ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ଘଟଣା ସାମ୍ନାକୁ ଆସିଛି । ମହାଭାରତ ନାଟକ ଚାଲିଥିବା ସମୟରେ ମଞ୍ଚ ନିକଟରେ ଦୁଇ ଯୁବକଙ୍କୁ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରାଯାଇଛି । ଏହି ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ତୋଟାଗାଁରେ ମହାଭାରତ ଯାତ୍ରା ଚାଲିଥିବା ବେଳେ ଏହାର ସୁଯୋଗ ନେଇ ତୁଳସୀପୁର ଅଞ୍ଚଳର କିଛି ଯୁବକ ତୋଟାଗାଁର ଦୁଇ ଯୁବକ କାହ୍ନା ନାହାକ ଓ ବାଦଲ ପାହାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ପ୍ରାଥମିକ ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ତେବେ ଆକ୍ରମଣରେ ଉଭୟ ଯୁବକ ଗୁରୁତର ଆହତ ହେବା ପରେ ସେମାନଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Also Read: କଣାସରେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ତଦନ୍ତ ପାଇଁ ଯାଇଥିବା ବେଳେ ଅଘଟଣ

ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆକ୍ରମଣର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ପୋଲିସ ଅଧିକ ଖୋଳତାଡ଼ କରୁଛି । ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ହିଂସାକାଣ୍ଡକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି ।