ରାୟପୁର ୦୨।୧୨ : କୋହିଲଙ୍କୁ ଜୋରଦାର୍‌ ସ୍ୱାଗତ । ରାୟପୁର ବିମାନବନ୍ଦରରେ ବିରାଟ କୋହଲିଙ୍କୁ କୁନି କୁନି ଫ୍ୟାନ୍ସଙ୍କ ଦ୍ୱାରା ସ୍ୱାଗତ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଦିନିକିଆ ଲାଗି ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ଗେଟ୍‌ ସମ୍ମୁଖରେ କୁନି କୁନି ଫ୍ୟାନ୍ସଙ୍କ ପକ୍ଷରୁ ଫୁଲ ତୋଡ଼ା ଦେଇ ବିରାଟଙ୍କୁ ସ୍ୱାଗତ କରାଯାଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାର ଲାଗିଛି ।

ନଭେମ୍ବର ୩୦ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଯେଉଁଥିରେ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୩୪୯ର ବିଶାଳ ସ୍କୋର ଛିଡ଼ା କରିଥିଲା । ହେଲେ ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ହାର୍‌ ମାନିନଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରି ୩୩୨ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସିରିଜ୍‌ ପ୍ରଥମ ମ୍ୟାଚ୍‌ର ହିରୋ ସାଜିଥିଲେ ବିରାଟ କୋହଲି । ନିଜର ୫୨ ତମ ଶତକ ହାସଲ କରି ବିରାଟ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ବିରାଟ କୋହଲି ନିଜର ୧୩୫ରନ୍‌ର ପାରିରେ ୧୧ଟି ଚୌକା ଓ ୭ଟି ଛକା ସାମିଲ ରହିଥିଲା ।

୨୦୨୩ ଦିନିକିଆ ବିଶ୍ୱକପ୍‌ ପରେ ବିରାଟଙ୍କ ବ୍ୟାଟରୁ ଶତକ ବାହାରିଛି । ବିରାଟଙ୍କ ଏହି ଶତକ ବଳରେ ୨୦୨୭ ବିଶ୍ୱକପ୍‌ ଖେଳିବା ପାଇଁ ଦାବିଦାର ଭାବେ ନିଜକୁ ପ୍ରତିଷ୍ଠା କରିଛନ୍ତି। ସେହିପରି ରୋହିତ ଶର୍ମା ଏହି ତାଲିକାରେ ଆଗରେ ଅଛନ୍ତି । କିଛି ଦିନ ତଳେ ଉଭୟଙ୍କୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଦଳରୁ ବାଦ୍‌ ଦେବା ପାଇଁ ବିସିସିଆଇ କୁଆଡେ ଚିନ୍ତା କରୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏପିରିକି ଆଫ୍ରିକା ସିରିଜ୍‌ ମଧ୍ୟରେ ଅହମ୍ମଦାବାଦ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବାରେ ଥିଲା । ଯେଉଁଥିରେ ବିସିସିଆଇର ବରିଷ୍ଠ ଅଧିକାରୀ, କୋଚ୍‌, ଚୟନକର୍ତ୍ତା ସାମିଲ ହୋଇଥାନ୍ତି । ସେହି ଠାରେ ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଥାନ୍ତି । ହେଲେ ଉଭୟଙ୍କ ପ୍ରଦର୍ଶନକୁ ଦୃଷ୍ଟି ଦେଲେ, ସେମାନଙ୍କୁ ବାଦ୍‌ ଦେବା କଷ୍ଟକର । ତଥାପି ଦେଖାଯାଉ ଆଗକୁ କଣ ହେଉଛି...