ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଅଭିଯାନ ଅଧିନରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରମାନଙ୍କୁ ନିର୍ବାଚନ କମିଶନ ଆଉ ଏକ ବଡ ସୁଯୋଗ ଦେବାକୁ ଯାଉଛନ୍ତି। ଏଥିରେ ଯେଉଁ ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନଥିଲା ସେମାନେ ଏବେ ଚୂଡ଼ାନ୍ତ ଭୋଟର ତାଲିକାରେ ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରିପାରିବେ। ଏହି ନିର୍ଦ୍ଦେଶ ସେହି ଭୋଟରମାନଙ୍କ ପାଇଁ ଯେଉଁମାନଙ୍କୁ ଗଣନା ଫର୍ମ ଜାରି କରାଯାଇଥିଲା। ତେବେ ଅନୁପସ୍ଥିତ, ସ୍ଥାନାନ୍ତରି, ମୃତ କିମ୍ବା ନକଲ ବର୍ଗରେ ପଡିବା ଯୋଗୁ ସେମାନଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ ପଡିଥିଲା।

ଏହି ସୁବିଧା ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ତେଲେଙ୍ଗାନା ଓ ନାଗାଲ୍ୟାଣ୍ଡ ରାଜ୍ୟ ପାଇଁ ପ୍ରଜୁଯ୍ୟ ହେବ। ନିର୍ବାଚନ କମିଶନଏଥିପାଇଁ ଅଧିକାରୀମାନଙ୍କୁ ଏକ କଠୋର ତଦାରଖ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା କୌଣସି ଯୋଗ୍ୟ ଭୋଟରଙ୍କ ନାମ ଚୂଡ଼ାନ୍ତ ତାଲିକାରୁ ବାଦ ନପଡିବ ଓ ଜାଲିଆତି ଏବଂ ଦୁଇ ଥର ନାମ ଲେଖାକୁ ରୋକାଯାଇ ପାରିବ। ଅନ୍ୟପକ୍ଷରେ ଯଦି ଜଣେ ଭୋଟର ଯାହାଙ୍କୁ ଏଏସଡି ବର୍ଗରେ ରଖା ଯାଇଛି ଏବଂ ଯାହାଙ୍କ ନାମ ଡ୍ରାଫ୍ଟ ତାଲିକାରେ ନାହିଁ କିନ୍ତୁ ରାଜ୍ୟମଧ୍ୟରେ ତାଙ୍କ ଠିକଣା ପରିବର୍ତ୍ତନ କରିଛନ୍ତି ତେବେ ତାଙ୍କୁ ଫର୍ମ ୮ ପୁରଣ କରିବାକୁ ପଡିବନି। ଏପରି ଭୋଟରମାନଙ୍କୁ ନୂତନ ଠିକଣା ଓ ନିର୍ବାଚନମଣ୍ଡଳିର ବିବରଣୀ ପ୍ରଦାନ କରି ‘ଆନେକ୍ସର-ସି’ ସହିତ ଗଣନା ଫର୍ମ ଦାଖଲ କରିବାକୁ ପଡିବ।

କମିଶନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଭୋଟରମାନେ ଏସଆଇଆର ପ୍ରକ୍ରିୟା ସମୟରେ ନୂତନ ନାମ ଲେଖା ପାଇଁ ଫର୍ମ-୬ ଜମା କରିଛନ୍ତି ସେମାନଙ୍କୁ ପୁଣି ଥରେ ଗଣନା ଫର୍ମ ଅଥବା ବିବୃତ୍ତି ଦାଖଲ କରିବାକୁ ପଡିବନି କମିଶନଙ୍କ ନିୟମ ଅନୁଯାୟୀ ସେମାନଙ୍କ ଆବେଦନର ବିଚାର ହେବ। ସୂଚନା ଅନୁଯାୟୀ ନିର୍ବାଚନ କମିଶନଙ୍କ ସଫ୍ଟୱେର ଇସିଆଇଏନଇଟି ଏପରି ସମସ୍ତ ଏଏସଡିଡି ଭୋଟରଙ୍କ ପାଇଁ ନୂତନ ଆଂଶିକ ପୂରଣ ହୋଇଥିବା ଗଣନା ଫର୍ମ ପ୍ରସ୍ତୁତ କରାଯିବ। ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ), ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓଏସ) ଏହି ଫର୍ମଗୁଡିକୁ ବୁଥସ୍ତରୀୟ ଅଧିକାରୀ (ବିଏଲଓ) ମାଧ୍ୟମରେ ହ୍ୱାଟସଆପ, ଇ-ମେଲ, ଏସଏମଏସ ଅଥବା ବ୍ୟକ୍ତିଗତ ଭାବେ ଭୋଟରଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ଏତିକି ନୁହେଁ ବିଏଲଓ, ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟ (ବିଏଲଏ)ଙ୍କ ସହଯୋଗରେ ପ୍ରଭାବିତ ଭୋଟରଙ୍କ ସହ ଯୋଗାଯୋଗ କରି ନାମ ଚଢାଇବାର ବ୍ୟବସ୍ଥା କରିବେ।