ନୂଆଦିଲ୍ଲୀ: ଦିଲ୍ଲୀ କନ୍ନଟ ପ୍ଲେସ୍ ରେ କକ୍ରୋଚ ଜନତା ପାର୍ଟି (ସିଜେପି) ଶୁକ୍ରବାର ଅପରାହ୍ନରେ ‘ତିରଙ୍ଗା ଯାତ୍ରା’ ଆହ୍ୱନ ଦେଇଛି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସିଜେପି ସଂସ୍ଥାପକ ଅଭିଜିତ ଦୀପକେଙ୍କ ଦିଲ୍ଲୀସ୍ଥିତ ଘରେ ପହଞ୍ଚି ତାଙ୍କୁ ନୋଟିସ୍ ଧରାଇଥିଲା। ନୂଆଦିଲ୍ଲୀ ଜିଲ୍ଲା ପୋଲିସ କହିଛି ଯେ ଏହି ପଦଯାତ୍ରା ପାଇଁ ଅନୁମତି ନଥାଇ ମଧ୍ୟ ଏହାର ଆୟୋଜନ ପାଇଁ ଜିଦ୍ କରାଯାଉଛି। ଏଣୁ ଅଭିଜିତ ଦୀପକେଙ୍କୁ ଆଇନଶୃଙ୍ଖଳାକୁ ଧ୍ୟାନରେ ରଖି ଯାତ୍ରା ଆୟୋଜନ ନ କରିବାକୁ ପରାମର୍ଶ   ଦିଆଯାଇଥିଲା। ଏହା ବାଦେ ଅପରାହ୍ନରେ ତିରଙ୍ଗା ଯାତ୍ରା ପାଇଁ ଅଭିଜିତ ଦୀପକେ ତାଙ୍କ ଝଣ୍ଡେୱାଲନ ଘରୁ ବାହାରିବା ମାତ୍ରେ ପୋଲିସ ଦ୍ୱାରା ଅଟକ ହୋଇଛନ୍ତି। କେବଳ ଦୀପକେ ନୁହନ୍ତି ପୋଲିସ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ (ଏଆଇଏସଏ) ଜାତୀୟ ସଭାପତି ନେହା ବୋରାଙ୍କୁ ମଣ୍ଡି ହାଉସ୍ ରେ ଅଟକ କରିଛି

ଅଭିଜିତ ଦୀପକେ ଦିଲ୍ଲୀ ଝଣ୍ଡେୱାଲନର ଏକ ଘରେ ରହୁଛନ୍ତି, ଯାହା ଏନସିପି ମୁଖପାତ୍ର ଅନିଶ ଗବଣ୍ଡେଙ୍କ ଘର। ଦିଲ୍ଲୀ ପୋଲିସ ଶୁକ୍ରବାର ମଧ୍ୟାହ୍ନ ପାଖାପାଖି ୨ଟା ବେଳେ ତାଙ୍କ ଘରେ ପହଞ୍ଚି ଥିଲା। ଅଭିଜିତ ଦୀପକେ ଏଥର ଅନିଶଙ୍କ ଘରେ ଅବସ୍ଥାନ କରୁଛନ୍ତି। ଏହା ପୂର୍ବରୁ ସେ ଯେତେବେଳେ ବି ଦିଲ୍ଲୀ ଆସୁଥିଲେ ଅନ୍ୟ ସ୍ଥାନରେ ରହୁଥିଲେ। ଦିଲ୍ଲୀ ପୋଲିସ ଘରକୁ ଆସିଥିବା ନେଇ ଯେତେବେଳେ ସାମ୍ବାଦିକ ଅନିଶଙ୍କୁ ପଚାରିଲେ ସେ ଏହା ଜାଣି ନଥିବା କହିଛନ୍ତି। କାରଣ ମଧ୍ୟାହ୍ନ ଭୋଜନ ପାଇଁ ସେ ବାହାରକୁ ଯାଇଥିଲେ। ଏଣୁ ନୋଟିସ୍ ସମ୍ପର୍କରେ ପଚରା ଯିବାରେ ଏହାକୁ ମୋତେ ପ୍ରଥମେ ପଢିବାକୁ ଦିଆଯାଉ ବୋଲି କହିଛନ୍ତି।

କନ୍ନଟ ପ୍ଲେସ୍ ର ସେଣ୍ଟ୍ରାଲ ପାର୍କରେ ଆଜି ତିରଙ୍ଗା ଯାତ୍ରା ଆୟୋଜନ ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେବ ନାହିଁ। ଦିଲ୍ଲୀ ପୋଲିସ ସ୍ପଷ୍ଟ କହିଛି ଯେ ସୁରକ୍ଷା ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ତଥା ସିଜେପିର ପିଛିଲା କଣ୍ଟକ୍ଟକୁ ଦେଖି ଅତି ସମ୍ବେଦନଶୀଳ ନୂଆଦିଲ୍ଲୀ ଜିଲ୍ଲାରେ କୌଣସି ପରିସ୍ଥିତିରେ ମଧ୍ୟ ତିରଙ୍ଗା ଯାତ୍ରା ବାହାର କରିବାକୁ ପାଇଁ ଅନୁମତି ଦିଆଯିବନି। ଏହା ସତ୍ତ୍ୱେ ଯାତ୍ରା ପାଇଁ ଦୀପକେ ଘରୁ ବାହାରିବା ମାତ୍ରେ ତାଙ୍କୁ ପୋଲିସ ଅଟକ କରିଛି। ଦିଲ୍ଲୀ ପୋଲିସ କହିବା କଥା ହେଉଛି ଏଥି ପାଇଁ ଦୀପକେଙ୍କୁ ଅଥବା ସିଜେପିର କୌଣସି କାର୍ଯ୍ୟକର୍ତ୍ତାଙ୍କୁ ଅନୁମତି ମିଳି ନାହିଁ। ତଥାପି ତିରଙ୍ଗା ଯାତ୍ରା ପାଇଁ ଲୋକେ କନ୍ନଟ ପ୍ଲେସ୍ ସେଣ୍ଟ୍ରାଲ ପାର୍କରେ ପହଞ୍ଚିବାରେ ଲାଗିଛନ୍ତି।