• ବୀରାପ୍ପାନ ଜଣେ କୁଖ୍ୟାତ ଭାରତୀୟ ଶିକାରୀ​​​​​​​
  • ବିଦ୍ୟାରାଣୀ ବୀରାପ୍ପାନର ଝିଅ ହୋଇଥିଲେ ମଧ୍ୟ ସେ ଉଚ୍ଚଶିକ୍ଷିତା
  • ୨୦୨୦ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ କୃଷ୍ଣଗିରି ଜିଲ୍ଲା ଲାଗି ପାର୍ଟିର ଯୁବ ଶାଖା ଉପାଧ୍ୟକ୍ଷ ହୋଇଥିଲେ


ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ହେଉଛି। ଏଥର ନିର୍ବାଚନରେ ସବୁଠୁ ଯାହା ବଡ଼ କଥା ତାହା ହେଉଛି କୁଖ୍ୟାତ ଚନ୍ଦନ ତସ୍କର ବୀରାପ୍ପାନର ପତ୍ନୀ ଓ ଝିଅ ପ୍ରାର୍ଥୀ ହେବା। ସେମାନେ ଅଲଗା ଅଲଗା ରାଜନୈତିକ ଦଳର ପ୍ରତିନିଧିତ୍ୱ କରି ଅଲଗା ଅଲଗା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇଛନ୍ତି, ଯାହା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ବୀରାପ୍ପାନର ପତ୍ନୀ ମୁଥୁଲକ୍ଷ୍ମୀ କୃଷ୍ଣଗିରି ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇଛନ୍ତି।

ମୁଥୁଲକ୍ଷ୍ମୀଙ୍କୁ ଭେଲମୁରୁଗନଙ୍କ ପାର୍ଟି ତମିଝଗା ୱାଇୱୁରିମୟୀ କାଚ୍ଚୀ (ଟିଭିକେ)ର ପ୍ରତିନିଧିତ୍ୱ କରୁଥିବା ପ୍ରାର୍ଥୀ ରୂପେ ମୈଦାନକୁ ଓହ୍ଲାଯାଇଛି। ସେହିପରି ବୀରାପ୍ପନଙ୍କ ସବା ବଡ଼ ଝିଅ ବିଦ୍ୟାରାଣୀ ସଲେମ ଜିଲ୍ଲା ମେଟୁର ବିଧାନସଭା ନିର୍ବାଚନମଣ୍ଡଳିରୁ ନିର୍ବାଚନ ଲଢୁଛନ୍ତି। ତାଙ୍କୁ ସୀମନଙ୍କ ନେତୃତ୍ୱାଧୀନ ନାମ ତମିଲର କାଚ୍ଚୀ (ଏନଟିକେ) ପ୍ରାର୍ଥୀ ଘୋଷଣା କରିଛି। ତେବେ ବିଦ୍ୟାରାଣୀ ବୀରାପ୍ପାନର ଝିଅ ହୋଇଥିଲେ ମଧ୍ୟ ସେ ଉଚ୍ଚଶିକ୍ଷିତା। ସେ ପେଷାରେ ଓକିଲ ହୋଇଥିବା ବେଳେ ଜଣେ ଶିକ୍ଷାବିଦ୍ ମଧ୍ୟ। ତାଙ୍କ ରାଜନୈତିକ ଜୀବନ ବେଶ ସଂଘର୍ଷମୟ। ଆରମ୍ଭରେ ସେ ତାଙ୍କ ସାମାଜିକ ପୃଷ୍ଠଭୂମି କାରଣରୁ ପିଏମକେରେ ଯୋଗ ଥିଲେ। ପରେ ୨୦୨୦ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ କୃଷ୍ଣଗିରି ଜିଲ୍ଲା ଲାଗି ପାର୍ଟିର ଯୁବ ଶାଖା ଉପାଧ୍ୟକ୍ଷ ହୋଇଥିଲେ। ସେତେବେଳେ ସେ ଘୋଷଣା କରିଥିଲେ ଯେ ତାଙ୍କ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ କଲ୍ୟାଣକାରୀ ଯୋଜନାଗୁଡିକୁ ଜନତାଙ୍କ ନିକଟକୁ ପହଞ୍ଚାଇବା।

