ନୂଆଦିଲ୍ଲୀ: ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ୍ ଜେପି ଆସୋସିଏଟ୍ସ ଚୁକ୍ତିକୁ ନେଇ ଆଦାନୀ ଗ୍ରୁପକୁ ଚ୍ୟାଲେଞ୍ଜ କରିଛନ୍ତି । ଏହି ଅଧିଗ୍ରହଣ ବିରୁଦ୍ଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ମନିକଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ, ଜେପି ଆସୋସିଏଟ୍ସ ଗ୍ରୁପର ସମ୍ପତ୍ତି ପାଇଁ ଆଦାନୀ ଗ୍ରୁପ୍ ଦ୍ୱାରା ଦାଖଲ କରାଯାଇଥିବା ସମାଧାନ ଯୋଜନା ଉପରେ ସ୍ଥଗିତାଦେଶ ପାଇଁ ବେଦାନ୍ତ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି।

ଗତ ସପ୍ତାହରେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ସମାଧାନ ଯୋଜନାକୁ ସ୍ଥଗିତ ରଖିବାକୁ ମନା କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ବେଦାନ୍ତ ଯୁକ୍ତି ରଖିଛି ଯେ, ଏହାର ସମାଧାନ ଯୋଜନା ଆଦାନୀ ଗ୍ରୁପ୍ ଅପେକ୍ଷା ଉତ୍କୃଷ୍ଟ ଥିଲା ଏବଂ କ୍ରେଡିଟର୍ସ କମିଟି (CoC) ଏହାର ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିଲା। ସୂତ୍ର ଅନୁସାରେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।

ଖଣି ବ୍ୟବସାୟୀ ଏବଂ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ମାର୍ଚ୍ଚ ୨୯ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଥିଲେ ଯେ, ବେଦାନ୍ତକୁ ଜେପି ଆସୋସିଏଟର ନିଲାମ ପାଇଁ ସଫଳ ବିଡର ଭାବରେ ଅନୁମୋଦନ କରାଯାଇଛି । କିନ୍ତୁ ପରେ ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଥିଲା।

ଏକ୍ସ ପୋଷ୍ଟରେ ଅନିଲ ଅଗ୍ରୱାଲ କହିଥିଲେ, ‘IBC ପ୍ରକ୍ରିୟା ଅଧୀନରେ ନିର୍ମାଣ କମ୍ପାନୀ (CoC) ଦ୍ୱାରା ସମ୍ପତ୍ତିଟି ସାର୍ବଜନୀନ ଭାବରେ ନିଲାମ କରାଯାଇଥିଲା। ଅନେକ ଶକ୍ତିଶାଳୀ ବିଡର ଅଂଶଗ୍ରହଣ କରିଥିଲେ। ତଥାପି, ଜଣ ଜଣ କରି ସମସ୍ତେ ପ୍ରତ୍ୟାହାର କରିନେଲେ । ଶେଷରେ, ବେଦାନ୍ତ ଗ୍ରୁପକୁ ସର୍ବୋଚ୍ଚ ବିଡର ଘୋଷଣା କରାଗଲା। ଏହା ଏକ ସ୍ୱଚ୍ଛ ପ୍ରକ୍ରିୟା ଥିଲା। ଆମକୁ ଲିଖିତ ଭାବରେ ଜଣାଇ ଦିଆଯାଇଥିଲା ଯେ, ଆମେ ନିଲାମ ଜିତିଛୁ, କିନ୍ତୁ କିଛି ଦିନ ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା।’

ସୂଚନାଯୋଗ୍ୟ, ଗତ ସପ୍ତାହରେ NCLT ଜେପି ଗ୍ରୁପର ସମ୍ପତ୍ତି ପାଇଁ ଆଦାନୀ ଗ୍ରୁପର ସମାଧାନ ଯୋଜନାକୁ ସ୍ଥଗିତ ରଖିବା ପାଇଁ ବେଦାନ୍ତ ଗ୍ରୁପର ଆବେଦନକୁ ଖାରଜ କରିଦେଇଥିଲେ । ତଥାପି, ଟ୍ରିବ୍ୟୁନାଲ ଆବେଦନ ଉପରେ ସମସ୍ତ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି ଏବଂ ଏପ୍ରିଲ ୧୪ ରେ ପୁଣି ଥରେ ମାମଲାର ଶୁଣାଣି କରିବେ ବୋଲି କୁହଯାଉଛି।