ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ନେତାମାନେ ମିଛ ପ୍ରତିଶ୍ରୁତି ଦେବା ତ ଦୂରର କଥା ଜନତାଙ୍କ ଦୁଃଖ ଶୁଣିବାକୁ ବି ସେମାନଙ୍କ ପାଖରେ ତର ନାହିଁ। ହଁ… ଯଦି ଅତି ଆବଶ୍ୟକ ପଡ଼ିଲା, ତେବେ କ୍ୟାମେରା ଆଗରେ କୁମ୍ଭୀର କାନ୍ଦଣା କାନ୍ଦିପାରିବେ। ଆଜିକାଲିର ନେତାଙ୍କ ଚରିତ୍ର ବୋଇଲେ ଏମିତି ବୁଝନ୍ତି ଆମ ଲୋକେ। ହେଲେ ସବୁ କ’ଣ ସେମିତି…. ? ଏବେ ବି ଆମ ଦେଶରେ ଏମିତି କିଛି ନେତା ଅଛନ୍ତି, ଯେଉଁମାନେ ଜନତାଙ୍କ ଦୁଃଖ ବୁଝିବାକୁ ନିଜର ଉତ୍ତରଦାୟିତ୍ୱ ବୋଲି ଭାବନ୍ତି। ଦୁଃଖ ସୁଃଖରେ ଛିଡ଼ା ହୁଅନ୍ତି। ସେମିତି ଜଣେ ନେତା ହେଲା ତେଲେଙ୍ଗାନା ମନ୍ତ୍ରୀ କୋମାଟିରେଡ୍ଡି ଭେଙ୍କଟ ରେଡ୍ଡି।

ଜର୍ମାନୀରେ ରହି ପାଠ ପଢ଼ୁଥିବା ଛାତ୍ରୀଙ୍କ ଫରେନ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ସରିଯିବାରୁ ସେ ତୁରନ୍ତ ଛାତ୍ରୀଙ୍କ ପାଖକୁ ୬ ଲକ୍ଷ ଟଙ୍କା ପଠାଇଛନ୍ତି। ଛାତ୍ରୀ ଜଣଙ୍କ ଭିଡିଓ ଅପ୍ଲୋଡ କରି ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେଉଛି।

ସୂଚନା ଅନୁସାରେ, ପରିମାଳା ନାମକ ଏକ ଯୁବତୀ ଉଚ୍ଚଶିକ୍ଷା ପାଇଁ ଜର୍ମାନୀ ଯାଇଥିଲେ। କିନ୍ତୁ କିଛି ଜରୁରୀ କାଗଜପତ୍ର ପ୍ରସ୍ତୁତିରେ ବିଳମ୍ବ ହେବାରୁ ତାଙ୍କ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ହୋଇପାରି ନଥିଲା। ଏହାସହ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉଠାଇବାର ସୁବିଧା ମଧ୍ୟ ତାଙ୍କ ପାଖରେ ନଥିଲା। ଫଳରେ ଜର୍ମାନୀରେ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼ିଥିଲା। ଏଭଳି ସ୍ଥିତିରେ ସେ ପୁଣିଥରେ ମନ୍ତ୍ରୀ ଭେଙ୍କଟ ରେଡ୍ଡୀଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ମନ୍ତ୍ରୀ ତୁରନ୍ତ ତାଙ୍କୁ ସହାୟତାର ହାତ ବଢାଇଥିଲେ।

ପୂର୍ବରୁ ୧୦ ଲକ୍ଷ ଦେଇଥିଲେ ,ଏବେ ୬ ଲକ୍ଷ ଦେଲେ ମନ୍ତ୍ରୀ

ପରିମାଳାଙ୍କ ଏହି ସମସ୍ୟା ବିଷୟରେ ଜାଣିବା ପରେ ମନ୍ତ୍ରୀ ତାଙ୍କୁ ଅତିରିକ୍ତ ୬ ଲକ୍ଷ ଟଙ୍କା ଦେଇଛନ୍ତି। କାଗଜପତ୍ର ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଆହୁରି ୨ରୁ ୩ ମାସ ସମୟ ଲାଗିପାରେ ବୋଲି ପରିମାଳା କହିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ରହିବା ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ଏହି ଟଙ୍କା ସହାୟକ ହେବ। ପରିମାଳାଙ୍କୁ ପୂର୍ବରୁ କୋମାଟିରେଡ୍ଡୀ ପ୍ରତୀକ ରେଡ୍ଡୀ ଫାଉଣ୍ଡେସନ ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏବେ ଆଉ ୬ ଲକ୍ଷ ମିଳିବା ପରେ ତାଙ୍କୁ ମୋଟ ୧୬ ଲକ୍ଷ ଟଙ୍କାର ସହାୟତା ମିଳିଛି।ଟଙ୍କା ପାଇବା ପରେ ଜର୍ମାନୀରୁ ଏକ ଭିଡିଓ ବାର୍ତ୍ତା ଜରିଆରେ ପରିମଳା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ପାଠପଢ଼ା ଶେଷ ହେବା ପର୍ଯ୍ୟନ୍ତ ସହଯୋଗ ଜାରି ରଖିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। ଭିଡିଓରେ ସେ କହିଛନ୍ତି, "ମୋର ତାଙ୍କ ପ୍ରତି ବହୁତ ସମ୍ମାନ ରହିଛି। ମୋ ପାଠପଢ଼ାର ଯତ୍ନ ନେଉଥିବାରୁ ମୁଁ ବହୁତ ଖୁସି ଓ କୃତଜ୍ଞ।"

ଅନ୍ୟପଟେ ମନ୍ତ୍ରୀ ଭେଙ୍କଟ ରେଡ୍ଡୀ ଫେସବୁକ୍ରେ ଏହି ଭିଡିଓ ସେୟାର କରି କରିଛନ୍ତି। ଛାତ୍ରୀଙ୍କ ଆର୍ଥିକ ସମସ୍ୟା ବିଷୟରେ ଜଣାପଡ଼ିବା ମାତ୍ରେ ଫାଉଣ୍ଡେସନ ପକ୍ଷରୁ ଅତିରିକ୍ତ ସହାୟତା ଦିଆଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଆମର ପ୍ରତିବଦ୍ଧତା କେବଳ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତାରେ ଶେଷ ହୁଏ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ବିଦେଶରେ ପାଠ ପଢ଼ିବାର ସ୍ୱପ୍ନ ଦେଖୁଥିବା ଜଣେ ଛାତ୍ରୀଙ୍କୁ କଠିନ ସମୟରେ ମିଳିଥିବା ଏହି ସହାୟତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ମନ୍ତ୍ରୀଙ୍କୁ ତାରିଫର ସୁଅ ଛୁଟୁଛି।