ନୂଆଦିଲ୍ଲୀ: କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ କିଛି ପ୍ରସଙ୍ଗରେ ଅସହମତି ପ୍ରକାଶ କରିଛନ୍ତି। ସଂସଦ ମୌସୁମୀ ଅଧିବେଶନର ସତ୍ରାବସନରେ ହେଉଥିବା ଅଭୂତପୂର୍ବ ବିଳମ୍ବକୁ ନେଇ ଖଡଗେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ସର୍ବଦଳୀୟ ବୈଠକ ଡାକିବାକୁ ମଧ୍ୟ କହିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡଗେ ନୂଆ ପରିସୀମନକୁ ନେଇ ସରକାରଙ୍କୁ ସତର୍କ ମଧ୍ୟ କରିଛନ୍ତି।

ଏହି ବିଷୟରେ ସର୍ବଦଳୀୟ ବୈଠକ ଡାକିବା ଦାବିରେ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ସଂସଦରେ ପରିସୀମନ ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଏହାର ଜରୁରି ଆବଶ୍ୟକତା ରହିଛି। ବିରୋଧୀ ଦଳ ପରିସୀମନ ପ୍ରସ୍ତାବ ଉପରେ ସବୁ ପ୍ରକାରର ଚର୍ଚ୍ଚା କରିବାକୁ ଚାହାନ୍ତି ବୋଲି ଖଡଗେ କହିଛନ୍ତି। ସେହିପରି କୌଣସି ସମ୍ବିଧାନ ସଂଶୋଧନ ବିଧେୟକକୁ ଜୋର ଜବରଦସ୍ତ ଗୃହୀତ କରା ନଯାଉ। ଉଲ୍ଲେଖଯୋଗ୍ୟ ଯେ ଗତ ନିର୍ବାଚନରେ ବିଜେପି ବିରୋଧରେ ଅଭିଯୋଗ ଆଣିଥିଲେ ଯେ ସେମାନେ ଦୁଇ ତୃତିୟାଂଶ ବହୁମତ ସଂଗ୍ରହ କରି ସମ୍ବିଧାନ ସଂଶୋଧନ କରିବାକୁ ଚାହୁଁଛନ୍ତି। ତେବେ ମୋଦି ସରକାର ସମ୍ବିଧାନରେ କୌଣସି ପ୍ରକାରର ପରିବର୍ତ୍ତନ ପାଇଁ ଅନୁମତି ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନକୁ ଅଗଷ୍ଟ ୧୩ ତାରିଖ ଦିନ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା। ଏହା ପରଠାରୁ ଏ ପର୍ଯ୍ୟନ୍ତ ୬୪ ଦିନ ବିତିଲାଣି, ହେଲେ ଏ ପର୍ଯ୍ୟନ୍ତ ଉଭୟ ସଦନର ସତ୍ରାବସାନ ହୋଇ ନାହିଁ। ଏହି ବିଳମ୍ବ ଆଡକୁ ଇଶାରା କରି ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଅସନ୍ତୋଷ ଜଣାଇଛନ୍ତି। ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ(ସଞ୍ଚାର) ଜୟରାମ ରମେସ ଏକ୍ସ ରେ ଏକ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ଖଡଗେଜୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସଂସଦ ସତ୍ରାବସାନରେ ହେଉଥିବା ବିଳମ୍ବ ସମେତ ବିଭିନ୍ନ ପ୍ରସଙ୍ଗରେ ଧ୍ୟାନ ଆକର୍ଷଣ କରିଛନ୍ତି।