ନୂଆଦିଲ୍ଲୀ: ସ୍କୁଲ୍ ପାଠପଢ଼ା ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟକଳାପ କେତେ ବ୍ୟୟବହୁଳ ହୋଇଗଲାଣି, ସେ ନେଇ ସୋସିଆଲ ମିଡିଆରେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ୍ସ (ପୂର୍ବରୁ ଟ୍ୱିଟର) ପ୍ଲାଟଫର୍ମରେ ଅଳକା ଗୁରହା ନାମକ ଜଣେ ମହିଳାଙ୍କ ପୋଷ୍ଟ ଭାଇରାଲ ହେବା ପରେ ଅଭିଭାବକମାନେ ଏହି ବିଷୟରେ ଖୋଲାଖୋଲି ଆଲୋଚନା କରୁଛନ୍ତି। ପୋଷ୍ଟ ଅନୁଯାୟୀ, ଅଳକାଙ୍କ ଜଣେ ବାନ୍ଧବୀ ତାଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅକୁ ସ୍କୁଲ୍ ତରଫରୁ ଜାପାନ ବୁଲାଇବା ପାଇଁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ବ୍ୟତୀତ ପିଲାର ସପିଂ (କିଣାକିଣି) ପାଇଁ ଆଉ ୫୦,୦୦୦ ଟଙ୍କା ଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜାପାନ ଯାତ୍ରାର ମାତ୍ର କିଛି ମାସ ପୂର୍ବରୁ ସେହି ସ୍କୁଲ୍ ପିଲାମାନଙ୍କୁ ଗୋଆ ନେଇଥିଲା, ଯେଉଁଠି ମାତ୍ର ୩ ଦିନ ରହିବା ପାଇଁ ଅଭିଭାବକଙ୍କୁ ୯୦,୦୦୦ ଟଙ୍କା ଗଣିବାକୁ ପଡ଼ିଥିଲା।

​​​​​​​

ଲୋକଙ୍କୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି ଏହି ଯାତ୍ରା ଖର୍ଚ୍ଚର ପରିମାଣ ଏବଂ ଭାରତର ସରକାରୀ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ଆକାଶ-ପାତାଳ ପାର୍ଥକ୍ୟ । ୨.୫ ଲକ୍ଷ ଟଙ୍କା ହେଉଛି ଭାରତର ସବୁଠାରୁ ବଡ଼ ସରକାରୀ ସ୍କୁଲ୍ ଚେନ୍ 'କେନ୍ଦ୍ରୀୟ ବିଦ୍ୟାଳୟ' (KV) ର ପ୍ରାୟ ୨୫ ବର୍ଷରୁ ଅଧିକ ସମୟର ହାରାହାରି ଫି’। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (KVS) ର ନିୟମ ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୌଣସି ଟ୍ୟୁସନ ଫି’ ନଥାଏ। ସେମାନଙ୍କୁ କେବଳ ବିଦ୍ୟା୦ଳୟ ବିକାଶ ନିଧି ଏବଂ କମ୍ପ୍ୟୁଟର ପାଣ୍ଠି ବାବଦକୁ ବାର୍ଷିକ ପ୍ରାୟ ୮,୦୦୦ ରୁ ୧୦,୦୦୦ ଟଙ୍କା ଦେବାକୁ ପଡ଼ିଥାଏ।

ଏହି ହିସାବକୁ ଦେଖିଲେ, ଜଣେ ପିଲା ସରକାରୀ ବ୍ୟବସ୍ଥାରେ ନିଜର ସମ୍ପୂର୍ଣ୍ଣ ସ୍କୁଲ୍ ଶିକ୍ଷା ଶେଷ କରିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରେ, ବେସରକାରୀ ସ୍କୁଲର ପିଲାମାନେ ମାତ୍ର କେଇଟା ଦିନର ବିଦେଶ ଯାତ୍ରାରେ ସେତିକି ବା ତା’ଠାରୁ ଅଧିକ ଟଙ୍କା ଉଡ଼ାଇ ଦେଉଛନ୍ତି। ବର୍ତ୍ତମାନ ବଡ଼ ବଡ଼ ପ୍ରାଇଭେଟ୍ ସ୍କୁଲଗୁଡ଼ିକ ବିଦେଶ ଯାତ୍ରାକୁ ନିଜର ପାଠ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦେଖାଉଛନ୍ତି। ପିଲାମାନଙ୍କୁ ସାଂସ୍କୃତିକ ଆଦାନପ୍ରଦାନ ଏବଂ ଆନ୍ତର୍ଜାତୀୟ ଅଭିଜ୍ଞତା (Global Exposure) ଦେବା ବାହାନାରେ ଜାପାନ, ସିଙ୍ଗାପୁର, ୟୁରୋପ ଏବଂ ଆମେରିକା ଭଳି ଦେଶକୁ ବାର୍ଷିକ ଭ୍ରମଣ ସୂଚୀରେ ସାମିଲ କରାଯାଉଛି।

ନିଶ୍ଚିତ ଭାବେ ଏହି ଯାତ୍ରାଗୁଡ଼ିକ ଦ୍ୱାରା ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼େ ଏବଂ ସେମାନେ ନୂଆ ସଂସ୍କୃତି ବିଷୟରେ ଶିଖନ୍ତି। କିନ୍ତୁ ଏଥିପାଇଁ ଯେଉଁ ବିମାନ ଭଡ଼ା, ରହିବା ଖର୍ଚ୍ଚ ଏବଂ ବୀମା ବାବଦକୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଆସୁଛି, ତାହା ମଧ୍ୟବିତ୍ତ ପରିବାରକୁ ବଡ଼ ଝଟକା ଦେଉଛି । ବିଶେଷ କରି ଯେଉଁ ପରିବାରରେ ଦୁଇଟି ପିଲା ଅଛନ୍ତି, ସେମାନଙ୍କ ପାଇଁ ଏହି ଖର୍ଚ୍ଚ ବାର୍ଷିକ ସ୍କୁଲ୍ ଫି’ଠାରୁ ମଧ୍ୟ ଅଧିକ ହୋଇଯାଉଛି। ଖାଲି ଜାପାନ ନୁହେଁ, ଦେଶ ଭିତରେ ଗୋଆ ଭଳି ସ୍ଥାନକୁ ୩ ଦିନ ପାଇଁ ୯୦,୦୦୦ ଟଙ୍କା ମାଗିବା ମଧ୍ୟ ଅଭିଭାବକଙ୍କ ଚିନ୍ତା ବଢ଼ାଉଛି। 

ଏହି ବିତର୍କ ଶେଷରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତରେ ଏବେ ଏମିତି ଏକ ଶିକ୍ଷା ବ୍ୟବସ୍ଥା ଅଛି ଯେଉଁଠି ଗୋଟିଏ ପଟେ ବାର୍ଷିକ କିଛି ହଜାର ଟଙ୍କାରେ ସରକାରୀ ସ୍କୁଲରେ ପାଠ ପଢ଼ାଯାଉଛି, ଅନ୍ୟପଟେ କିଛି ପ୍ରତିଷ୍ଠିତ ବେସରକାରୀ ସ୍କୁଲରେ କେବଳ ବୁଲିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।  ସ୍କୁଲଗୁଡ଼ିକ ଶିକ୍ଷାଦାନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ନା ଏଭଳି ମହଙ୍ଗା ପର୍ଯ୍ୟଟନ ଉପରେ, ତାହା ଏବେ ବଡ଼ ପ୍ରଶ୍ନ ।