କଟକ ୫।୭: କଟକର ଆରାଧ୍ୟ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ନ ସରୁଣୁ ମନ୍ଦିରର ନାଟ ମଣ୍ଡପ, ଜଗମୋହନ ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରରୁ ଝରୁଛି ବର୍ଷା ପାଣି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ଭକ୍ତଙ୍କ ମଧ୍ୟରେ । ଏହି ଘଟଣା ସମ୍ପର୍କରେ ଠିକା ସଂସ୍ଥା କୁ ଅବଗତ କରାଇଛନ୍ତି ଚଣ୍ଡୀ ମନ୍ଦିରର ମ୍ୟାନେଜର ।

କଟକରେ ଜାରି ରହିଥିବା ଲଗାଣ ବର୍ଷାରେ ଚଣ୍ଡୀ ମନ୍ଦିର ନାଟ ମଣ୍ଡପ ଛାତରୁ ଝରୁଛି ବର୍ଷା ପାଣି । କେବଳ ସେତିକି ନୁହେଁ ମନ୍ଦିରର ଜଗମୋହନ, ଚଣ୍ଡୀ ପାଠ ମଣ୍ଡପ, ଶିବ ମନ୍ଦିରରେ ମଧ୍ୟ ଛାତରୁ ଝରୁଛି ପାଣି। ଦୀର୍ଘ ଦୁଇ ବର୍ଷ ହେବ ଅତି ମନ୍ଥର ଗତିରେ ସରକାରୀ ଠିକା ସଂସ୍ଥା ଓ ବିସିସି କାମ କରିଥିବା ବେଳେ ବର୍ତ୍ତମାନ ମନ୍ଦିରର ଉପର ଭାଗରୁ ପାଣି ପଡ଼ିବାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି। ଯେହେତୁ ନାଟ ମଣ୍ଡପରେ ଶ୍ରଦ୍ଧାଳୁ ମାନେ ଠିଆ ହୋଇ ମା’ଙ୍କ ଦର୍ଶନ କରନ୍ତି ତେଣୁ ଏଠାରେ କ୍ରମାଗତ ଭାବେ ଚାରୋଟି ସ୍ଥାନଟି ପାଣି ତଳକୁ ପଡ଼ିବା ଫଳରେ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶିବ ମନ୍ଦିରରେ ମଧ୍ୟ ମନ୍ଦିର ଉପରୁ ପାଣି ଝରୁଥିବା ବେଳେ ମନ୍ଦିର ଭିତରେ ପୂଜକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।

​​​​​​​Also Read:- ଲଗାଣ ବର୍ଷା ହେଲା କାଳ : ଘର ଭୁଶୁଡ଼ି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅନ୍ୟପଟେ ମନ୍ଦିର ଛାତରୁ ପାଣି ଝରିବା ଘଟଣାକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠିକା ସଂସ୍ଥା ଓ ବିସିସିକୁ ଅବଗତ କରାଯାଇଛି। ଯେହେତୁ ସମ୍ପୂର୍ଣ୍ଣ କାମ ସରି ନାହିଁ ଓ ମନ୍ଦିରକୁ ହସ୍ତାନ୍ତର କରାଯାଇ ନାହିଁ। ତେଣୁ ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ମରାମତି କରିବା ପାଇଁ କୁହାଯାଇଥିବା କଥା କହିଛନ୍ତି ମନ୍ଦିର ମ୍ୟାନେଜର କିରଣ ସାହୁ ।