ନୂଆଦିଲ୍ଲୀ ୧୫।୦୫ : ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ରଖାଯାଉ ଥିବା ବଟ ସାବିତ୍ରୀ ବ୍ରତର ଖୁବ୍ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ବିବାହିତ ମହିଳାମାନେ ଏହି ବ୍ରତକୁ ବିଧି-ବିଧାନର ସହ ରଖିଲେ ସେମାନଙ୍କୁ ଅଖଣ୍ଡ ସୌଭାଗ୍ୟର ବରଦାନ ପ୍ରାପ୍ତ ହୋଇଥାଏ। ପଞ୍ଚାଙ୍ଗ ଅନୁସାରେ, ସ୍ୱାମୀଙ୍କ ଆୟୁଷ ବୃଦ୍ଧି କରୁଥିବା ଏହି ବଟ ସାବିତ୍ରୀ ବ୍ରତ ଚଳିତ ବର୍ଷ ୧୬ ମେ’ ୨୦୨୬, ଶନିବାର ଦିନ ରଖାଯିବ। ହିନ୍ଦୁ ମାନ୍ୟତା ଅନୁଯାୟୀ, ବଟ ସାବିତ୍ରୀର ଯେଉଁ ଉପବାସ ଦ୍ୱାରା ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ପାଆନ୍ତି, ସେଥିରେ କେବଳ ପୂଜା ନୁହେଁ ବରଂ ଏହା ସହିତ ଜଡ଼ିତ ପବିତ୍ର କଥା ଶ୍ରବଣ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଆସନ୍ତୁ ବଟ ସାବିତ୍ରୀ ବ୍ରତର ସମ୍ପୂର୍ଣ୍ଣ କଥା ଏବଂ ଏହାର ବିଧି ବିଷୟରେ ବିସ୍ତୃତ ଭାବେ ଜାଣିବା।

ବିଶ୍ୱାସ ରହିଛି ଯେ, ପୂର୍ବେ ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ରାଜା ରାଜତ୍ୱ କରୁଥିଲେ। ସେ ଅତ୍ୟନ୍ତ ଦୟାଳୁ ଏବଂ ଧାର୍ମିକ ପ୍ରବୃତ୍ତିର ଥିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲେ। ଜ୍ୟୋତିଷମାନଙ୍କ ପରାମର୍ଶ କ୍ରମେ ସେ ସନ୍ତାନ ପ୍ରାପ୍ତି ପାଇଁ ଏକ ବଡ଼ ଯଜ୍ଞ କରିଥିଲେ, ଯାହା ପରେ ତାଙ୍କର ଏକ ସୁନ୍ଦର କନ୍ୟା ଜନ୍ମ ହେଲା ଏବଂ ସେ ତାଙ୍କ ନାମ ସାବିତ୍ରୀ ରଖିଲେ। ସାବିତ୍ରୀ ବଡ଼ ହେବା ପରେ ବିବାହ ପାଇଁ ସତ୍ୟବାନ ନାମକ ଜଣେ ଯୁବକଙ୍କୁ ଚୟନ କଲେ । ଯେତେବେଳେ ଦେବର୍ଷି ନାରଦ ଏହି କଥା ଜାଣିବାକୁ ପାଇଲେ, ସେ ସାବିତ୍ରୀଙ୍କ ପିତା ଅଶ୍ୱପତିଙ୍କୁ କହିଲେ ଯେ, ଯେଉଁ ସତ୍ୟବାନଙ୍କୁ ସାବିତ୍ରୀ ବିବାହ କରିବାକୁ ଯାଉଛନ୍ତି ତାଙ୍କର ଆୟୁଷ ଅତି କମ୍, ତେଣୁ ତାଙ୍କୁ ଅନ୍ୟ କୌଣସି ବର ଖୋଜିବା ଉଚିତ। ନାରଦ ମୁନିଙ୍କ ଠାରୁ ଏହି କଥା ଶୁଣି ରାଜା ଅଶ୍ୱପତି ସାବିତ୍ରୀଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସାବିତ୍ରୀ ଏହି ଯୁକ୍ତି ବାଢ଼ିଲେ ଯେ ହିନ୍ଦୁ ନାରୀମାନେ ବର ରୂପରେ ଜଣେ ପୁରୁଷଙ୍କୁ କେବଳ ଥରେ ହିଁ ଚୟନ କରନ୍ତି। ଏହାପରେ ରାଜା ଅଶ୍ୱପତି ସାବିତ୍ରୀଙ୍କ ବିବାହ ସତ୍ୟବାନଙ୍କ ସହ କରାଇ ଦେଲେ।

ଯେତେବେଳେ ନାରଦ କହିଲେ ସତ୍ୟବାନଙ୍କ ମୃତ୍ୟୁ ସମୟ

ସତ୍ୟବାନଙ୍କ ପିତାଙ୍କ ନାମ ଥିଲା ଦ୍ୟୁମତ୍ସେନ, ଯାହାଙ୍କ ରାଜପାଟ ଛଡ଼ାଇ ନିଆଯାଇ ଥିଲା। ସତ୍ୟବାନଙ୍କ ପିତାମାତା ଉଭୟ ଦୃଷ୍ଟିଶକ୍ତି ହରାଇ ବନରେ ବାସ କରୁଥିଲେ। ବିବାହ ପରେ ସାବିତ୍ରୀ ମଧ୍ୟ ସେହି ବନରେ ରହି ନିଜ ସ୍ୱାମୀଙ୍କ ସହ ଶ୍ୱଶୁର ଏବଂ ଶାଶୁଙ୍କ ସେବା କରିବାକୁ ଲାଗିଲେ। କିଛି ଦିନ ପରେ ନାରଦ ମୁନି ସାବିତ୍ରୀଙ୍କ ପାଖକୁ ଆସି କହିଲେ ଯେ ଏବେ ସତ୍ୟବାନଙ୍କ ମୃତ୍ୟୁ ସମୟ ଆସି ଯାଇଛି। ଏହା ଜାଣିବା ପରେ ସାବିତ୍ରୀ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଉପବାସ କରିବା ଆରମ୍ଭ କଲେ। ମାନ୍ୟତା ଅନୁଯାୟୀ, ନାରଦ ମୁନି ଯେଉଁ ତିଥିରେ ସତ୍ୟବାନଙ୍କ ମୃତ୍ୟୁ କଥା କହି ଥିଲେ, ସେଦିନ ମଧ୍ୟ ସାବିତ୍ରୀ ନିଜର ବ୍ରତ ରଖିଥିଲେ।

ଯମରାଜଙ୍କ ପଛେ ପଛେ ଚାଲିଲେ ସାବିତ୍ରୀ

ସେଦିନ ସତ୍ୟବାନ ଯେତେବେଳେ କାଠ କାଟିବାକୁ ଜଙ୍ଗଲକୁ ଗଲେ, ସାବିତ୍ରୀ ମଧ୍ୟ ତାଙ୍କ ସହ ଗଲେ। ଜଙ୍ଗଲରେ କାଠ କାଟୁଥିବା ବେଳେ ସତ୍ୟବାନଙ୍କ ମୁଣ୍ଡରେ ହଠାତ୍ ପ୍ରବଳ ଯନ୍ତ୍ରଣା ହେଲା ଏବଂ ସେ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ଶୋଇ ପଡ଼ିଲେ। ସାବିତ୍ରୀ ହଠାତ୍ ଦେଖିଲେ ଯେ ସେଠାରେ ଯମରାଜ ନିଜ ଦୂତମାନଙ୍କ ସହ ପହଞ୍ଚିଛନ୍ତି। ଏହାପରେ ଯମରାଜ ଯେତେବେଳେ ସତ୍ୟବାନଙ୍କ ପ୍ରାଣ ହରଣ କରି ଦକ୍ଷିଣ ଦିଗକୁ ଯିବାକୁ ଲାଗିଲେ, ସାବିତ୍ରୀ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ। ସାବିତ୍ରୀଙ୍କୁ ପଛେ ପଛେ ଆସୁଥିବା ଦେଖି ଯମରାଜ କହିଲେ, ହେ ପତିବ୍ରତା ନାରୀ! ତୁମେ ଯେଉଁ ପର୍ଯ୍ୟନ୍ତ ନିଜ ସ୍ୱାମୀଙ୍କ ସହ ରହିବାର ଥିଲା ରହିଲ, ଏବେ ତୁମେ ଫେରି ଯାଅ। ସେତେବେଳେ ସାବିତ୍ରୀ କହିଥିଲେ, ଯେଉଁଠି ମୋର ସ୍ୱାମୀ ରହିବେ, ମତେ ମଧ୍ୟ ତାଙ୍କ ସହ ସେଇଠି ରହିବାକୁ ହେବ। ଏହା ହିଁ ସ୍ୱାମୀଙ୍କ ପ୍ରତି ମୋର ଧର୍ମ ।

