ଇସଲାମାବାଦ: ପାକିସ୍ତାନୀ ସେନା ମୁଖ୍ୟଙ୍କୁ ଅଜସ୍ର କ୍ଷମତା ମିଳିବାକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ଫଜଲୁର ରହମାନ  । ସେ କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଜୋର ଦେଇଛନ୍ତି । ତାଙ୍କ ମତରେ, ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସେନା ନିଜ ନିଜର ସାମ୍ବିଧାନିକ ସୀମା ମଧ୍ୟରେ ରହି କାର୍ଯ୍ୟ କଲେ ହିଁ, ଦେଶରେ ନିୟନ୍ତ୍ରଣ ବଜାୟ ରହିବ । ସେନାକୁ ଇଙ୍ଗିତ କରି ସେ କହିଛନ୍ତି, ଯେଉଁ ଗୋଷ୍ଠୀ ନିଜ କାନ୍ଧରେ ଅଧିକରୁ ଅଧିକ କ୍ଷମତା ବୋଝ ଲଦି ହେଉଛନ୍ତି, ସେମାନେ ଖୁବଶୀଘ୍ର ଅତ୍ୟଧିକ ଚାପରେ ଚୂନା ହୋଇଯିବେ ।

ଜାମିଆତ୍ ଉଲେମା-ଏ-ଇସଲାମ୍-ଫାଜଲର ମୁଖ୍ୟ ଫଜଲୁର ରହମାନ ସେନା ଏବଂ ରାଜନୈତିକ କ୍ଷମତା ହାତେଇଥିବା ଶାସକ ଗୋଷ୍ଠୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପଞ୍ଜାବର ମୁଲତାନ୍ ଜିଲ୍ଲାରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧିତ କରି ସେ ଦେଶରେ ଚାଲିଥିବା ବିଧି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରୀ ଅକ୍ଟୋବର ୧୧ ରେ ଖାଇବର ପାଖତୁନଖ୍ୱା ପ୍ରଦେଶରେ ଇମ୍ରାନ ଖାନଙ୍କ ଦଳର ସରକାରକୁ ହଟାଇ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। 

ଏହାକୁ ଗଣତନ୍ତ୍ର ଉପରେ ଏକ ବଡ଼ ଆକ୍ରମଣ ବୋଲି କହିଛନ୍ତି ଫଜଲୁର ରହମାନ  । ସେ ଗଣତାନ୍ତ୍ରିକ ଉପାୟରେ ଏହାର ବିରୋଧ କରିବାକୁ ସଂକଳ୍ପ ନେଇଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି, ଶାହବାଜ ସରିଫ ସରକାରଙ୍କ ପାଖରେ ଜନମତ ନାହିଁ । ସେ ଏହାକୁ ଏକ ‘ନକଲି ସରକାର’ ବୋଲି କହିବା ସହ ପାକିସ୍ତାନ ପିପୁଲ୍ସ ପାର୍ଟିର ଗଣତାନ୍ତ୍ରିକ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ, ଫଜଲୁର ରହମାନଙ୍କ ଏହି ମନ୍ତବ୍ୟକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ୍ ନୱାଜ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଜେନେରାଲ ସିମ୍ ମୁନୀରଙ୍କୁ ନେଇ ରହମାନଙ୍କ ମନ୍ତବ୍ୟ ପାକିସ୍ତାନୀଙ୍କ ହୃଦୟକୁ ଆଘାତ ପହଞ୍ଚାଇଛି। ଖାଇବର ପାଖତୁନଖ୍ୱାରେ ହୋଇଥିବା କୁଶାସନ ଏବଂ ଦୁର୍ନୀତି ପାଇଁ ଦାୟୀ ଲୋକଙ୍କୁ ରହମାନ ସମର୍ଥନ କରୁଛନ୍ତି ବୋଲି ମରିୟମ୍ ଅଭିଯୋଗ କରିଛନ୍ତି।