ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଉତ୍ତର ପ୍ରଦେଶର ପବିତ୍ର ସହର ଅଯୋଧ୍ୟାରେ ଜମି କିଣିଛନ୍ତି। ଗତ ଜାନୁଆରୀ ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସେ 'ଦ ସରୟୂ' ପ୍ରକଳ୍ପରେ ପ୍ରଥମେ ୧୦,୦୦୦ ବର୍ଗଫୁଟର ଜମି କିଣିଥିଲେ। ଏହାପରେ ସେ ସେଠାରେ ନିଜର ସମ୍ପତ୍ତି ବଢ଼ାଇ ଚାଲିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ 'ଦ ହାଉସ୍ ଅଫ୍ ଅଭିନନ୍ଦନ ଲୋଧା'ର ପ୍ରତିଷ୍ଠାତା ଅଭିନନ୍ଦନ ଲୋଧା, ଅମିତାଭ କିଭଳି ଜମି କିଣିଥିଲେ ସେନେଇ କହିଛନ୍ତି । 

ରାତି ୩ଟାରେ ଅମିତାଭଙ୍କ ଫୋନ୍ କଲ୍
ଅଭିନନ୍ଦନ ଲୋଧା ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ୨୦୨୩ ମସିହାରେ ସେ ଯେତେବେଳେ ଅଷ୍ଟ୍ରେଲିଆରେ ଥିଲେ, ସେଠାକାର ସମୟ ରାତି ପ୍ରାୟ ୩ଟା ବେଳେ ତାଙ୍କ ଫୋନ୍‌କୁ କିଛି ମିସ୍‌ଡ କଲ୍ ଆସିଥିଲା। ଏହାପରେ ଏକ ମେସେଜ୍ ଆସିଲା, ଯେଉଁଥିରେ ଲେଖାଥିଲା- "ମୁଁ ଅମିତାଭ ବଚ୍ଚନ କହୁଛି, ସମୟ ହେଲେ ଫୋନ୍ କରିବେ।" ଏହା ଦେଖି ଲୋଧା ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ତାଙ୍କୁ ଫୋନ୍ କରିଥିଲେ।

ଫୋନ୍‌ରେ କଥା ହେବା ବେଳେ ଅମିତାଭ କହିଥିଲେ, ‘ଅଭିନନ୍ଦନ ଜୀ, ମୁଁ ଉତ୍ତର ପ୍ରଦେଶର ବାସିନ୍ଦା ଏବଂ ମୁଁ ପବିତ୍ର ଅଯୋଧ୍ୟା ନଗରୀରେ ଜମି କିଣିବାକୁ ଚାହୁଁଛି।’ ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ହେଉଛି ଉତ୍ତର ପ୍ରଦେଶର ପ୍ରୟାଗରାଜ।

ଗୋଟିଏ ଦିନରେ ଦେଲେ ୧୫ କୋଟି
ଲୋଧାଙ୍କ କହିବା ଅନୁସାରେ, ଅମିତାଭ ପ୍ରାୟ ୧୫,୦୦୦ ବର୍ଗଫୁଟ ଜମି ଚାହୁଁଥିଲେ। ଯେତେବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି କୁହାଗଲା, ସେ ବିନା କୌଣସି ଦ୍ବିଧରାରେ ପରଦିନ ହିଁ ୧୫ କୋଟି ଟଙ୍କା ପଠାଇ ଡିଲ୍‌ ପକ୍କା କରିଦେଇଥିଲେ। ଅମିତାଭ ବଚ୍ଚନ ଅଯୋଧ୍ୟାରେ ନିଜର ସାମ୍ରାଜ୍ୟ ବହୁତ ବଢ଼ାଇ ସାରିଛନ୍ତି । 'ଦ ସରୟୂ' ପ୍ରକଳ୍ପରେ ୧୦,୦୦୦ ବର୍ଗଫୁଟର ପ୍ଲଟ୍ ପ୍ରଥମେ କିଣିଥିଲେ ବିଗ୍‌ ବି। ପରେ ନିଜ ପିତାଙ୍କ ସ୍ମୃତିରେ ଗଠିତ 'ହରିବଂଶ ରାୟ ବଚ୍ଚନ ମେମୋରିଆଲ୍ ଟ୍ରଷ୍ଟ' ଆନୁକୂଲ୍ୟରେ ରାମ ମନ୍ଦିରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏକ ବିଶାଳ ୫୪,୪୫୪ ବର୍ଗଫୁଟର ଜମି କିଣିଥିଲେ ଅମିତାଭ ।

ସେହିଭଳି ଗତ ମାର୍ଚ୍ଚ ୨୦୨୬ରେ ସେ ଅଯୋଧ୍ୟାର ତିହୁରା ମାଝା ଅଞ୍ଚଳରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ ୨.୬୭ ଏକରର ଆଉ ଏକ ବିରାଟ ଜମି ନିଜ ନାମରେ କରିଛନ୍ତି। କେବଳ ଅମିତାଭ ବଚ୍ଚନ ନୁହନ୍ତି, ବଲିଉଡର ଅନ୍ୟତମ ଆଗଧାଡ଼ିର ଅଭିନେତା ରଣବୀର କପୁର ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିବେଶ କରିଛନ୍ତି। ରଣବୀର 'ଦ ହାଉସ୍ ଅଫ୍ ଅଭିନନ୍ଦନ ଲୋଧା'ର ସେହି ପ୍ରିମିୟମ୍ 'ଦ ସରୟୂ' ପ୍ରକଳ୍ପରେ ପ୍ରାୟ ୩.୩୧ କୋଟି ଟଙ୍କା ଖର୍ଚ୍ଚ କରି ୨,୧୩୪ ବର୍ଗଫୁଟର ଏକ ପ୍ଲଟ୍ କିଣିଛନ୍ତି।