ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟ ଆଞ୍ଚଳିକ ଦଳ ଦ୍ରାବିଡ଼ ମୁନେତ୍ର କଝଗମ (ଡିଏମକେ)କୁ ଶେଷରେ ଲୋକସଭାରେ କଂଗ୍ରେସ ଠାରୁ ପୃଥକ ବସିବାକୁ ଜାଗା ମିଳିଯାଇଛି। ଏଥି ପାଇଁ ଡିଏମକେ ଗତ ମେ ମାସରେ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖିଥିଲା ଓ ନିଜ ସାଂସଦଙ୍କୁ କଂଗ୍ରେସଠାରୁ ପୃଥକ ବସାଇବାକୁ ଅନୁରୋଧ କରିଥିଲା। ଉଲ୍ଲେଖ ଯୋଗ୍ୟ ଯେ ଇଣ୍ଡିମେଣ୍ଟରୁ ପୃଥକ ହେବା ପରେ ଡିଏମକେ ସଂସଦରେ ଅଲଗା ବସିବା ଲାଗି ଦାବି କରିଥିଲା। ଏବେ ଲୋକସଭା ବାଚସ୍ପତି ପାର୍ଟି ସାଂସଦଙ୍କୁ ଅଲଗା ବସିବାକୁ ସ୍ଥାନ ଦେଇଛନ୍ତି।

ଲୋକସଭାରେ ବସିବାର ସ୍ଥାନ କେବଳ ଡିଏମକେର ବଦଳି ନାହିଁ ବରଂ ଏହି କାରଣରୁ ଅନ୍ୟ ଦଳ ଯେପରି ସମାଜବାଦୀ ପାର୍ଟି, ଏନସିପି(ଶରଦ), ଶିବସେନା(ଉଦ୍ଧବ) ଓ କଂଗ୍ରେସର କିଛି ସାଂସଦଙ୍କ ଆସନ ମଧ୍ୟ ବଦଳି ଯାଇଛି। ସୁପ୍ରିୟା ସୁଲେ ଏବେ କନି ମୋଝୀ ଓ ଦୟାନିଧି ମାରନଙ୍କ ସହିତ ବସିବେ। ଡିଲିମିଟେସନ ବିଧେୟକକୁ ନେଇ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଲୋକସଭା ସଚିବାଳୟ ଏହି ପରିବର୍ତ୍ତନ କରିଛି। ଡିଏମକେ ସଭାପତି ଏମ.କେ. ଷ୍ଟାଲିନ ଲୋକସଭାରେ ତାଙ୍କ ସାଂସଦଙ୍କୁ ବସାଇବା ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରି କହିଥିଲେ ଯେ କଂଗ୍ରେସ ସହିତ ତାଙ୍କ ମେଣ୍ଟ ସମାପ୍ତ ହୋଇଛି। ଏଣୁ କଂଗ୍ରେସ ସହିତ ତାଙ୍କ ସାଂସଦମାନେ ବସିବା ଉଚିତ ଲାଗୁ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳରେ ଡିଏମକେ ଓ କଂଗ୍ରେସର ସମ୍ପର୍କ ମଧ୍ୟ ବିଗିଡିଯାଇଥିଲା। ଡିଏମକେର ସହଯୋଗୀ ଭାବେ ନିର୍ବାଚନ ଲଢିବା ସତ୍ତ୍ୱେ କଂଗ୍ରେସ ପରେ ବିଜୟଙ୍କ ଟିଭିକେ ସରକାରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା ଓ ନୂଆ ସରକାରରେ ସାମିଲ ହୋଇଯାଇଥିଲା। କଂଗ୍ରେସର ଏହି ନିଷ୍ପତ୍ତି ଯୋଗୁ ଡିଏମକେ ସହିତ ଦୀର୍ଘ ସମୟରୁ ଚାଲିଆସିଥିବା ପାର୍ଟନରସିପ୍ ସମାପ୍ତ ହୋଇଯାଇଥିଲା। ଏହି ପ୍ରସଙ୍ଗରେ ଡିଏମକେ କଡ଼ା ପ୍ରତିକ୍ରିୟା ମଧ୍ୟ ଦେଇଥିଲା। ପାର୍ଟିର ବରିଷ୍ଠ ନେତାମାନେ କଂଗ୍ରେସର ଏହି ପଦକ୍ଷେପକୁ ସମାଲୋଚନା କରିବା ସହ ପିଠି ପଛପଟେ ଛୁରା ମାରିବା ସଙ୍ଗେ ତୁଳନା କରିଥିଲେ।

ତେବେ କଂଗ୍ରେସ ନେତାମାନେ ଡିଏମକେ ସମାଲୋଚନାର ଜବାବ ଦେଇଥିଲେ ଓ କହିଥିଲେ ଡିଏମକେ ପୂର୍ବରୁ ୨୦୧୪ ମସିହାରେ ଏକାକୀ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଥିଲା। ଏଣୁ ଡିଏମକେ ମୁହଁରେ ମେଣ୍ଟ କଥା ଶୋଭା ପାଏନା ବୋଲି କଂଗ୍ରେସ ବିଧାୟକମାନେ କହିଥିଲେ। ପରେ କଂଗ୍ରେସକୁ ଟିଭିକେ ସରକାରର ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ମିଳିଥିଲା।