ଜୟପୁର,୦୮|୦୭: ଭିଜିଲାନ୍ସ ଜାଲରେ ଜୟପୁରର ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ । ଜଣେ ବାଲି ଲିଜଧାରୀଙ୍କ ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ ।

ରିପୋର୍ଟ ଅନୁସାରେ, ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ ଏକ ବାଲି ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଜଣାଇ ଦେଇଥିଲେ । ତେବେ ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏହା ପରେ ରାତି ଅଧିଆ ଜୟପୁର ସମେତ ରାୟଗଡା, କଟକର ବିଦ୍ୟାଧରପୁର ଓ ମାହାଙ୍ଗାର ଓଳକଣା ଘରେ ଏକକାଳୀନ ଚଢାଉ ହୋଇଛି ।

Also Read :- ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି

ରାୟଗଡା ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି। ରାତି ସୁଧା ୪ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଏସବୁ ସ୍ଥାନରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ମଧ୍ୟ ଟଙ୍କା ନେଇ ବେଆଇନ ବାଲି ଚାଲାଣ ପାଇଁ ଅନୁମତି ଦେବା ପରି ସାଂଘାତିକ ଅଭିଯୋଗ ତାଙ୍କ ନାଁରେ ରହିଛି।