କାରାକସ,|୦୬:ଭୟଙ୍କର ଭୂମିକମ୍ପ । ଛାରଖାର ହୋଇଗଲା ସବୁ କିଛି । ଭୁଶୁଡି ପଡିଲା ଘର । ଭାଙ୍ଗିଗଲା ବଡ ବଡ ବିଲ୍ଡିଂ । ଏପରି ଘଟଣା ଘଟିଛି ଭେନେଜୁଏଲାରେ । ଏଠାରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପ ଲୋକଙ୍କୁ ଆତଙ୍କିତ କରିଦେଇଛି ।

ରିପୋର୍ଟ ଅନୁସାରେ, ଭେନେଜୁଏଲାରେ ବୁଧବାର ସନ୍ଧ୍ୟାରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରାଜଧାନୀ କାରାକସର ଅନେକ ବିଲ୍ଡିଂ ଭୂମିକମ୍ପ ପ୍ରଭାବରେ ଭାଙ୍ଗିରୁଜି ଯାଇଛି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ଏହି ଝଟକା ଅନେକ ରାଜ୍ୟରେ ଅନୁଭୂତ ହୋଇଥିବା ପ୍ରଶାସନ କହିଛି । ଲୋକେ ଘରୁ ବାହାରକୁ ଆସି ସୁରକ୍ଷିତ ସ୍ଥାନରେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି ।

Also Read :-ବିଲ୍ ଗେଟସ୍ ଙ୍କ ବଡ଼ ସ୍ୱୀକାରୋକ୍ତି, କହିଲେ-ଏପଷ୍ଟିନ ସହ ସମ୍ପର୍କ ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ

ଭେନେଜୁଏଲାରେ ଲଗାତାର ଭାବେ ଶକ୍ତିଶାଳୀ ଭୂମିକମ୍ପ ଆସୁଛି । ଆମେରିକୀୟ ସଂସ୍ଥା ୟୁଏସଜିଏସ ଅନୁସାରେ, ପ୍ରଥମେ ଯେଉଁ ଭୂମିକମ୍ପ ଆସିଥିଲା ତାହାର ତୀବ୍ରତା ଥିଲା ୭.୧ । ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୫ ରହିଥିଲା । ଏହା ପ୍ରଥମ ଭୂମିକମ୍ପର କିଛି ସମୟ ପରେ ଆସିଥିଲା । ଦୁଇଟି ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି ହୋଇଛି ।

ୟୁଏସଜିଏସର କହିବାନୁସାରେ, ପ୍ରଥମ ଭୂମିକମ୍ପଟି ଭେନେଜୁଏଲାର କାରବିୟାନ ଉପକୂଳ ନିକଟସ୍ଥ ମାରୋନ୍ ସହରରୁ ୧୬୮ କିଲୋମିଟର ଦୂରରେ ଉତ୍ପତି ହୋଇଥିଲା । ଏହାର କିଛି ମିନିଟ୍ ପରେ ସହରଠୁ ୧୬ କିଲୋମିଟର ଦୂରରେ ଭୂପୃଷ୍ଠରୁ ୧୦ କିଲୋମିଟର ଦୂରରେ ଅନ୍ୟ ଏକ ଭୂମିକମ୍ପର ଉତ୍ପତ୍ତି ହୋଇଥିଲା ।

ଲଗାତାର ଝଟକା ପରେ ଲୋକେ ବାହାରକୁ ଧାଇଁବାକୁ ଲାଗିଥିଲେ । ଘରୁ ସମସ୍ତେ ଚାଲି ଆସି ସୁରକ୍ଷିତ ଜାଗାକୁ ଆସିଯାଇଥିଲେ । ତଥାପି ଅନେକ ବଡ କୋଠା ଏବଂ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ସହରରେ ଧୂଳିଝଡ ମଧ୍ୟ ଦେଖିବାକୁ ମିଳିଛି ।