ନୂଆଦିଲ୍ଲୀ: ଭାରତର ଜଣେ ସ୍କୁଲ ପଢ଼ୁଆ ପିଲା ସହ କଥା ହୋଇ ଆଶ୍ଚର୍ଯ୍ୟ ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏଆଇକୁ ଶିକ୍ଷା କ୍ଷେତ୍ରରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ କେରଳର ସ୍କୁଲ ଛାତ୍ର ରାଉଲ ଜନ ଅଜୁ ଏମିତି ବୁଝାଇଥିଲେ, ପୁଟିନ ପୂରା ଧ୍ୟାନର ସହ ଶୁଣିଥିଲେ। ଶୁଣି ସାରିବା ପରେ ପୁଟିନ ଯେଉଁ ପ୍ରଶ୍ନ କରିଥିଲେ, ତାହା ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏଆଇ ଶିକ୍ଷାକୁ ଅଧିକ ସହଜ ଆକର୍ଷଣୀୟ ଓ ବ୍ୟକ୍ତିଗତ କରିପାରିବ ବୋଲି କହିଥିଲେ ରାଉଲ। ତେବେ ଏଆଇ ଉପରେ ଅତ୍ୟଧିକ ନିର୍ଭରଶୀଳ ହେଲେ ଛାତ୍ରଛାତ୍ରୀଙ୍କ ସ୍ୱାଧୀନ ଚିନ୍ତାଶକ୍ତି ଦୁର୍ବଳ କରିଦେବ କି ନାହିଁ ବୋଲି ପୁଟିନ ପ୍ରଶ୍ନ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି।

ପୁଟିନ ଓ ରାଉଲଙ୍କର ଏହି କଥୋପକଥନ ନଭେମ୍ବର ୨୬ ତାରିଖରେ ଋଷିଆ ରାଜଧାନୀ ମସ୍କୋରେ ଆୟୋଜିତ 'ଏଆଇ ଜର୍ଣ୍ଣି ୨୦୨୬' ସମ୍ମିଳନୀରେ ହୋଇଥିଲା। ଯାହାର ଭିଡିଓକୁ ଦକ୍ଷିଣ ଆଫ୍ରିକାର ଋଷିଆ ଦୂତାବାସ ପକ୍ଷରୁ ଶେୟାର କରାଯାଇଛି ବୋଲି ପ୍ରିଣ୍ଟ ଖବର ପ୍ରକାଶ କରିଛି।

ଆଲୋଚନା ସମୟରେ ରାଉଲ କହିଥିଲେ, ଏଆଇ ମାଧ୍ୟମରେ ପିଲାମାନେ କେବଳ ମାଧ୍ୟମରେ ନୁହେଁ, ବରଂ ଛବି, ଭିଡିଓ ଓ ଖେଳ ଜରିଆରେ ମଧ୍ୟ ଶିକ୍ଷା ଗ୍ରହଣ କରିପାରିବେ। ଉଦାହରଣ ଦେଇ ସେ କହିଥିଲେ “ମୁଁ ଗୋଟେ ଛୋଟ ଉଦାହରଣ ଦେଉଛି। ଧରନ୍ତୁ ମୋ ଭଳି ଜଣେ ପିଲା ଯିଏ ଗଣିତ ଭଲପାଏ। ଯଦି ମୁଁ ଫଟୋ, ଭିଡିଓ ଏମିତି ଖଳେ ଦ୍ୱାରା ଶିକ୍ଷେ ତେବେ ? ମୁଁ କହି ରଖେ ଯେ ମୁଁ ଖେଳ ମାଧ୍ୟମରେ ହିଁ ଏଆଇ ଶିଖିଚି। ”

ଏଥିରେ ସେ ନିଜର ଏକ ଉଦାହରଣ ଦେଇ ରାଉଲ କହିଥିଲେ ଗଣିତ ପରୀକ୍ଷାର ଦିନକ ପୂର୍ବରୁ ସେ ଏକ ଗେମ୍ ଖେଳୁଥିବା ଦେଖି ତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରଦିନ ପରୀକ୍ଷା ଅଛି ତଥାପି ଗେମ ଖେଳୁଛୁ ବୋଲି କହିଥିଲେ। ହେଲେ ରାଉଲଙ୍କ ଉତ୍ତର ଥିଲା, ସେ ଖେଳୁନାହାନ୍ତି, ବରଂ ଗେମ୍ ଜରିଆରେ ପାଠ ପଢ଼ୁଛନ୍ତି। ତା’ ପରେ ତାଙ୍କ ବାପା ଆଜିକାଲିର ପିଲା…।

ରାଉଲଙ୍କ କହିବା ଅନୁସାରେ, ପ୍ରତ୍ୟେକ ପିଲାଙ୍କର ଶିଖିବାର ଶୈଳୀ ଭିନ୍ନ। କେହି ଛବି ଦେଖି ଶୀଘ୍ର ବୁଝନ୍ତି ତ ଆଉ କେହି ଭିଡିଓ କିମ୍ବା ଖେଳ ମାଧ୍ୟମରେ ସହଜରେ ଶିଖିପାରନ୍ତି। ଏଭଳି ସ୍ଥିତିରେ ଗୋଟିଏ ଶ୍ରେଣୀଗୃହରେ ୪୦ ଜଣ ପିଲାଙ୍କୁ ଜଣେ ଶିକ୍ଷକ କିପରି ଅଲଗା ଅଲଗା ଶୈଳୀରେ ପଢ଼ାଇପାରିବେ? ଏହି ସମସ୍ୟାର ସମାଧାନ ଏଆଇ ହୋଇପାରିବ ବୋଲି ସେ ଯୁକ୍ତି ବାଢ଼ିଥିଲେ।

