କଟକ ୩୦।୦୪ : କିଏ ସୁରକ୍ଷିତ ? ସମାଜକୁ ସୁରକ୍ଷା ଦେବା ପାଇଁ ପୋଲିସ । ହେଲେ ଏଠି ପୋଲିସକୁ ବି ଆକ୍ରମଣ । କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ଯେଉଁଥିରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଆୟୀ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ କଟକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ କିଛି ଯୁବକ-ଯୁବତୀ ଆପତ୍ତିଜନକ ଅବସ୍ଥାରେ ବସିଥିଲେ । ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଏଠାରେ କାହିଁକି ବସିଛ ବୋଲି ପଚାରିଥିଲେ । ଏହି ସମୟରେ ଉକ୍ତ ଯୁବକ ଓ ଯୁବତୀ ସେମାନଙ୍କୁ ଗାଳି କରିଥିଲେ । ଯାହାକୁ ନେଇ ପୋଲିସ ଏବଂ ଯୁବତୀ-ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ବଢିବା ଦେଖି ଯୁବକ ନିଜର ସାଙ୍ଗମାନଙ୍କ ଫୋନ୍ କରି ଡକାଇଥିଲେ । ଯାହାପରେ କିଛି ଅସମାଜିକ ଯୁବକ ଘଟଣାସ୍ଥଳରେ ପହଞ୍ଚି ପୋଲିସ କର୍ମଚାରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଛି।

Also Read:-ଗର୍ଭବତୀ ପ୍ରେମିକାକୁ ଧୋକ୍କା ଦେଲା ଜେଲ୍‌ ଫେରନ୍ତା ପ୍ରେମିକ ! ପଡ଼ୋଶୀ ଯୁବତୀଙ୍କୁ ନେଇ ଛୁ'

ସେପଟେ ଏହି ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହାସହିତ ଚାଉଳିଆଗଞ୍ଜ ଥାନା ପୋଲିସ ତିନି ଜଣଙ୍କ ଅଟକ ରଖିଥିବା ସୂଚନା ମିଳିଛି ।