ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ଏହି କଥା ଉପରେ ଆପତ୍ତି କରିଛନ୍ତି ଯେ ସେ କର୍ଣ୍ଣାଟକ ଶ୍ରୀଙ୍ଗେରୀ ବିଧାନସଭା ନିର୍ବାଚନମଣ୍ଡଳିର ୨୦୨୩ ଭୋଟ ଗଣନା ଭିଡିଓ ରେକର୍ଡିଂ ପାଉ ନାହାନ୍ତି, ଏଣୁ କୋର୍ଟ ଚେତାବନୀ ଦେଇଛନ୍ତି ଯେ ଇସିଆଇ ଯଦି ରେକର୍ଡ ଉପସ୍ଥାପନ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କ ବିରୋଧରେ ପ୍ରତିକୂଳ ନିଷ୍କର୍ଷ ଆସିବ। ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ‘ଇସିଆଇ କିପରି କହି ପାରିବେ ଯେ ତାଙ୍କ ରେକର୍ଡ ହଜି ଯାଇଛି?

କୋର୍ଟ କହିଛନ୍ତି ଯେ ଆପଣଙ୍କ ଦାୟିତ୍ୱ ନିର୍ବାଚନ କରିବା ଓ ଏଥି ଲାଗି ଆପଣଙ୍କୁ ଡକ୍ୟୁମେଣ୍ଟ ଦରକାର। ଏଥିରେ କହିବେ ଆମେ ଖୋଜିବାକୁ ଉଦ୍ୟମ କରୁଛୁ, ଏହା କିପରି ସମ୍ଭବ? ଆପଣଙ୍କ ପାଖରେ ଯାହାବି ଅଛି ଆଗାମୀ ତାରିଖ ସୁଦ୍ଧା ଉପସ୍ଥାପନ କରନ୍ତୁ। କୋର୍ଟ କହିଛନ୍ତି ଯେ ଆମେ ଏପରି ‘ତୁଛା ବାହାନା’ ସ୍ୱୀକର କରିପାରିବୁନି। ଆପଣଙ୍କ ବିରୋଧରେ ପ୍ରତିକୂଳ ନିଷ୍କର୍ଷ ବାହାରିବ ବୋଲି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ପୀଠ କହିଛନ୍ତି’।

କୋର୍ଟ ବୁଧବାର କଂଗ୍ରେସ ନେତା ଟି.ଡି.ରାଜେଗୌଡାଙ୍କ ପିଟିସନ ଉପରେ ଶୁଣାଣି କରିଛନ୍ତି। ରାଜେଗୌଡା ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଡି.ଏନ.ଜୀବରାଜଙ୍କୁ ୨୦୧ଟି ଭୋଟରେ ପରାସ୍ତ କରିଥିଲେ। ତେବେ ସେହି ନିର୍ବାଚନମଣ୍ଡଳିର ଡାକ ଭୋଟର ପୁନର୍ଗଣନା ପରେ ସେ ହାରି ଯାଇଥିଲେ। ତେବେ ରାଜଗୌଡା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଓ ୨୦୨୩ରେ ହୋଇଥିବା ମୁଳ ଭୋଟ ଗଣନା, ସେହିବର୍ଷ ମେ ମାସରେ ହୋଇଥିବା ପୁନର୍ଗଣନାର ଭିଡିଓ ରେକର୍ଡିଂ ଦାବି କରିଥିଲେ। ତେବେ କୋର୍ଟ ମୂଳ ଭୋଟ ଗଣନାର ଫୁଟେଜ ଖୋଜିବାରେ ନିର୍ବାଚନ କମିଶନଙ୍କ ଅକ୍ଷମତା ଲାଗି ତାଗିଦ୍ କରିଛନ୍ତି।

ଯେତେବେଳେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ଏହି ରେକର୍ଡ ଉପସ୍ଥାପନ କରିବା ଲାଗି ନିର୍ଦ୍ଦେଶ ଦେବାକୁ ପ୍ରସ୍ତାବ ରଖିଲେ ଆୟୋଗଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ଶେଷାଦ୍ରୀ ନାୟଡୁ ଏହି ଭିଡିଓ ମିଳି ପାରୁନଥିବା କହିଥିଲେ। ତେବେ ଓକିଲଙ୍କ ଏହି ତର୍କ ବେଞ୍ଚକୁ ସନ୍ତୁଷ୍ଟ କରିପାରି ନାହିଁ। ଏଣୁ କୋର୍ଟ ଆୟୋଗଙ୍କୁ ପରବର୍ତ୍ତି ଶୁଣାଣି ସୁଦ୍ଧା ଯାହା ବି ରେକର୍ଡ ଉପଲବ୍ଧ ଅଛି ତାକୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ୧୫ ଫେବୃଆରୀ ୨୦୨୭କୁ ଧାର୍ଯ୍ୟ ହୋଇଛି।

