ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସ୍ୱର୍ଣ୍ଣାଳଙ୍କାର ବଜାରରେ ଗୁରୁବାର ସୁନା ମୂଲ୍ୟରେ ୧,୬୦୦ ଟଙ୍କା ହ୍ରାସ ଦେଖା ଯାଇଛି। ଫଳରେ ୧୦ ଗ୍ରାମ ପିଛା ଦର ୧,୫୨,୦୦୦ ଟଙ୍କାକୁ ଖସି ଆସିଛି। ସୁନା ଦରରେ ଏହା ଚତୁର୍ଥ ଲଗାତାର ହ୍ରାସ। ଅଶୋଧିତ ତୈଳ ଦର ବୃଦ୍ଧି ସାଙ୍ଗକୁ ଆମେରିକୀୟ ଡଲାର ମଜଭୁତ ହେବାର ପ୍ରଭାବ ଏହି ମୂଲ୍ୟବାନ ଧାତୁ ଉପରେ ପଡିଛି। ବ୍ୟବସାୟୀଙ୍କ ଅନୁସାରେ ୯୯.୯% ସୁଦ୍ଧ ସୁନା ବୁଧବାରର କ୍ଲୋଜିଂ ଦର ପ୍ରତି ୧୦ ଗ୍ରାମ ୧,୫୪,୦୦୦ରୁ ୧,୬୦୦ ଟଙ୍କା ହ୍ରାସ ହୋଇ ୧,୫୨,୪୦୦ ଟଙ୍କାକୁ ଖସି ଆସିଛି।

କେବଳ ସୁନା ନୁହେଁ ରୁପା ଦର ମଧ୍ୟ ହ୍ରାସ ହୋଇଛି। ଗତ ଦୁଇଟି ବ୍ୟବସାୟୀକ ଅଧିବେଶନରେ ଦର ସ୍ଥିର ରହିବା ପରେ ରୁପା ୫,୦୦୦ ଟଙ୍କା ହ୍ରାସ ହୋଇ କେଜି ପିଛା ୨ଲକ୍ଷ ୩୭ ହଜାର ଟଙ୍କାକୁ ପହଞ୍ଚି ଯାଇଛି। ଗତ ବ୍ୟବସାୟିକ ଅଧିବେଶନରେ ରୂପା କେଜି ପିଛା ୨ଲକ୍ଷ ୪୨,୦୦୦ ଟଙ୍କା ଦରରେ କାରବାର ହେଉଥିଲା। ବ୍ୟବସାୟୀଙ୍କ ଅନୁସାରେ ଲୋକେ ସୁନା ବିକୁଥିବାରୁ ଏପରି ମୂଲ୍ୟ ହ୍ରାସ ଦେଖାଦେଇଛି। ଏହି ଦରହ୍ରାସକୁ ବ୍ୟବସାୟୀ ଦୁର୍ବଳ ବୈଶ୍ୱିକ ସଂକେତ ଓ ଉପର ମୁଣ୍ଡରେ ଲାଭ ଆଦାୟ କୁ ଦାୟି କରୁଛନ୍ତି। ତେବେ ରୁପା ଦର ଉପରେ ସବୁଠୁ ଅଧିକ ପ୍ରଭାବ ପଡିଛି। କାରଣ ରୂପେ ଦର ଅଧିକାଂଶ ସମୟ ତଳ ଉପର ହେଉଥାଏ।

ରୁପାର ଔଦ୍ୟୋଗିକ ଚାହିଦା ରହୁଥିବାରୁ ବିକ୍ରି ଚାପ ବଢି ଯାଇଛି। ଏଣୁ ଗୁରୁବାର କାରବାର ଶେଷ ବେଳକୁ ରୁପା ଦର ଗତ କାଲିର କ୍ଲୋଜିଂ ଦରଠାରୁ ବହୁତ ତଳେ କାରବାର କରିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ୯୫.୯୬ ସ୍ତରକୁ ପହଞ୍ଚିଛି। ଏଣୁ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟକୁ ସାମାନ୍ୟ ସାହାରା ମିଳିଛି। ଏଣୁ ହ୍ରାସର ସୀମା ସୀମିତ ରହିଛି। ଏଥିରେ ଏଚଡିଏଫସି ବରିଷ୍ଠ ବିଶ୍ଲେଷକ ସୌମିଲ ଗାନ୍ଧିଙ୍କ ଅନୁସାରେ ଦୁର୍ବଳ ବୈଶ୍ୱିକ ସଂକେତ ଓ ଖୁଚୁରା କ୍ରୟ ଚାହିଦା ହ୍ରାସ ଯୋଗୁ ଦେଶରେ ସୁନା ମୂଲ୍ୟରେ ଏପରି ହ୍ରାସ ଦେଖା ଦେଇଛି।

ସେ କହିଛନ୍ତି ଯେ ମଜଭୁତ ଡଲାର ଓ ବଣ୍ଡର ରିଟର୍ଣ୍ଣ ବୃଦ୍ଧିର ପ୍ରଭାବ ମୂଲ୍ୟବାନ ଧାତୁ ଉପରେ ପଡିଛି। ଏହି ଚାପ ବିଦେଶୀ ବଜାର ରେ ମଧ୍ୟ ସମାନ ରୂପେ ଦେଖା ଯାଇଛି। ହାଜିର ସୁନା ୩୩.୭୪ ଡଲାର (ପାଖାପାଖି ୧ ପ୍ରତିଶତ) ଶସ୍ତା ହୋଇ ପ୍ରତି ଆଉନ୍ସ ୪,୨୫୩.୬୧ ଡଲାରକୁ ପହଞ୍ଚି ଯାଇଛି। ସେହିପରି ରୁପା ମୂଲ୍ୟ ୧.୪ ପ୍ରତିଶତ ଶସ୍ତା ହୋଇ ପ୍ରତି ଆଉନ୍ସ ୬୩.୫୬ ଡଲାରରେ କାରବାର ହେଉଛି। ସେହିପରି ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମଧ୍ୟ ମୂଲ୍ୟବାନ ଧାତୁ ଦର ଉପରେ ନକରାତ୍ମକ ପ୍ରଭାବ ପକାଇଛି।