ଲକ୍ଷ୍ନୌ: କାନ୍ଥର ବି କାନ ଥାଏ ଶୁଣିଥିବେ, ହେଲେ ଏଠି କାନ୍ଥ ଭିତରୁ ବିଡ଼ା ବିଡ଼ା ନୋଟ୍ ବାହାରୁଛି ! ଅବସରପ୍ରାପ୍ତ ଜୀବନ ବିତାଉଥିବା ଜଣେ ସରକାରୀ ବାବୁଙ୍କ ଘର । ବାହାରକୁ ସବୁ କିଛି ସାଧାରଣ ଲାଗୁଥିଲା, ହେଲେ ଯେତେବେଳେ ଭିଜିଲାନ୍ସ ଟିମ୍ ସର୍ଚ୍ଚ ୱାରେଣ୍ଟ ଧରି ଭିତରକୁ ପଶିଲା, ସେତେବେଳେ ଯାହା ଦେଖିଲା, ଆଖି ଖୋସି ହୋଇଗଲା ! ସିନ୍ଦୁକ, ଆଲମାରୀ ତ ଦୂରର କଥା, ଘରର କୋଣ ଅନୁକୋଣ ଏବଂ କାନ୍ଥ ଭିତରୁ ବାହାରିଲା କ୍ୟାଶ୍ ଆଉ କିଲୋ କିଲୋ ସୁନା !

ଲକ୍ଷ୍ନୌର ସେହି ଆଲୀଗଞ୍ଜ ବାସଭବନରେ ଯେମିତି କୁବେରଙ୍କ ଭଣ୍ଡାର ଲୁଚି ରହିଥିଲା । ପରିବହନ ବିଭାଗର ପୂର୍ବତନ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ଲଳିତ କୁମାରଙ୍କର ଏହି କଳା ସାମ୍ରାଜ୍ୟ ଉପରୁ ଯେତେବେଳେ ପରଦା ହଟିଲା, ସାରା ରାଜ୍ୟ ଚକିତ ହୋଇଗଲା ।

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଲଳିତ କୁମାରଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ଉତ୍ତର ପ୍ରଦେଶ ଭିଜିଲାନ୍ସ ବିଭାଗ ପକ୍ଷରୁ ଜୁଲାଇ ୭ ଏବଂ ୮ରେ ଚଢ଼ାଉ କରାଯାଇଥିଲା । ଦୁଇ ବର୍ଷ ପୂର୍ବେ ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଦୁର୍ନୀତି ମାମଲାରେ ହୋଇଥିବା ଚଢ଼ାଉ ହୋଇଥିଲା । ବିପୁଳ ପରିମାଣର ସୁନା, ରୁପା, ଅଳଙ୍କାର, ପ୍ଲଟ୍, ଘର ଏବଂ ଦୋକାନ ଦେଖି ଭିଜିଲାନ୍ସ ଦଳ ଆଶ୍ଚର୍ଯ୍ୟ ହୋଇଗଲା । ୧୩ କିଲୋ ସୁନା ଏବଂ ୯ କିଲୋ ରୁପା ଜବତ ହୋଇଛି । କେବଳ ସୁନା, ରୁପା ଏବଂ ନଗଦର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଭିଜିଲାନ୍ସ ଦଳ ଲଳିତଙ୍କ ବଙ୍ଗଳା, ପ୍ରାସାଦ, ଦୋକାନ, ଘର, ଫାର୍ମ ଏବଂ ଅନ୍ୟାନ୍ୟ ସମ୍ପତ୍ତି ସହିତ ଜଡିତ କାଗଜପତ୍ର ମଧ୍ୟ ପାଇଥିଲା । ପ୍ରାୟ ୧.୬୨ କୋଟି ଟଙ୍କା ନଗଦ, ବିଳାସପୂର୍ଣ୍ଣ ଯାନବାହାନ, ବିପୁଳ ପରିମାଣର ନିବେଶ କାଗଜପତ୍ର ଏବଂ ଅନେକ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ରେକର୍ଡ ମଧ୍ୟ ଜବତ କରାଯାଇଛି । ଜଣେ ଅବସରପ୍ରାପ୍ତ ପରିବହନ ବିଭାଗର ଅଧିକାରୀ ଏତେ ସମ୍ପତ୍ତି କିପରି କଲେ ତାହା ଅଧିକାରୀମାନେ ତଦନ୍ତ କରୁଛନ୍ତି । ଲଳିତ ଏହି ସୁନା, ରୁପା ଏବଂ ସମ୍ପତ୍ତି ତାଙ୍କ ବୈଧ ଆୟରୁ କିଣିଥିଲେ ନା ଦୁର୍ନୀତି ମାଧ୍ୟମରେ କରିଥିଲେ ଭିଜିଲାନ୍ସ ଏବେ ତାହା ତଦନ୍ତ କରୁଛି ।