ଚେନ୍ନାଇ: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ତାମିଲଗା ଭେଟ୍ରି କାଜଗମ (TVK) ମୁଖ୍ୟ ସି. ଜୋସେଫ୍ ବିଜୟ ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ 'ଫ୍ଲୋର୍ ଟେଷ୍ଟ'ରେ ବିଜୟଙ୍କ ସରକାର ସପକ୍ଷରେ ୧୪୪ଟି ଭୋଟ୍ ପଡ଼ିଛି। ଏହି ବିଜୟ ସହ ରାଜ୍ୟରେ ବିଜୟଙ୍କ ନେତୃତ୍ୱାଧୀନ ସରକାର ନିଜର ସ୍ଥିତି ସୁଦୃଢ଼ କରିଛି।

AIADMK ରେ ବିଦ୍ରୋହ ଓ DMK ର ଓ୍ୱାକ୍-ଆଉଟ୍

ବିଧାନସଭାରେ ଭୋଟିଂ ସମୟରେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀ DMK ଦଳର ବିଧାୟକମାନେ ଗୃହରୁ ଓ୍ୱାକ୍-ଆଉଟ୍ କରିଥିଲେ। ଅନ୍ୟପଟେ, AIADMK ସାଧାରଣ ସମ୍ପାଦକ ଏଡାପାଡି କେ. ପାଲାନିସ୍ୱାମୀ (EPS) ସମସ୍ତ ୪୭ ବିଧାୟକ ସରକାର ବିରୋଧରେ ଭୋଟ୍ ଦେବେ ବୋଲି କହିଥିଲେ ମଧ୍ୟ ଦଳର ଏକ ବଡ଼ ବିଦ୍ରୋହୀ ଗୋଷ୍ଠୀ ପାର୍ଟି ହ୍ୱିପ୍ ଉଲ୍ଲଂଘନ କରି ବିଜୟଙ୍କୁ ସମର୍ଥନ କରିଛନ୍ତି। ବିଜୟଙ୍କ ସରକାର ବିରୋଧରେ ମାତ୍ର ୨୨ଟି ଭୋଟ୍ ପଡ଼ିଥିବା ବେଳେ ୫ ଜଣ ବିଧାୟକ ଭୋଟିଂରୁ ବିରତ ରହିଥିଲେ।

ମେଣ୍ଟ ରାଜନୀତିର ସଫଳତା

ବିଜୟଙ୍କୁ କଂଗ୍ରେସ (୫ ଆସନ), CPI, CPI(M), VCK ଏବଂ IUML ପରି ଦଳଗୁଡ଼ିକ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। AMMK ରୁ ବହିଷ୍କୃତ ବିଧାୟକ କାମରାଜ ମଧ୍ୟ ବିଜୟଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି। କାମରାଜ କହିଛନ୍ତି ଯେ, "ମୁଁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମର୍ଥନ କରୁଛି ଏବଂ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ସମର୍ଥନ ଜାରି ରହିବ। ବିଜୟ ସାରା ରାଜ୍ୟକୁ ସୁରକ୍ଷା ଦେବେ ବୋଲି ମୋର ବିଶ୍ୱାସ ଅଛି।"

EPS ଙ୍କ ସଙ୍ଗୀନ ଅଭିଯୋଗ

ଅନ୍ୟପଟେ EPS ବିଜୟଙ୍କ ସରକାର ଉପରେ ‘ହର୍ସ ଟ୍ରେଡିଂ’ ବା ବିଧାୟକ କିଣାବିକା ଅଭିଯୋଗ ଆଣିଛନ୍ତି। ବିଧାୟକମାନଙ୍କୁ ମନ୍ତ୍ରୀ ପଦ ଓ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ପଦ ପ୍ରଲୋଭନ ଦେଖାଯାଇଥିବା ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, "ଆମେ ଶତ୍ରୁ ନୁହେଁ, ବରଂ ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବେ କାମ କରିବାକୁ ଚାହୁଁ।"

ଇତିହାସ ରଚିଲା TVK

ତାମିଲନାଡୁରେ ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା DMK-AIADMK ର ଦ୍ୱିମୁଖୀ ରାଜନୀତିର ଅନ୍ତ ଘଟାଇ TVK ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତିରୁପତ୍ତୁର ବିଧାୟକ ଶ୍ରୀନିବାସ ସେଥୁପତି ଭୋଟିଂରେ ସାମିଲ ହୋଇନଥିଲେ ମଧ୍ୟ ବିଜୟଙ୍କ ସରକାର ସହଜରେ ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛି। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ବିଜୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣକାରୀ ଯୋଜନାକୁ ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି।