ନୂଆଦିଲ୍ଲୀ: ଆମେରିକାର ନେଭାଡାସ୍ଥିତ ଗୁପ୍ତ ସାମରିକ ଘାଟି 'ଏରିଆ ୫୧'ରେ ଏଲିଅନ ଥିବା ନେଇ ଦାବି ହୋଇଆସୁଛି । କିନ୍ତୁ ଏଥିରେ କେତେ ସତ୍ୟତା ଅଛି ତାର ପ୍ରମାଣ ନାହିଁ। ଏହାରି ମଧ୍ୟରେ ଆମେରିକାର ଜଣେ ପୂର୍ବତନ ସେନା ଅଧିକାରୀ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ଏରିଆ ୫୧ ନିକଟ ଏକ ସୁଡ଼ଙ୍ଗରେ ସରୀସୃପ ଭଳି ଦେଖାଯାଉଥିବା ୩ଟି ଜୀବଙ୍କ ସହିତ ଆମେରିକାର ସ୍ପେଶାଲ ଫୋର୍ସର ଲଢ଼େଇ ହୋଇଥିଲା ।  ନିକ୍ ବେଟ୍ସ ନାମକ ପୂର୍ବତନ ସେନା ଅଧିକାରୀ ଏକ ପଡକାଷ୍ଟରେ ଏହି ଦାବି କରିଛନ୍ତି । ଯଦିଓ ସେ ଏହି ଲଢ଼େଇ ଦେଖିନାହାନ୍ତି, କିନ୍ତୁ ପୋଲାଣ୍ଡର ଜଣେ ସୈନିକଙ୍କ ପାଖରୁ ଶୁଣିଥିବା କଥା କହିଛନ୍ତି ।

​‌ସେ କହିଛନ୍ତି,  ଏକ ଭୂତଳ ଘାଟିରୁ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ସେହି ସ୍ଥାନକୁ ଏକ ସ୍ୱତନ୍ତ୍ର ସୈନ୍ୟ ଦଳକୁ ପଠାଯାଇଥିଲା । ସେମାନଙ୍କୁ 'ଡାଇରେକ୍ଟେଡ୍-ଏନର୍ଜି' ଅସ୍ତ୍ରଶସ୍ତ୍ର ଦିଆଯାଇଥିଲା। ସୁଡ଼ଙ୍ଗ ଭିତରେ ସେମାନଙ୍କର ସାମ୍ନା ଦୁଇ ଗୋଡ଼ରେ ଚାଲୁଥିବା ଏବଂ ଅସ୍ତ୍ରଶସ୍ତ୍ର ଚଳାଇବାରେ ସକ୍ଷମ କେତେକ ବିଚିତ୍ର ଜୀବଙ୍କ ସହ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା । ସେପଟେ ସେହି ୩ଟି ବିଚିତ୍ର ଜୀବଙ୍କ ମୃତ୍ୟୁ ହୋଇଥିଲା । ବେଟ୍ସ ଦାବି କରିଛନ୍ତି ଯେ, ଘଟଣାକୁ ଗୋପନ ରଖିବା ପାଇଁ ସୈନିକଙ୍କ ମୃତଦେହକୁ ସେହିଠାରେ ହିଁ ଜାଳି ଦିଆଯାଇଥିଲା । 

ସେପଟେ ତାଙ୍କର ଏହି ଦାବିର କୌଣସି ସତ୍ୟତା ଅଛି କି ନାହିଁ, ତାର ପ୍ରମାଣ ନାହିଁ । ବେଟ୍ସ ନିଜେ ସ୍ୱୀକାର କରିଛନ୍ତି ଯେ ଯେଉଁ ବ୍ୟକ୍ତି ତାଙ୍କୁ ଏହି କାହାଣୀ ଶୁଣାଇଥିଲେ ସେ ମଦ୍ୟପାନ କରିଥିଲେ। ପେଣ୍ଟାଗନ୍, ଆମେରିକା ସେନା ଏବଂ ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏଲିଅନ ସଦୃଶ କୌଣସି ଜୀବର ଅସ୍ତିତ୍ୱ ନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। 'ଏରିଆ ୫୧' କେବଳ ଆମେରିକା ସେନାର ଅତ୍ୟାଧୁନିକ ବିମାନ ଏବଂ ଗୁପ୍ତ ପ୍ରଯୁକ୍ତିବିଦ୍ୟାର ପରୀକ୍ଷଣ ପାଇଁ ବ୍ୟବହୃତ ହୁଏ ।