ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବନ୍ଧୁକ କାରବାର ଯୋଜନାକୁ ପଣ୍ଡ କରିଛି ପୋଲିସ। ରେଳ ଷ୍ଟେସନ ସମ୍ମୁଖ ଗେଟ୍ ନିକଟରେ ବନ୍ଧୁକ ଡିଲ୍ ଚାଲିଥିବା ବେଳେ ଚଢ଼ାଉ କରି ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ହରେକୃଷ୍ଣ ସ୍ୱାଇଁ ଓରଫ୍ ହରି।

ସୂଚନା ଅନୁଯାୟୀ, ହରି ବିହାରରୁ ବନ୍ଧୁକ ଆଣି ଓଡ଼ିଶାର ବିଭିନ୍ନ ଅପରାଧୀଙ୍କୁ ଯୋଗାଉଥିବା ଅଭିଯୋଗ ରହିଛି। ବ୍ରହ୍ମପୁରର ଜଣେ ଅପରାଧୀଙ୍କୁ ୯ ଏମ୍ଏମ୍ ବନ୍ଧୁକ ବିକ୍ରି କରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖ ଗେଟ୍ ନିକଟରେ ଡିଲ୍ ହେବାର ଯୋଜନା ଥିଲା। ଏହି ଖବର ପାଇ ପୋଲିସ ସକାଳ ପ୍ରାୟ ୮ଟା ସମୟରେ ଚଢ଼ାଉ କରି ହରିକୁ କାବୁ କରିଥିଲା।

ଗିରଫ ହରି ନାଁରେ ଡକାୟତି, ଛିନତାଇ ସମେତ ପ୍ରାୟ ୨୦ଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ମଞ୍ଚେଶ୍ୱରଠାରୁ ସହିଦନଗର ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ତା' ନାଁରେ ମାମଲା ରହିଛି। ଏପରିକି ୨୦୧୯ ମସିହାରେ ସେ ପୋଲିସ ଏନକାଉଣ୍ଟରର ମଧ୍ୟ ଶିକାର ହୋଇଥିଲା। 

Also Read: ରାଜଧାନୀରେ ରାସ୍ତାରେ ସାନ କୁମ୍ଭୀର ଏବଂ ବଡ଼ କୁମ୍ଭୀରର ଆତଙ୍କ, ମୁଖା ପିନ୍ଧି ଯୁବକଙ୍କୁ ଗୋଡ଼େଇ ଗୋଡେଇ ହାଣିଲେ...

ତେବେ ଏହି ବନ୍ଧୁକ ଯୋଗାଣ ନେଟୱର୍କ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ବିହାରରୁ କିଭଳି ବନ୍ଧୁକ ଆସୁଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ନେଟୱର୍କର ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ମଧ୍ୟ ତଦନ୍ତ ଚାଲିଛି।