କୋଲକାତା: ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି (BJP) ସରକାରଙ୍କ ପ୍ରଥମ ବଜେଟ୍ ବିଧାନସଭାରେ ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ଉପସ୍ଥାପିନ କରିଛନ୍ତି । ଏହି ବଜେଟ୍ରେ ମହିଳା, ବେରୋଜଗାର ଯୁବବିଢ଼ି, ସରକାରୀ କର୍ମଚାରୀ ଏବଂ ଭିତ୍ତିଭୂମି ବିକାଶ ପାଇଁ ଅନେକ ବଡ଼ ଘୋଷଣା କରାଯାଇଛି। ରାଜ୍ୟର ବେକାରୀ ସମସ୍ୟାର ସମାଧାନ ଏବଂ ଯୁବପିଢ଼ିଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାର 'ଭରସା ଯୋଜନା' ଆରମ୍ଭ କରିଛନ୍ତି।

୨୧ ରୁ ୪୫ ବର୍ଷ ବୟସର ସ୍ନାତକ ଡିଗ୍ରି ରଖିଥିବା ବେରୋଜଗାର ଲୋକଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ଦେବେ ସରକାର । ଚାକିରି ପାଇନଥିବା ଅଣ-ସ୍ନାତକ ଯୁବକଯୁବତୀଙ୍କୁ ମାସିକ ୨,୦୦୦ ଟଙ୍କାର ସହାୟତା ଦିଆଯିବ। ଏହି ସହାୟତା ସେହିମାନଙ୍କୁ ମିଳିବ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ୍ ଏବଂ ସେମାନେ ଅନ୍ୟ କୌଣସି ସରକାରୀ ଯୋଜନାର ସୁବିଧା ନେଉନଥିବେ।

ମହିଳାମାନଙ୍କର ସୁରକ୍ଷା ଓ ଆର୍ଥିକ ସ୍ୱାଧୀନତାକୁ ବଜେଟ୍ରେ ବିଶେଷ ପ୍ରାଥମିକତା ଦିଆଯାଇଛି । ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପୂର୍ବରୁ ଥିବା ଯୋଜନା ବଦଳରେ ନୂଆ ଯୋଜନା ଅଣାଯାଇଛି, ଯେଉଁଥିପାଇଁ ୩୬,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଅଧୀନରେ ଯୋଗ୍ୟ ମହିଳାମାନଙ୍କୁ ମାସିକ ୩,୦୦୦ ଟଙ୍କା ମିଳିବ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବସଗୁଡ଼ିକରେ ମହିଳାମାନଙ୍କ ମାଗଣା ଯାତ୍ରା ପାଇଁ ୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅବିବାହିତ ମହିଳା ଛାତ୍ରୀମାନେ ଯେପରି ଅଧାରୁ ପାଠ ନଛାଡ଼ନ୍ତି ଏବଂ ଉଚ୍ଚଶିକ୍ଷା ହାସଲ କରିପାରିବେ, ସେଥିପାଇଁ ସେମାନଙ୍କୁ ଏକକାଳୀନ ୫୦,୦୦୦ ଟଙ୍କାର ଅନୁଦାନ ଦିଆଯିବ।

ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୧ ଲକ୍ଷ ସରକାରୀ ପଦବୀ ପୂରଣ କରିବାକୁ ଘୋଷଣା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ୫୦,୦୦୦ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀ ପୂରଣ ହେବ। ପୋଲିସ ବିଭାଗରେ ୨୦,୦୦୦ ଖାଲି ପଦବୀରେ ନିଯୁକ୍ତି ଦିଆଯିବ। ସମଗ୍ର ନିଯୁକ୍ତି ପ୍ରକ୍ରିୟାରେ ୩୩ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ। ସିଭିକ୍ ଭଲଣ୍ଟିୟର, ଗ୍ରୀନ୍ ପୋଲିସ ଏବଂ ଭିଲେଜ୍ ପୋଲିସଙ୍କ ମାସିକ ଦରମା ଅଗଷ୍ଟ ୨୦ ରୁ ୨,୦୦୦ ଟଙ୍କା ବୃଦ୍ଧି କରାଯିବ।

ଶିକ୍ଷା ଏବଂ ଭିତ୍ତିଭୂମିର ବିକାଶ

କେନ୍ଦ୍ର ସରକାରଙ୍କ ସହାୟତାରେ ଉତ୍ତର ବେଙ୍ଗଲରେ ରାଜ୍ୟର ପ୍ରଥମ IIT ଏବଂ IIM ପ୍ରତିଷ୍ଠା କରାଯିବ। ଦୁର୍ଗାପୁର, ଆସାନସୋଲ, ସିଲିଗୁଡ଼ି ଏବଂ ଜଲପାଇଗୁଡ଼ି ଭଳି ସହରରେ ମେଟ୍ରୋ ଚଳାଚଳ ପାଇଁ ବୈଷୟିକ ଏବଂ ଆର୍ଥିକ ସର୍ଭେ ଆରମ୍ଭ କରାଯାଇଛି। ରାଜ୍ୟରେ ବିମାନ ଯାତ୍ରାକୁ ପ୍ରୋତ୍ସାହନ ଦେବା ପାଇଁ ୪ଟି ନୂଆ ବିମାନବନ୍ଦର ନିର୍ମାଣ ନେଇ ଘୋଷଣା କରାଯାଇଛି । କୋଲକାତା ବିମାନବନ୍ଦରରେ ଯାତ୍ରୀମାନଙ୍କ ଭିଡ଼ କମାଇବା ପାଇଁ କଲ୍ୟାଣୀରେ ୧,୦୦୦ ରୁ ୧,୫୦୦ ଏକର ଜମି ଚିହ୍ନଟ କରି ଏକ ନୂଆ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ କରାଯିବ। କେନ୍ଦ୍ର ସରକାରଙ୍କ 'ଉଡ଼ାନ' ଯୋଜନା ଅଧୀନରେ ପୁରୁଲିଆ, ବାଲୁରଘାଟ ଏବଂ ମାଲଦାରେ ନୂଆ ବିମାନବନ୍ଦର ନିର୍ମାଣ ହେବ।

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଫଳରେ ମୋଟ DA ୩୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଚଳିତ ବର୍ଷ ଅକ୍ଟୋବର ୧ ରୁ ଲାଗୁ ହେବ। ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ପାଇଁ ମାସିକ ୫,୦୦୦ ଟଙ୍କାର ପେନସନ ବ୍ୟବସ୍ଥା କରାଯାଇଛି। ତେବେ ପଶ୍ଚିମବଙ୍ଗର ଏହି ପ୍ରଥମ ବିଜେପି ସରକାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ମୋଟ ୪,୩୮,୭୭୫.୨୯ କୋଟି ଟଙ୍କାର (ନେଟ୍) ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଫାଇଲ୍କୁ ପାରମ୍ପରିକ ବେଙ୍ଗଲୀ ମାଟ୍ ଏବଂ ଝୋଟରେ ପ୍ରସ୍ତୁତ କରାଯାଇଛି।