ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମିରଟର ଚର୍ଚ୍ଚିତ ସାପ କାଣ୍ଡ ମାମଲାରେ କୋର୍ଟ ଅତ୍ୟନ୍ତ କଠୋର ଏବଂ ଐତିହାସିକ ରାୟ ଶୁଣାଇଛନ୍ତି । ମୁଖ୍ୟ ଅଭିଯୁକ୍ତ ରବିତା ଏବଂ ତାଙ୍କ ପ୍ରେମିକ ଅମରଦୀପକୁ ଫାଶୀ ଦଣ୍ଡ ଦିଆଯାଇଛି । ଏହା ସହିତ ଏହି ମାମଲାକୁ କୋର୍ଟ 'ରେୟାର ଅଫ୍ ଦ ରେୟାରଷ୍ଟ' ଦର୍ଶାଇଛନ୍ତି । ରବିତା ନିଜ ସ୍ୱାମୀ ଅମିତ୍ କଶ୍ୟପଙ୍କ ହତ୍ୟାକୁ ସର୍ପାଘାତରେ ହୋଇଥିବା ମୃତ୍ୟୁ ଦର୍ଶାଇବା ପାଇଁ ମୃତଦେହ ନିକଟରେ ସାପ ଛାଡ଼ି ଷଡ଼ଯନ୍ତ୍ର ରଚିଥିଲା । ଏହା ଏହି ମାମଲାରେ କୋର୍ଟରେ ଶୁଣାଣି ବେଳେ ସରକାରୀ ଓକିଲ ରବିତା ଏବଂ ଅମରଦୀପଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ଅନ୍ୟ ଦୁଇ ଦୋଷୀ ରବିତା ଏବଂ ଅମରଦୀପ କିଛି ମଧ୍ୟ କହିବାକୁ ମନା କରିଦେଇଥିଲ ।

ଅମିତ୍ କଶ୍ୟପଙ୍କ ମାଆ ମୁନେଶ ଦେବୀ ମଧ୍ୟ ଦୁଇ ଦୋଷୀଙ୍କ ମୃତ୍ୟୁ ଦଣ୍ଡ ଦାବି କରିଥିଲେ । ପୀଡ଼ିତ ପରିବାର ମଧ୍ୟ କୋର୍ଟରେ ଉପସ୍ଥିତ ରହିଥିଲେ । ଦଣ୍ଡ ଘୋଷଣା ପୂର୍ବରୁ ରବିତା ଏବଂ ଅମରଦୀପଙ୍କୁ ଅନଲାଇନ୍ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ସଜାକୁ ନେଇ ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଅଭିଯୁକ୍ତ ପକ୍ଷର ଓକିଲ କୋର୍ଟରେ କୋହଳ ଦଣ୍ଡ ପାଇଁ ଅନୁରୋଧ କରିଥିଲେ । ଅନ୍ୟପଟେ ପୀଡ଼ିତ ପକ୍ଷର ଓକିଲ ଏହି ଜଘନ୍ୟ କୃତ୍ୟକୁ ସମାଜ ପାଇଁ ଗମ୍ଭୀର ସନ୍ଦେଶ ଉଲ୍ଲେଖ କରି ଦୋଷୀଙ୍କ ମୃତ୍ୟୁ ଦଣ୍ଡ ଦାବି ଉପରେ ଜୋର ଦେଇଥିଲେ ।

Also Read: ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ସାହିଲ- ମୁସ୍କାନକୁ ମିଳିଲା ମୃତ୍ୟୁ ଦଣ୍ଡ

ମିରଟର ଏହି ସାପ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ରବିତା ନିଜ ପ୍ରେମିକ ଅମରଦୀପଙ୍କ ସହିତ ମିଶି ତାଙ୍କ ସ୍ୱାମୀ ଅମିତ୍ କଶ୍ୟପଙ୍କୁ ହତ୍ୟା କରିଥିଲେ । କିନ୍ତୁ ପରେ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଦର୍ଶାଇବାକୁ ଷଡ଼ଯନ୍ତ୍ର ରଚିଥିଲେ । ଏଥିପାଇଁ ଏକ ସାପ ଆଣି ଶବ ଉପରେ ଫିଙ୍ଗି ଦିଆଯାଇଥିଲା । ୨୦୨୫ ଏପ୍ରିଲ୍ ୧୨ ରାତିରେ ବହୁସୁମାର ଆକବରପୁର ସାଦତ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ପରେ ପୋଲିସ ରବିତା ଏବଂ ତାଙ୍କ ପ୍ରେମିକ ଅମରଦୀପଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ରବିତା ଏବଂ ଅମରଦୀପ ବାରମ୍ବାର ଫୋନରେ କଥାବାର୍ତ୍ତା ହେଉଥିଲେ ବୋଲି ଜଣାପଡ଼ିଥିଲା । ହତ୍ୟା ରାତିରେ ମଧ୍ୟ ସେମାନେ ୫୦ ଥରରୁ ଅଧିକ ଥର କଥା ହୋଇଥିଲେ । ଏହା ବ୍ୟତୀତ, ହତ୍ୟା ରାତିରେ ଅମରଦୀପଙ୍କୁ ଘରୁ ବାହାରକୁ ଯାଉଥିବାର ଦେଖାଯାଇଥିଲା । ଏହି ମାମଲାର ବିଚାର ଏଡିଜେ-୧୨ କୋର୍ଟରେ ଚାଲିଥିଲା । ଅକ୍ଟୋବର ୭ ତାରିଖରେ କୋର୍ଟ ରବିତା ଏବଂ ତାଙ୍କ ପ୍ରେମିକ ଅମରଦୀପଙ୍କୁ ଦୋଷୀ ଘୋଷଣା କରିଥିଲେ ।