ନୂଆଦିଲ୍ଲୀ: ଖାଦ୍ୟ ତୈଳ ଆମଦାନୀ ଶୁଳ୍କ ହ୍ରାସ ପରେ ଏବେ କେନ୍ଦ୍ରୀୟ ଖାଦ୍ୟ ମନ୍ତ୍ରାଳୟ ଏଡିବଲ ଅଏଲ ବିକ୍ରି କରୁଥିବା କମ୍ପାନୀଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ସବୁ କମ୍ପାନୀଙ୍କୁ ସରକାରଙ୍କ ଆମଦାନୀ ଶୁଳ୍କ ହ୍ରାସର ଲାଭ ଖାଉଟିଙ୍କ ନିକଟକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କମ୍ପାନୀଙ୍କୁ ଖାସ କରି ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ହ୍ରାସ କରିବାକୁ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ବୁଧବାର ଖାଦ୍ୟ ତୈଳର ବେସିକ୍ କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି।

ଦେଶରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି। ଏଥି ମଧ୍ୟରେ ଖାଦ୍ୟ ତୈଳ ମୂଲ୍ୟ ବଢିବଢି ଚାଲିଥିଲା। ଏଣୁ ସରକାର ମୂଲ୍ୟ ନିୟନ୍ତ୍ରଣ ପାଇଁ ଖାଦ୍ୟ ତୈଳ ଆମଦାନୀ ଉପରେ ଶୁଳ୍କ ହ୍ରାସ କରିଛନ୍ତି। ଖାଦ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଅଧିକାରୀକ ବୟାନରେ ଖାଦ୍ୟ ତୈଳ ସମ୍ପର୍କିତ ସଂସ୍ଥା, ଉଦ୍ୟୋଗ ଏବଂ ଷ୍ଟେକ୍ ହୋଲ୍ଡରଙ୍କୁ ଆଡଭାଇଜରୀ ଜାରି ହୋଇଥିବାର କହିଛନ୍ତି। ଏହା ଦ୍ୱାରା ଇମ୍ପୋର୍ଟ ଡ୍ୟୁଟି ହ୍ରାସର ପୁରା ଫାଇଦା ଯେପରି ଗ୍ରାହକଙ୍କୁ ମିଳେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥି ଲାଗି ସବୁ ଏଡିବଲ ଅଏଲ ଆସୋସିଏସନକୁ ଅବିଳମ୍ବେ ଦର ହ୍ରାସର ପ୍ରଭାବ ଖାଉଟିଙ୍କ ନିକଟକୁ ପହଞ୍ଚାନ୍ତୁ ବୋଲି କୁହାଯାଇଛି।

ବୟାନରେ କୁହାଯାଇଛି ଯେ ସରକାର ଅନ୍ତର୍ଜାତୀୟ ଖାଦ୍ୟ ତୈଳ ବଜାର ଓ ଘରୋଇ ମୂଲ୍ୟରେ ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିବା ଜାରି ରଖିବେ। ଏହା ଛଡା ଆବଶ୍ୟକତା ପଡିଲେ ଉପଯୁକ୍ତ ପଦକ୍ଷେପ ମଧ୍ୟ ନିଆଯିବ। ଚାଷୀ ଓ ଘରୋଇ ଖାଦ୍ୟ ତୈଳ ଉଦ୍ୟୋଗ ମଧ୍ୟରେ ସନ୍ତୁଳିତ ପରିବେଶ କାୟମ ରଖି ଖାଉଟିଙ୍କ ହୀତକୁ ବି ରକ୍ଷା କରିବେ। ଏହି ଉପାୟ ଖାଉଟିଙ୍କୁ ମୂଲ୍ୟବୃଦ୍ଧିରୁ ରକ୍ଷା କରିବା ପାଇଁ ଗ୍ରହଣ କରାଯାଇଛି।