ପୁରୀ,୩୦/୦୪:ମୋତେ ବିବାହ କରିବ ବୋଲି ମିଥ୍ୟା ପ୍ରଲୋଭନ ଦେଖାଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଲା। ଏବେ ମୁଁ ୬ ମାସ ଗର୍ଭବତୀ। ଏଭଳି ସମୟରେ ସେ ଧୋକ୍କା ଦେଇଛି। ମଙ୍ଗଳବାର ପଡ଼ୋଶୀ ଯୁବତୀଙ୍କୁ ନେଇ ଛୁ ମାରିଛି। ଏନେଇ ସମୁଦ୍ରକୂଳ ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ଜଣେ ପୀଡ଼ିତା।

ଅଭିଯୋଗ ଅନୁଯାୟୀ, ୨୦୧୯ରେ ପୀଡ଼ିତା ସମୁଦ୍ରକୂଳ ଥାନା ଅଧୀନ ଚକ୍ରତୀର୍ଥରୋଡ୍ ତଳନୂଆ ଜନୂଆ ସାହିର କାଳିଆ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅ ରହିଛି। କାଳିଆ ସବୁବେଳେ କାମକୁ ଯାଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରେ। କାଳିଆ ନଥିବାବେଳେ ସାହିର ହରେକୃଷ୍ଣ ବେହେରା ତାଙ୍କ ଘରକୁ ଯିବା ଆସିବା କରେ। ଏହା ଭିତରେ ପୀଡ଼ିତା ଓ ହରେକୃଷ୍ଣ ଭିତରେ ସମ୍ପର୍କ ବଢ଼ିଥିଲା। କାଳିଆ ତୋତେ ଭଲରେ ରଖିପାରୁନି। ତାକୁ ଛାଡ଼ପତ୍ର ଦେଇ ମୋ ପାଖକୁ ପଳାଇ ଆସେ। ଆମେ ଭଲରେ ଚଳିବା। ପୀଡ଼ିତା ଏଭଳି ପ୍ରଲୋଭନ ଦେଖାଇ ଥିଲା ହରେକୃଷ୍ଣ । ତା' କଥାରେ ଭାସିଯାଇ ପୀଡ଼ିତା ସହ ଶାରୀରିକ ସମ୍ପର୍କ ରଖିଥିଲା।

୨ ମାସର ଗର୍ଭବତୀ ପରେ ବିବାହ କରିବାକୁ ଜିଦ କରିବାରୁ ହରେକୃଷ୍ଣ ମନା କରିଥିଲା। ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ୍ ହରେକୃଷ୍ଣକୁ ଗିରଫ କରି ଜେଲ ପଠାଇଥିଲା। ହରେକୃଷ୍ଣଙ୍କ ପରିବାର ଲୋକେ ବୋହୂ କରିବେ ବୋଲି ପ୍ରତିଶ୍ରୁତି ଦେଇ କୋର୍ଟରୁ ମାମଲା ପ୍ରତ୍ୟାହାର କରିବାରୁ ସେ ଜେଲରୁ ମୁକୁଳିଥିଲା। ଜେଲ୍ରୁ ଆସିବା ପରେ କାଳିଆକୁ ଛାଡ଼ପତ୍ର ଦେବା ଲାଗି କହିବାରୁ ଗତ ମାର୍ଚ୍ଚ ମାସରେ ନୋଟାରୀ ଜରିଆରେ ଛାଡ଼ପତ୍ର ଚୁକ୍ତି ବି ହୋଇଥିଲା।

ପରେ ହରେକୃଷ୍ଣ ଓ ପୀଡ଼ିତା ଏକାଠି ରହୁଥିଲେ। ଏହାସତ୍ତ୍ବେ ହରେକୃଷ୍ଣ ପୀଡ଼ିତାଙ୍କୁ ଛାଡ଼ି ଅନ୍ୟ ଏକ ଯୁବତୀକୁ ନେଇ ଫେରାର ହୋଇଯାଇଛି। ପୀଡ଼ିତା ଏବେ ୬ ମାସର ଗର୍ଭବତୀ। ନ୍ୟାୟ ନ ମିଳିଲେ ପୁଅ ସହ ଥାନା ସମ୍ମୁଖରେ ଆତ୍ମାହୁତି ବୋଲି ପୀଡ଼ିତା ଚେତାବନୀ ଦେଇଛନ୍ତି। ଏନେଇ ଆଇଆଇସି ମାନସ ରଞ୍ଜନ ଚକ୍ର କୁହନ୍ତି, ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।