ମୁମ୍ବାଇ: କ୍ରୀଡା ଜଗତରେ "ନମ୍ବର ୧୦" ଜର୍ସିର ପରିଚୟ ଆଣିଥିବା ଦୁଇ କିମ୍ବଦନ୍ତୀ ଖେଳାଳି ପରସ୍ପରକୁ ଭେଟିଛନ୍ତି। ସଚିନ ତେନ୍ଦୁଲକର ଏବଂ ଲିଓନେଲ ମେସି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସାକ୍ଷାତ କରିଛନ୍ତି । ସଚିନ ମେସିଙ୍କୁ ତାଙ୍କର କ୍ରିକେଟ ଜର୍ସି ପ୍ରଦାନ କରିଛନ୍ତି । ଏହା କ୍ରିକେଟ ଏବଂ ଫୁଟବଲ୍ ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ।

ଲିଓନେଲ ମେସି ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଫୁଟବଲ୍ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଏହା ପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଏବଂ ତା’ପରେ "ମାଷ୍ଟର ବ୍ଲାଷ୍ଟର" ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି । ଏହା ପରେ ଦୁହେଁ କିଛି ସମୟ ପାଇଁ ଆଲୋଚନା କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସଚିନ ତେନ୍ଦୁଲକର ମେସିଙ୍କୁ ତାଙ୍କର ୨୦୧୧ ODI ବିଶ୍ୱକପ୍ ଜର୍ସି ପ୍ରଦାନ କରିଛନ୍ତି । ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ସଚିନଙ୍କୁ ୨୦୨୨ ବିଶ୍ୱକପ୍ ବଲ୍ ମଧ୍ୟ ଉପହାର ଦେଇଛନ୍ତି । ସଚିନଙ୍କ ଭାଷଣ ବୁଝିବା ପାଇଁ ମେସିଙ୍କ ସହିତ ଜଣେ ଅନୁବାଦକ ଥିଲେ।

 

ସଚିନ ତେନ୍ଦୁଲକରଙ୍କୁ ପଚରାଯାଇଥିଲା ଯେ, ଲିଓନେଲ ମେସିଙ୍କ ଭାରତ ଗସ୍ତ ବିଷୟରେ କ'ଣ ଚିନ୍ତା କରୁଛନ୍ତି। ସେ କହିଛନ୍ତି, ‘ଆମେ ଲିଓନେଲ ମେସିଙ୍କ ସମର୍ପଣ, ଦୃଢ଼ତା ଏବଂ ପ୍ରତିବଦ୍ଧତାକୁ ସମ୍ମାନ କରୁ। ତାଙ୍କର ନମ୍ର ସ୍ୱଭାବ ଏବଂ ସେ ଯେଉଁ ପ୍ରକାରର ବ୍ୟକ୍ତି, ସେଥିପାଇଁ ସେ ବହୁତ ପ୍ରଶଂସିତ। ମୁମ୍ବାଇ ଏବଂ ଭାରତବାସୀଙ୍କ ପକ୍ଷରୁ, ମୁଁ ମେସି ଏବଂ ତାଙ୍କ ପରିବାରର ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।’

ଲିଓନେଲ ମେସି ଡିସେମ୍ବର ୧୩ ତାରିଖରେ କୋଲକାତାରେ ପହଞ୍ଚିଥିଲେ । ତା'ପରେ ହାଇଦ୍ରାବାଦରେ ରାହୁଲ ଗାନ୍ଧୀଙ୍କୁ ଭେଟି ଏକ ପ୍ରଦର୍ଶନୀ ମ୍ୟାଚ ଅଂଶଗ୍ରହଣ କରିଥିଲେ। ସେ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି ଏବଂ ଆସନ୍ତାକାଲି (ଡିସେମ୍ବର ୧୫) ଦିଲ୍ଲୀ ଯାତ୍ରା କରିବେ।