ଭୁବନେଶ୍ବର ୧୯।୧୧: ବାତ୍ୟା ‘ଅକ୍ଭାନ୍’ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସମ୍ବେଦନଶୀଳ ନଦୀ ଅଞ୍ଚଳ, ଜଳଭଣ୍ଡାର ଓ ନଦୀବନ୍ଧ ଗୁଡ଼ିକରେ ୨୪ ଘଣ୍ଟିଆ ନିରୀକ୍ଷଣ ଓ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । କ୍ଷେତ୍ରସ୍ତରୀୟ ତଦାରଖ ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଯନ୍ତ୍ରୀମାନଙ୍କୁ ମୁତୟନ କରାଯାଇଛି ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାର ଓ ଧନେଇ ଡ୍ୟାମ୍ ଭଳି ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମି ସ୍ଥଳଗୁଡ଼ିକରେ ଜଳସ୍ତର, ଜଳଭଣ୍ଡାରର ସ୍ଥିତି ଓ ବନ୍ଧର ସୁରକ୍ଷା ଉପରେ ନଜର ରଖିବା ପାଇଁ କର୍ମଚାରୀ ମାନଙ୍କୁ ଦିନରାତି ମୁତୟନ କରାଯାଇଛି । ଏଥିସହ ଭଞ୍ଜନଗରର ହାଡ଼ିସାହି ନିକଟସ୍ଥ ଲୋହରାଖଣ୍ଡି ନଦୀର ସମ୍ବେଦନଶୀଳ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ ଜୋରଦାର କରାଯାଇଛି । ନଦୀର ସ୍ଥିତି ଓ ଜଳପ୍ରବାହ ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ କ୍ଷେତ୍ର କର୍ମଚାରୀମାନେ ସଜାଗ ରହିଛନ୍ତି ।

ଏଥିସହ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ନଦୀବନ୍ଧ, ଜଳସେଚନ ଭିତ୍ତିଭୂମି ଓ ବନ୍ୟା ନିୟନ୍ତ୍ରଣ ସଂରଚନାର ସୁରକ୍ଷା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ଓ ନିରୀକ୍ଷଣକୁ ଜୋରଦାର କରାଯାଇଛି । ପୁରୁଷୋତ୍ତମପୁର ବ୍ରିଜ୍ ନିକଟସ୍ଥ ଋଷିକୁଲ୍ୟା ନଦୀର ଜଳସ୍ତର ନିରୀକ୍ଷଣ, ପୁରୁଷୋତ୍ତମପୁର ଏନ୍ଏସି ଓ ଭୀମପୁର ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀର ବାମପାର୍ଶ୍ୱ ବନ୍ୟାବନ୍ଧ (ଏଲ୍ଏଫ୍ବି)ର ସୁରକ୍ଷା ନିମନ୍ତେ ପାଟ୍ରୋଲିଂ କରାଯାଉଛି ।

ସେହିପରି ଗୋଲନ୍ଥରା ଆନିକଟ ନିକଟସ୍ଥ ଘଡ଼କା ନାଳ, ବ୍ରହ୍ମପୁର ସ୍ଥିତ ଏ-ବ୍ରାଞ୍ଚ କେନାଲର ୧୦ମ ଡିଷ୍ଟ୍ରିବ୍ୟୁଟାରୀ, ଜୟମଙ୍ଗଳ ଆନିକଟ ଓ ଘୋଡ଼ାହାଡ଼ ନଦୀର ବନ୍ଧଭଙ୍ଗା ସ୍ଥଳ ସମେତ ହିଞ୍ଜିଳି ଜଳସେଚନ ଉପଖଣ୍ଡ ଅଧୀନସ୍ଥ ଘୋଡ଼ାହାଡ଼ ନଦୀରେ ମଧ୍ୟ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଛି । ଏହି ସମସ୍ତ ସ୍ଥାନରେ କ୍ଷେତ୍ର କର୍ମଚାରୀମାନେ ନିରନ୍ତର ନଜର ରଖିବା ସହ ସ୍ଥିତିରେ ପରିବର୍ତ୍ତନ ହେଲେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସଜାଗ ରହିଛନ୍ତି ।

ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତ ବରିଷ୍ଠ ଯନ୍ତ୍ରୀମାନଙ୍କୁ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଜିଲ୍ଲାଗୁଡ଼ିକରେ ଅବସ୍ଥାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀ ମାନଙ୍କୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରାଯାଇଛି । ଏହାଦ୍ୱାରା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ନଦୀ ପ୍ରଣାଳୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ତଦାରଖ କରାଯିବ ।

Also Read:- ଗଜପତିରୁ କେନ୍ଦ୍ରାପଡ଼ା, ୭ ଜିଲ୍ଲା ପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ୱ

ମୁତୟନ ହୋଇଥିବା ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ନଦୀବନ୍ଧ, ବନ୍ୟା ନିୟନ୍ତ୍ରଣ ସଂରଚନା ଓ ନଦୀତଟ ସୁରକ୍ଷା କାର୍ଯ୍ୟର ସ୍ଥିତି ଯାଞ୍ଚ କରିବା, ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିବା, ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ଏବଂ ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ସର୍ବୋଚ୍ଚ ଯନ୍ତ୍ରୀ ସମଗ୍ର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ରାଜ୍ୟରେ ସମନ୍ୱିତ ଭାବେ ମୁକାବିଲା କାର୍ଯ୍ୟ ଜାରି ରଖିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି । ଏହି ସମୟରେ ନାଗରିକ ମାନଙ୍କୁ ନଦୀତଟ, ଜଳଭଣ୍ଡାର ଓ ଜଳ ନିଷ୍କାସନ ସ୍ଥାନ ଠାରୁ ଦୂରରେ ରହିବା ସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସତର୍କ ସୂଚନା ଓ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି ।