ନୂଆଦିଲ୍ଲୀ: ବଲିଉଡ୍ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ବଲିଉଡ୍ ଏବଂ ଟେଲିଭିଜନ ଅଭିନେତା ମୁସ୍ତାକ୍ ଖାନଙ୍କ ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗ ସହ ସଂଗ୍ରାମ କରୁଥିଲେ । ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସିନେମା ଜଗତ ଏବଂ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।

ଦୀର୍ଘ ଦିନରୁ କ୍ୟାନ୍ସର ସହ ଲଢ଼ୁଥିଲେ

ମିଳିଥିବା ସୂଚନା ଅନୁସାରେ, ମୁସ୍ତାକ୍ ଖାନ ଗମ୍ଭୀର ଲିଭର କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦୀର୍ଘ ଦିନରୁ ତାଙ୍କର ଚିକିତ୍ସା ଚାଲିଥିଲା । ଗତ ୧୫ ଦିନ ହେବ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡର ଅନେକ କଳାକାର ଏବଂ ତାଙ୍କ ଶୁଭେଚ୍ଛୁମାନେ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଅନେକ ସୁପରହିଟ୍ ଫିଲ୍ମରେ କରିଥିଲେ କାମ

ମୁସ୍ତାକ୍ ଖାନ ବଲିଉଡ୍ର ଅନେକ ସଫଳ ଓ ଜଣାଶୁଣା ଫିଲ୍ମରେ ନିଜର ଦମଦାର ଅଭିନୟ ଏବଂ କମେଡି) ଭୂମିକା ପାଇଁ ପରିଚିତ ଥିଲେ । ସେ 'ୱେଲକମ୍', 'ୱେଲକମ୍ ବ୍ୟାକ୍', ଆଶିକୀ, ହମ୍ ହୈ ରାହି ପ୍ୟାରକେ, ମୁଝସେ ସାଦି କରୋଗି, ଗଦର-୨, ବଧାଇ-୨, ସ୍ତ୍ରୀ-୨ ଭଳି ଅନେକ ବଡ଼ ବଡ଼ ସିନେମାରେ ଚରିତ୍ର ଅଭିନେତା ଭାବେ କାମ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । 'ୱେଲକମ୍' ଫିଲ୍ମରେ ତାଙ୍କର "ବଲ୍ଲୁ" ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

ତାଙ୍କର ଅକାଳ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ସଫଳ ଏବଂ ସରଳ ଅଭିନେତାଙ୍କୁ ହରାଇଲା । ସିନେପ୍ରେମୀ ଏବଂ ବଲିଉଡର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛନ୍ତି ।