ନିଖୋଜ ଭିଡିଓ ଫୁଟେଜର ଗୁରୁତ୍ୱ ଏଥି ପାଇଁ ବଢି ଯାଇଛି କାରଣ ଡାକ ଭୋଟର ବିନିଯୋଗ ଓ ରାଜେଗୌଡାଙ୍କ ନିର୍ବାଚନ ବିଜୟକୁ ଓଲଟାଇ ଦେଇଥିବା ପ୍ରକ୍ରିୟାର ବୈଧତା ଉପରେ ଏବେ ଧ୍ୟାନ କେନ୍ଦ୍ରିତ ହୋଇଛି। ସୁପ୍ରିମକୋର୍ଟ ଗତ ମେ ମାସରେ ନିର୍ବାଚନ ଆୟୋଗଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରା ଆଦେଶ ଦିଆଯାଇଥିବା ପୁନର୍ଗଣନା ସମ୍ପର୍କିତ ପ୍ରାସଙ୍ଗିକ ରେକର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା ସବୁ ପଦକ୍ଷେପ ଉପରେ ପରବର୍ତ୍ତି ଯାଞ୍ଚ ପର୍ଯ୍ୟନ୍ତ ରୋକ ଲଗାଇ ଦେଇଥିଲେ।

ଏହି ବିବାଦ କର୍ଣ୍ଣାଟକ ହାଇକୋର୍ଟରେ ଜୀବରାଜଙ୍କ ଦ୍ୱାରା ରୁଜୁ ଏକ ନିର୍ବାଚନୀ ପିଟିସନ ଯୋଗୁ ଉପୁଜିଛି, ଯେଉଁଥିରେ ସେ ରାଜେଗୌଡାଙ୍କ ବିଜୟକୁ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ୬ ଏପ୍ରିଲ ୨୦୨୬ରେ ଡାକ ଭୋଟର ପୁନର୍ଗଣନା ଆଦେଶ ଦେଇଥିଲେ। ଏଥିରେ ମୂଳ ଭୋଟଗଣନା କାଳରେ ରଦ୍ଦ ୨୭୯ ଭୋଟର ପୁନଃ ସତ୍ୟାପନ ମଧ୍ୟ ସାମିଲ ଥିଲା। ତେବେ ରାଜେଗୌଡା ମାମଲାରେ ସୁପ୍ରିମକୋର୍ଟକୁ ଯାଇଥିଲେ ଓ ଅଭିଯୋଗ କରିଥିଲେ ଯେ ରିଟର୍ଣ୍ଣିଂ ଅଫିସର ପୂର୍ବରୁ ବୈଧ ସ୍ୱୀକାର ହୋଇଥିବା ଡାକ ଭୋଟକୁ ଯାଞ୍ଚ କରି ହାଇକୋର୍ଟଙ୍କ ଆଦେଶ ବାହାରେ କାମ କରିଛନ୍ତି।

ସୁପ୍ରିମକୋର୍ଟ ୧୧ ମେର ଏକ ଆଦେଶରେ କହିଛନ୍ତି ଯେ ରିଟର୍ଣ୍ଣିଂ ଅଧିକାରୀ ନା କେବଳ ଖାରଜ ହୋଇଥିବା ୨୭୯ ଡାକ ଭୋଟକୁ ପୁନଃ ସତ୍ୟାପିତ କରିଛନ୍ତି ବରଂ ପୂର୍ବରୁ ବୈଧ ଘୋଷିତ ୧,୨୫୧ ଅନ୍ୟ ଡାକ ଭୋଟ ମଧ୍ୟ ଯାଞ୍ଚ କରିଛନ୍ତି। କୋର୍ଟ ଦେଖିବାକୁ ପାଇଛନ୍ତି ଯେ ପ୍ରକ୍ରିୟା ହାଇକୋର୍ଟଙ୍କ ନିର୍ଦ୍ଦେଶ ବାହାରକୁ ଯାଉଥିବା ପରି ମନେ ହେଉଛି ଓ ରିଚର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡିକ ଆପାତତଃ ଆଧାରହୀନ ଥିଲା। ମେ ଆରମ୍ଭରେ ହୋଇଥିବା ପୁନର୍ମତ ଗଣନାରେ ରାଜେଗୌଡାଙ୍କ ସପକ୍ଷ ପୂର୍ବରୁ ଗଣତି ହୋଇଥିବା ୨୫୫ ଭୋଟ ଅମାନ୍ୟ ଘୋଷିତ କରାଯାଇଥିଲା। ଏଥିରେ ଜୀବରାଜଙ୍କ ପଟରେ ୨ଟି ଭୋଟ ଯୋଡା ଯାଇଥିଲା। ସଂଶୋଧିତ ଗଣତି ଅନୁସାରେ ବିଜେପି ପ୍ରାର୍ଥୀଙ୍କୁ ୫୨ଟି ଭୋଟରେ ବିଜୟୀ ଘୋଷଣା କରିଦିଆଯାଇଥିଲା।

ମେ ମାସରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ରାଜେଗୌଡାଙ୍କୁ ବିଧାୟକ ହେବାକୁ ଅନୁମତି ମିଳିଯାଇଥିଲା, ହେଲେ କୋର୍ଟ ପୁନର୍ଗଣନାର ବୈଧତା ଯାଞ୍ଚ କରିବା ସହ ଏହି ପ୍ରକ୍ରିୟାରେ ନିଆଯାଇଥିବା ସବୁ ପଦକ୍ଷେପ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।