ତେବେ ୨୦୨୪ ଆସୁଆସୁ ସେ ବିଜେପି ଛାଡି ସିମାନଙ୍କ ଉପସ୍ଥିତିରେ ନାମ ତମିଲର କାଚୀ (ଏନଟିକେ)ରେ ସାମିଲ ହୋଇଯାଇଥିଲେ ଓ ସେହି ବର୍ଷ ସେ କୃଷ୍ଣଗିରି ଲୋକସଭା ନିର୍ବାଚନମଣ୍ଡଳିରୁ ପ୍ରଥମଥର ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ସେ ୧ଲକ୍ଷ ୬ ହଜାର ୨୦୫ଟି ଭୋଟ ଅର୍ଥାତ ୯.୧୫% ଜନସମର୍ଥନ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସେ ମେଟ୍ଟୁର ବିଧାନସଭା ନିର୍ବାଚନମଣ୍ଡଳିରୁ ଏନଟିକେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏହି ନିର୍ବାଚନମଣ୍ଡଳିରେ ଭନ୍ନିୟାର ସମୂଦାୟ ଭୋଟରଙ୍କ ଉପସ୍ଥିତି ଦୃଷ୍ଟିରୁ ବିଦ୍ୟାରାଣୀଙ୍କ ଉପସ୍ଥିତି ପିଏମକେ-ଏଆଇଏଡିଏମକେ ମେଣ୍ଟ ଲାଗି ଆହ୍ୱାନପୂର୍ଣ୍ଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଏହି ନିର୍ବାଚନରେ ଗୋଟିଏ ରୋଚକ କଥା ହେଉଛି ବିଦ୍ୟାରାଣୀଙ୍କ ମା ମୁଥୁ ଲକ୍ଷ୍ମୀ କୃଷ୍ଣଗିରି ନିର୍ବାଚନମଣ୍ଡଳିରୁ ଟିଭିକେ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ମା ଓ ଝିଅ ପୃଥକ ପୃଥକ ରାଜନୈତିକ ଦଳର ପ୍ରାର୍ଥୀ ହୋଇଥିଲେ ମଧ୍ୟ ଉଭୟ ବୀରାପ୍ପାନଙ୍କୁ ଜଙ୍ଗଲ ଓ ତାମିଲ ଜାତିର ରକ୍ଷକ ରୂପେ ଉପସ୍ଥାପନ କରି ପ୍ରଚାର କରୁଛନ୍ତି। ବୀରାପ୍ପାନ ଜଣେ କୁଖ୍ୟାତ ଭାରତୀୟ ଶିକାରୀ। ସେ ଚନ୍ଦନକାଠ ତସ୍କରୀ କରିବା ସହ ଏକ ଡକାୟତ ଥିଲା, ଯାହାକୁ ୩୬ ବର୍ଷ ପର୍ଯ୍ୟନ୍ତ ଗିରଫ କରିବାକୁ ପୋଲିସ ବିଫଳ ହୋଇଥିଲା।

ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ବନାଞ୍ଚଳରେ ସକ୍ରିୟ ଏହି ବ୍ୟକ୍ତି ଭାରତର ସବୁଠୁ ଦୀର୍ଘ ଓ ମହଙ୍ଗା ତଲାସ ଅଭିଯାନ ମଧ୍ୟରୁ ଗୋଟିକର ବିଷୟ ପାଲଟିଯାଇଥିଲା। ଅକ୍ଟୋବର ୨୦୦୪ରେ କେ.ବିଜୟନ କୁମାରଙ୍କ ନେତୃତ୍ୱରେ ତାମିଲନାଡୁ ଏସଟିଏଫ ଅପରେସନ ‘କୋକୁନ’ ଚଳାଇ ଅନ୍ତତଃ ତାକୁ ନିପାତ କରିଥିଲେ।