେ ଆଗକୁ ଏହି ସଙ୍କଟ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।