ନୂଆଦିଲ୍ଲୀ:ବ୍ରିଟେନ୍ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ନିରାଶାଜନକ ପ୍ରଦର୍ଶନ ପରେ ବିସିସିଆଇ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ମୋଟ ୧୦ଟି ମ୍ୟାଚରୁ ଦଳ ମାତ୍ର ଗୋଟିଏ ମ୍ୟାଚ ଜିତି ପାରିଛି। ଏହି ଖରାପ ପ୍ରଦର୍ଶନ ଏବଂ ଆଗାମୀ ବ୍ୟସ୍ତବହୁଳ ସୂଚୀକୁ ଦୃଷ୍ଟିରେ ରଖି ଆଗାମୀ ଜିମ୍ବାବ୍ୱେ ସିରିଜ୍ ଏବଂ ଏସିଆନ୍ ଗେମ୍ସ ପାଇଁ ଗୌତମ ଗମ୍ଭୀରଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ।

ଶ୍ରେୟସ ଆୟରଙ୍କ ଅଧିନାୟକତ୍ଵରେ ଭାରତୀୟ ଟି-୨୦ ଦଳ ପ୍ରଥମେ ଆୟରଲ୍ୟାଣ୍ଡ ଗସ୍ତ କରି ୦-୨ ରେ ସିରିଜ୍ ହାରିଥିଲା। ଏହାପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୦-୪ ରେ ପରାଜିତ ହୋଇଥିଲା। ଅନ୍ୟପଟେ ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ମଧ୍ୟ ଭାରତ ୧-୨ ରେ ପରାସ୍ତ ହୋଇଛି। ମୋଟ ଉପରେ ବ୍ରିଟେନ୍ ଗସ୍ତରେ ୧୦ଟି ମ୍ୟାଚରୁ ଭାରତ ଭାଗ୍ୟରେ କେବଳ ଗୋଟିଏ ବିଜୟ ଜୁଟିଥିଲା।

ଗମ୍ଭୀରଙ୍କୁ ବିଶ୍ରାମ, ଲକ୍ଷ୍ମଣଙ୍କୁ ଦାୟିତ୍ଵ

ଆଗାମୀ ଜିମ୍ବାବ୍ୱେ ଗସ୍ତ ଏବଂ ଏସିଆନ୍ ଗେମ୍ସ ପାଇଁ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ସହ ରହିବେ ନାହିଁ। ଜିମ୍ବାବ୍ୱେ ସିରିଜ୍ ପାଇଁ ଗମ୍ଭୀରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଏସିଆନ୍ ଗେମ୍ସର ସମୟସୀମା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ସହ ମୁହାଁମୁହିଁ ହେଉଛି। ତେଣୁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଭାରତୀୟ ଦଳର କୋଚିଂ ଦାୟିତ୍ୱ ସମ୍ଭାଳିବେ।

ସେପ୍ଟେମ୍ବରରେ ଡବଲ ମ୍ୟାଚ୍ ସୂଚୀ

ସୂଚନାଯୋଗ୍ୟ ଯେ, ଏସିଆନ୍ ଗେମ୍ସ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଆୟୋଜିତ ହେବ। ଅନ୍ୟପଟେ, ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି କାରଣରୁ ଭାରତର ଦୁଇଟି ପୃଥକ ଦଳ ଗଠନ କରାଯିବ। ଗୌତମ ଗମ୍ଭୀର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ୍ରେ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ।