ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ମୁଖ୍ୟ ଅଭିଜିତ୍ ଦୀପକେ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆମେରିକୀୟ କଣ୍ଠଶିଳ୍ପୀ ମେରି ମିଲବେନ୍ । ସେ ଅଭିଯୋଗ କରିଛନ୍ତି ଯେ ଦୀପକେଙ୍କୁ ଆମେରିକାକୁ ଫଣ୍ଡିଂ ହେଉଛି । ସେ କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କାମ କରୁଥିବା ଲୋକ ତାଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି । ତେବେ ସେ କୌଣସି ଦାତାଙ୍କ ନାଁ ନେଇ ନାହାନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେରି ମିଲବେନଙ୍କ ବୟାନ ଏପରି ସମୟରେ ଆସିଛି, ଯେତେବେଳେ ସିଜେପି ଦିଲ୍ଲୀରେ ଆନ୍ଦୋଳନ ପାଇଁ ଚେତାବନୀ ଦେଉଛି । କଟକଣା ସତ୍ତ୍ୱେ ଜନ୍ତରମନ୍ତର ଭିତରେ ପଶି ଧାରା ୧୬୩ର ଉଲ୍ଲଂଘନ ମାମଲାରେ ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ବୁଧବାର ପାଞ୍ଚ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଯାଇଛି ।

ଆମେରିକୀୟ କଣ୍ଠଶିଳ୍ପୀ କହିଛନ୍ତି, ଭାରତର ସମସ୍ତ ଯୁବ ଦେଶଭକ୍ତଙ୍କ ପାଇଁ । ଏହି ସମୟ ଚୁପ୍ ରହିବାର ନୁହେଁ । ଅଭିଜିତ୍ ଦୀପକେ ଏବଂ କକ୍ରୋଚ ଜନତା ପାର୍ଟିକୁ ଆମେରିକାର ପୁଞ୍ଜିପତି ପାଣ୍ଠି ଯୋଗାଉଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଛନ୍ତି । ଭାରତରେ ୨୫ ବର୍ଷ ସେବା କରିଥିବା ବ୍ୟକ୍ତି, ୧୨ ବର୍ଷ ପ୍ରଧାନମନ୍ତ୍ରୀ ଏବଂ ତିନି ଥର ନିର୍ବାଚିତ ଆପଣଙ୍କ ପ୍ରଧାନମନ୍ତ୍ରୀ ମୋ ଦେଶର ବିଭାଜନକାରୀ ଶକ୍ତି ଆଗରେ ନଇଁବେ ନାହିଁ ।

 

ସେ ଜୋର ଦେଇ ଲେଖିଛନ୍ତି, କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତି ଦୁନିଆରେ କଞ୍ଜରଭେଟିବ୍ ନେତାଙ୍କୁ ଟାର୍ଗେଟ୍ କରିବା ପାଇଁ ସେହି ଦେଶର ଏପରି କିଛି ଯୁବକଙ୍କୁ ଖୋଜନ୍ତି ଯେଉଁମାନେ ଆମେରିକାରେ ପଢ଼ିଥିବେ । ସେମାନଙ୍କୁ କଟ୍ଟର କରିବା, ନିଜ ଦେଶକୁ ପଠାଇବା ଏବଂ ଅରାଜକତା ପାଇଁ ପାଣ୍ଠି ଦେବା ଏକ ପ୍ୟାଟର୍ଣ୍ଣ ପାଲଟିଛି । ଏ ପର୍ଯ୍ୟନ୍ତ ଏଥିରେ କେହି ବି ସଫଳ ହୋଇନାହିଁ କିନ୍ତୁ ଦେଶର ବିକାଶ ଏବଂ ଶାସନ ଉପରେ ପ୍ରଭାବ ପକାଇଥାଏ ।

ମେରି ମିଲବେନ୍ ଭାରତୀୟ ଯୁବପିଢ଼ିଙ୍କୁ ଗଣତନ୍ତ୍ର ଏବଂ ସ୍ୱାଧୀନତାର ରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି । ସେ ଭାରତରେ ଜନ୍ମିତ, ପାଳିତ ଏବଂ ଶିକ୍ଷିତ ଏକ ନୂତନ ସ୍ୱର ଉଠିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତାଙ୍କ ମତରେ, ଯୁବକମାନେ ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କର ମତାମତ ପ୍ରକାଶ କରିବା ଉଚିତ ଏବଂ ଦେଶର ସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପକୁ ବିରୋଧ କରିବା ଉଚିତ ।

ମେରି ମିଲବେନ କିଏ ?

ମେରି ମିଲବେନ ଜଣେ ଆମେରିକୀୟ ଗାୟିକା ଏବଂ ଅଭିନେତ୍ରୀ । ଭାରତରେ ସେ ଜାତୀୟ ସଙ୍ଗୀତ "ଜନ ଗଣ ମନ" ଏବଂ ଭକ୍ତି ଗୀତ "ଓମ୍ ଜୟ ଜଗଦୀଶ ହରେ"ର ପରିବେଷଣ ପାଇଁ ବିଶେଷ ଭାବରେ ପରିଚିତ । ସେ ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ ସଙ୍ଗୀତ ଗାଇଥିଲେ । ମିଲବେନ ତାଙ୍କର ଗୀତ ଗାଇବା ଏବଂ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଭାରତୀୟଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସହିତ ଜଡିତ ପ୍ରସଙ୍ଗ ଉପରେ ଅନେକ ସମୟରେ ମତାମତ ରଖନ୍ତି । ଏଥର ସିଜେପି ଏବଂ ଆମେରିକା ପାଣ୍ଠି ଅଭିଯୋଗ ଉପରେ ତାଙ୍କର ମନ୍ତବ୍ୟ ଏକ ନୂତନ ରାଜନୈତିକ ବିତର୍କ ସୃଷ୍ଟି କରିଛି।