AI ଉପରେ ଅତ୍ୟଧିକ ନିର୍ଭରଶୀଳତା ନେଇ ପୁଟିନଙ୍କ ପ୍ରଶ୍ନ

ରାଉଲଙ୍କ କଥା ଶୁଣିବା ପରେ ପୁଟିନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଆଜିକାଲି ଅନେକ ଲୋକ AIକୁ କେବଳ ସହାୟକ ଭାବେ ବ୍ୟବହାର କରୁଛନ୍ତି। ଫଳରେ ନିଜେ ଚିନ୍ତା କରିବା ଓ ତର୍କ କରିବାର ଅଭ୍ୟାସ କମିଯାଉଛି। ଏଆଇରେ ପାଠ ପଢିବା ସହ ବିଷୟ ମନେ ରଖିବା, ଶିଖିବା ଏବଂ ଯୁକ୍ତିଯୁକ୍ତ ଚିନ୍ତା କରିବା ଏସବୁ ସମାନ ଭାବରେ ଆବଶ୍ୟକ ବୋଲି ପୁଟିନ କହିଥିଲେ।

Also Read- କୋର୍ଟରେ ଦିଲ୍ଲୀ ପୋଲିସର ଚାଞ୍ଚଲ୍ୟକର ବୟାନ,୧୯୮୦ରେ ସୋନିଆଙ୍କ ନାମ ଭୋଟର ଲିଷ୍ଟରେ ଥିଲା,କିନ୍ତୁ ସେ ନାଗରିକ ନଥିଲେ

ଟେଲି ପ୍ରମ୍ପଟର ସାହାଯ୍ୟ ନେଇ ପୁଟିନ ପ୍ରଶ୍ନ କରିଥିଲେ “ଆଜିକାଲି 'ଏଆଇ' (AI) କୁ ପ୍ରାୟତଃ ଏକ ସହାୟକ କିମ୍ବା ନିର୍ଦ୍ଦେଶ ଦେଉଥିବା ମାଧ୍ୟମ ଭାବରେ ବ୍ୟବହାର କରାଯାଉଛି; ଦୁର୍ଭାଗ୍ୟବଶତଃ, ଏହା ଯୋଗୁ ଲୋକମାନେ ଚିନ୍ତା କରିବା ଏବଂ ଯୁକ୍ତିଯୁକ୍ତ ବିଚାର କରିବା ସମ୍ପୂର୍ଣ୍ଣ ବନ୍ଦ କରିଦେଉଛନ୍ତି। ଶିକ୍ଷା ପ୍ରକ୍ରିୟା କ୍ଷେତ୍ରରେ, ଯେତେବେଳେ ଆପଣ ଏଆଇ ଉପରେ ନିର୍ଭର କରନ୍ତି, ତେବେ ତାହା କ’ଣ ଏକ ବିପଦ ନୁହେଁ କି?” ଗୋଟିଏ ଅର୍ଥରେ କହିଲେ ପୁଟିନଙ୍କ ପ୍ରଶ୍ନ ଥିଲା, ଶିକ୍ଷା କ୍ଷେତ୍ରରେ ଏଆଇ ଉପରେ ଅଧିକ ନିର୍ଭରଶୀଳତା କ'ଣ ଏକ ବିପଦ ନୁହେଁ?

ଏହାର ସୁନ୍ଦର ଉତ୍ତର ଦେଇଥିଲେ ରାଉଲ। ସେ କହିଥିଲେ " ବହୁତ ବଢ଼ିଆ ପ୍ରଶ୍ନ, ସାର୍! ମୁଁ ଏ ବିଷୟରେ ଏହା କହିବି ଯେ ମୋତେ ଲାଗୁଛି ଆମ ନିଜ ଚିନ୍ତାଶକ୍ତି ବଦଳାଇବା ପାଇଁ ନୁହେଁ, ଆମକୁ ଏହା ସହିତ ମିଶି କାମ କରିବା ଉଚିତ୍।" ଅର୍ଥାତ୍ ଏଆଇ ମଣିଷର ଚିନ୍ତାଶକ୍ତିର ବିକଳ୍ପ ନୁହେଁ, ବରଂ ଏହା ଏକ ସହାୟକ ମାଧ୍ୟମ ହେବା ଦରକାର। ରାଉଲଙ୍କ ଏହି ଉତ୍ତର ଏବେ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି।

କିଏ ଏହି ରାଉଲ ଜନ୍ ଆଜୁ?

କେରଳର କୋଚିରେ ରହୁଥିବା ରାଉଲ ଜନ୍ ଆଜୁଙ୍କୁ 'AI Kid of India' ବୋଲି କୁହାଯାଏ। ସେ ThinkCraft ନାମକ ଏକ ଶିକ୍ଷାଭିତ୍ତିକ ପ୍ଲାଟଫର୍ମ ତିଆରି କରିଛନ୍ତି। ଏହି ପ୍ଲାଟଫର୍ମରେ ଖେଳ ମାଧ୍ୟମରେ ପିଲାମାନଙ୍କୁ ଏଆଇ ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ। ଏଆଇ ଜର୍ଣ୍ଣି ୨୦୨୬ ସମ୍ମିଳନୀରେ ରୁଷ୍ ଓ କାଜାଖସ୍ତାନର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର ଯେଉଁ କେତେକ ପିଲାଙ୍କୁ ବଛା ଯାଇଥିଲା, ସେଥିରେ ଭାରତର ରାଉଲଙ୍କ ନାଁ ବି ରହିଥିଲା। ବର୍ତ୍ତମାନ ରାଉଲଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।