ୱାସିଂଟନ: ହ୍ୱାଇଟହାଉସ୍ ପ୍ରେସ୍ ସେକ୍ରେଟାରୀ କେଟି ଜକାରିୟାଙ୍କୁ ତାଙ୍କ ଦାୟିତ୍ୱ ଗ୍ରହଣର ୫ ଦିନ ପରେ ହଟାଇ ଦିଆଯାଇଛି। ଜକାରିୟା ପ୍ରେସ ସେକ୍ରେଟାରୀ ଭାବେ ତାଙ୍କ ଯୋଜନା ସମ୍ପର୍କରେ ‘ଦି ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’କୁ ସାକ୍ଷାତାକର ଦେଉଥିଲେ, ସେତେବେଳେ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ମିଲର ତାଙ୍କ ପାଖକୁ ଆସି ସାକ୍ଷାତକାରକୁ ରୋକିଥିଲେ ଓ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସଙ୍କ ସହ କଥା ହେବାକୁ ଜକାରିୟାଙ୍କୁ କହିଥିଲେ। ଏହାର କିଛି ସମୟ ପରେ ଜକାରିୟାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି।

ଏହି ସମୟରେ ହେଲିପ୍ୟାଡରେ ଗଣମାଧ୍ୟମ ସହ ଆଲୋଚନାରେ ଟ୍ରମ୍ପ ଜକାରିୟାଙ୍କୁ ଏହି ପଦବୀ ସମ୍ପର୍କରେ ବିଚାର କରିବାକୁ କହିଥିବା ସୂଚିତ କରିଛନ୍ତି। ଟ୍ରମ୍ପ କହିଛନ୍ତି ମୁଁ ପଚାରିଥିଲି କେଟି ଏହା ଆପଣଙ୍କ ଲାଗି ଉଚିତ କି? ସତ କହିବାକୁ ଗଲେ ଆପଣଙ୍କୁ ଏହାର ଆବଶ୍ୟକତା ନାହିଁ। ଯଦି ମୁଁ ତୁମ ଜାଗାରେ ଥାଆନ୍ତି ତେବେ ଏହି ଚାକିରିକୁ ନେଇ ଦ୍ୱିତୀୟବାର ଚିନ୍ତା କରିଥାନ୍ତି। ତେବେ ପ୍ରେସ ସେକ୍ରେଟାରୀ ଭାବେ କେଟି ଜକାରିୟାଙ୍କ ୫ ଦିନ ବେଶ୍ ଉଠାପକା ଥିଲା। ତାଙ୍କର ପ୍ରଥମ ଅଧିକାରୀକ ପ୍ରେସ୍ ବ୍ରିଫିଙ୍ଗ ଗଣମାଧ୍ୟମ ଲାଗି ନିରାଶାଜନକ ଥିଲା।

ତେବେ ଜକାରିୟା ପ୍ରେସ୍ ସେକ୍ରେଟାରୀ ହେବା ପୂର୍ବରୁ ଦୀର୍ଘ ସମୟ ଧରି ଓକିଲ ଭାବେ କାମ କରିଥିବାର ଦାବି କରିଥିଲେ। ହେଲେ ପରେ ରିପୋର୍ଟସରୁ ଜଣାପଡିଲାଯେ ସେ ଆମେରିକା ଅଥବା ଚୀନରେ କେବେ ବାର ପରୀକ୍ଷା ଉତୀର୍ଣ୍ଣ ହୋଇନଥିଲେ। ତେବେ ଜକାରିୟା ତାଙ୍କ ନିଯୁକ୍ତିକୁ ବଞ୍ଚାଇବା ପାଇଁ ୫ ଦିନରେ ଅନେକଥର ଫକ୍ସ ନ୍ୟୁଜରେ ଆସି ନିଜକୁ ସୁରକ୍ଷିତ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହା ମଧ୍ୟ ତାଙ୍କ ପକ୍ଷରେ ଯାଇ ନାହିଁ। ପଦରୁ ହଟିବା ପରେ ଜକାରିୟା ଟେଲିଫୋନରେ ୱାଲଷ୍ଟ୍ରିଚ୍ ଜର୍ଣ୍ଣାଲକୁ ଏକ ସାକ୍ଷାତକାର ଦେଇ ତାଙ୍କ ଉଦ୍ଦେଶ୍ୟ ସମ୍ପର୍କରେ କହିଛନ୍ତି।

ଏଥିରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକା ଜନତାଙ୍କୁ ନିଜର ପୁରା କ୍ଷମତାରେ ସେବା ଦେବା ପାଇଁ ଚାହୁଁଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ପାଖରେ ଥିବା ସୀମିତ ସମୟ ଓ ସୂଚନା ସହିତ ଏକ ଭଲ ପ୍ରେସ୍ ବ୍ରିଫିଙ୍ଗ ଆୟୋଜନ କରିବାକୁ ପୁରା ଚେଷ୍ଟା କରିଥିଲି। ତେବେ ଗଣମାଧ୍ୟମ ମୋତେ ସ୍ୱୀକାର କରି ନାହାନ୍ତି ଓ ପ୍ରେସ ବ୍ରିଫିଙ୍ଗକୁ ଫିକା ବୋଲି କହିଛନ୍ତି। ହେଲେ ହ୍ୱାଇଟହାଉସ୍ ପକ୍ଷରୁ ଜାରି ବୟାନରେ ଜକାରିୟାଙ୍କ ଛଟେଇ ଅଟକଳକୁ ଖାରଜ କରାଯାଇଛି। କୁହାଯାଇଛି ସେ ଟ୍ରମ୍ପ ପ୍ରଶାସନରେ ଏକ ନୂଆ ଦାୟିତ୍ୱ ତୁଲାଇବେ, ଏଥି ପାଇଁ ଖୁବ୍ ଶୀଘ୍ର ଘୋଷଣା କରାଯିବ।