ଭୁବନେଶ୍ୱର: ବଙ୍ଗୋପସାଗରରେ ବଳୁଆ ହେଉଛି ଲଘୁଚାପ। ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ଏବେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ଏହି ଲଘୁଚାପ ସ୍ପଷ୍ଟଚିହ୍ନିତ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାର ଆଶଙ୍କା ରହିଛି।

ସବୁଠାରୁ ବଡ଼ କଥା ଏହି ସ୍ପଷ୍ଟଚିହ୍ନିତ ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅବପାତ (Depression)ରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିପାଗ ଉପରେ ଏହାର ପ୍ରଭାବ ଆହୁରି ବଢ଼ିପାରେ।

ଲଘୁଚାପ ଅବପାତରେ ପରିଣତ ହେଲେ ବର୍ଷାର ତୀବ୍ରତା ବଢ଼ିବା ସହ ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ସମୁଦ୍ର ଅଶାନ୍ତ ହେବା ଏବଂ ପବନର ବେଗ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶା ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ୪ ଜିଲ୍ଲା ଓ ସୋମବାର ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଏହାର ପ୍ରଭାବରେ ୧୬ରୁ ୧୮ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ, ବାଂଲାଦେଶ, ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପକୂଳରେ ଝଟକା ପବନ ସହିତ ଅଶାନ୍ତ ପାଗ ରହିବାର ଆଶଙ୍କା ରହିଛି। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଝଟକା ସହ ୬୦ କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି।

also read-ଏ କ'ଣ ହେଲା ? ଅଚାନକ ପାହାଡ଼ରୁ ଖସିଲା ବିରାଟ ବିରାଟ ପଥର ଖଣ୍ଡ...

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଓଡ଼ିଶା ଉପକୂଳରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ଉପକୂଳକୁ ଫେରିଆସିବାକୁ କୁହାଯାଇଛି।

Watch Video-