ନୂଆଦିଲ୍ଲୀ ୦୨।୦୬; IPLରେ ବେଙ୍ଗାଲୁରୁ ଟ୍ରଫି ହାତେଇଛି। ଏହି ସଫଳତା ପରେ ବିରାଟ କୋହଲି ପୁଣି ଥରେ ପ୍ରେମାନନ୍ଦଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ମଙ୍ଗଳବାର ସକାଳେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ବିରାଟ ବୃନ୍ଦାବନରେ ପହଞ୍ଚିଥିଲେ। କିନ୍ତୁ, ଏଥର -ଶ୍ରୀ ରାଧା କେଳି କୁଞ୍ଜ ପରିବର୍ତ୍ତେ - ବିରାଟ ଏବଂ ଅନୁଷ୍କା ଯମୁନା କୂଳରେ ଅବସ୍ଥିତ ଏକ ସାଧାରଣ କୁଡ଼ିଆକୁ ଯାତ୍ରା କରିଥିଲେ। ଯେଉଁଠାରେ ସନ୍ଥ ପ୍ରେମାନନ୍ଦ ବର୍ତ୍ତମାନ ଏକାନ୍ତବାସ କରୁଛନ୍ତି। ସେଠାରେ ଦମ୍ପତି ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଆଧ୍ୟାତ୍ମିକ ଚର୍ଚ୍ଚା କରିଥିଲେ।

ଏହି ଦୃଶ୍ୟ ବୃନ୍ଦାବନରୁ ଭାଇରାଲ ହୋଇଛି। ଯେଉଁଥିରେ ବିରାଟ ମୁହଁରେ ମାସ୍କ ପିନ୍ଧି ସନ୍ଥ ପ୍ରେମାନନ୍ଦଙ୍କ ଆଶ୍ରମକୁ ଯାଉଥିବାର ଦେଖାଯାଉଛି। ଅନୁଷ୍କା ଏକ ଗୋଲାପୀ ରଙ୍ଗର ସୁଟ୍ ପିନ୍ଧିଥିଲେ। ଏହା ସହ ଲାଲ ଓଢଣୀ ମୁଣ୍ଡରେ ପକାଇଥିଲେ। ତାଙ୍କ ବେକରେ ଏକ ତୁଳସୀ ମାଳା ଏବଂ ତାଙ୍କ କପାଳରେ ଏକ ତିଳକ ଲଗାଇଥିଲେ। ବିରାଟ କୋହଲି ଏକ ଅଦ୍ଭୁତ ଭାବରେ ନମ୍ର ଏବଂ ସରଳ ଢଙ୍ଗରେ ପହଞ୍ଚିଥିଲେ। ଏକ ମାଟିଆ ଟି-ସାର୍ଟ ଏବଂ ଟ୍ରାଉଜର ପିନ୍ଧିଥିବା ନଜର ଆସିଥିଲେ।

କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସୋମବାର ସନ୍ଧ୍ୟାରେ ବୃନ୍ଦାବନରେ ପହଞ୍ଚିଲେ ଏବଂ ରେଡିସନ ହୋଟେଲରେ ରହିଲେ। ମଙ୍ଗଳବାର ସକାଳେ, ପ୍ରାୟ ୭ ଟାରେ, ସେମାନେ ହୋଟେଲ ଛାଡି ସନ୍ଥ ପ୍ରେମାନନ୍ଦଙ୍କ କୁଟୀରକୁ ଗଲେ। ଯିଏ ବର୍ତ୍ତମାନ ଯମୁନା ଖାଦରରେ ଏକାନ୍ତରେ ରହୁଛନ୍ତି। ଆଶ୍ରମର ବାସିନ୍ଦା ସନ୍ୟାସୀମାନେ ଦମ୍ପତିଙ୍କୁ ବ୍ୟକ୍ତିଗତ ଭାବରେ ସନ୍ଥ ପ୍ରେମାନନ୍ଦଙ୍କ କୁଟୀରକୁ ନେଇଯାଇଥିଲେ। କୁଟୀର ଭିତରେ, ବିରାଟ ଏବଂ ଅନୁଷ୍କା ସନ୍ଥ ପ୍ରେମାନନ୍ଦଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ IPLରେ ଆରସିବି ବେଙ୍ଗାଲୁରୁର ଫାଇନାଲ ମ୍ୟାଚରେ ଶାନଦାର ପ୍ରଦର୍ଶନ କରି ବିରାଟ ଟିମ୍କୁ ଜିତାଇଥିଲେ । ଏହି ଆଇପିଏଲ ଟ୍ରଫି ବିଜୟ ପରେ, ବିରାଟ କୋହଲି ବିଶେଷ ଭାବରେ ସନ୍ଥ ପ୍ରେମାନନ୍ଦଙ୍କ ଆଶୀର୍ବାଦ ଲୋଡ଼ିବା ପାଇଁ ବୃନ୍ଦାବନ ଯାତ୍ରା କରିଥିଲେ। ଏହା ବିରାଟଙ୍କ ବୃନ୍ଦାବନରେ ଥିବା ସନ୍ଥଙ୍କ ଆଶ୍ରମକୁ ପଞ୍ଚମ ଗସ୍ତ।