ସାବିତ୍ରୀଙ୍କ କଥା ଶୁଣି ଯମରାଜ ପ୍ରସନ୍ନ ହୋଇଗଲେ ଏବଂ ତାଙ୍କୁ ବର ମାଗିବାକୁ କହିଲେ । ସେତେବେଳେ ସାବିତ୍ରୀ ତାଙ୍କୁ ନିଜ ଶ୍ୱଶୁର ଏବଂ ଶାଶୁଙ୍କ ଆଖିର ଜ୍ୟୋତି ଫେରାଇ ଦେବାକୁ କହିଲେ । ଯମରାଜ 'ତଥାସ୍ତୁ' କହି ସାବିତ୍ରୀଙ୍କୁ ଫେରି ଯିବାକୁ କହିଲେ, କିନ୍ତୁ ସାବିତ୍ରୀ ପୁଣି ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ସାବିତ୍ରୀଙ୍କ ପତିବ୍ରତା ଗୁଣ ଦେଖି ଯମରାଜ ପୁଣି ଥରେ ତାଙ୍କୁ ବର ମାଗିବାକୁ କହିଲେ। ସେତେବେଳେ ସାବିତ୍ରୀ ନିଜ ଶ୍ୱଶୁରଙ୍କ ହରାଇ ଥିବା ରାଜ୍ୟ ଫେରାଇ ମାଗିଲେ । ଯମରାଜ 'ତଥାସ୍ତୁ' କହି ତାଙ୍କର ଏହି ମନସ୍କାମନା ମଧ୍ୟ ପୂର୍ଣ୍ଣ କରିଦେଲେ, କିନ୍ତୁ ସାବିତ୍ରୀ ତଥାପି ଯମ ଦେବତାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।

ସାବିତ୍ରୀଙ୍କ ଦ୍ୱାରା ପତିବ୍ରତ ଧର୍ମ ପାଳନ କରୁଥିବା ଦେଖି ଯମରାଜ ପୁଣି ଥରେ ସାବିତ୍ରୀଙ୍କୁ ବର ମାଗିବାକୁ କହିଲେ, ସେତେବେଳେ ସେ କହିଲେ ମୁଁ ସତ୍ୟବାନଙ୍କ ୧୦୦ ପୁତ୍ରର ମାଆ ହେବାକୁ ଚାହୁଁଛି । ଯମରାଜ ସାବିତ୍ରୀଙ୍କ ପତିବ୍ରତା ଗୁଣକୁ ଦେଖି ଏହି ବରଦାନ ମଧ୍ୟ ଦେଲେ ଏବଂ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଲେ । ଏହିପରି ଭାବେ ସାବିତ୍ରୀ କେବଳ ନିଜ ସ୍ୱାମୀଙ୍କ ପ୍ରାଣ ନୁହେଁ ବରଂ ନିଜ ଶ୍ୱଶୁର ଓ ଶାଶୁଙ୍କ ଦୃଷ୍ଟିଶକ୍ତି ଏବଂ ରାଜ୍ୟକୁ ମଧ୍ୟ ଫେରାଇ ଆଣିଲେ । ମାନ୍ୟତା ରହିଛି ଯେ ଏହି ପବିତ୍ର ବଟ ସାବିତ୍ରୀ ବ୍ରତ କଥା କହିବା କିମ୍ବା ଶୁଣିବା ଦ୍ୱାରା ବିବାହିତ ମହିଳାମାନଙ୍କୁ ଅଖଣ୍ଡ ସୌଭାଗ୍ୟର ବରଦାନ ପ୍ରାପ୍ତି ହୋଇଥାଏ ।

ବଟ ସାବିତ୍ରୀ ବ୍ରତ କଥାର ବିଧି

ହିନ୍ଦୁ ମାନ୍ୟତା ଅନୁଯାୟୀ, ବଟ ସାବିତ୍ରୀର ପବିତ୍ର କଥା କହି କିମ୍ବା ଶୁଣି ପୁଣ୍ୟଲାଭ କରିବା ପାଇଁ ପ୍ରାତଃକାଳରେ ସ୍ନାନ କରିବା ପରେ ଶୁଭ ଏବଂ ସୌଭାଗ୍ୟ ବୃଦ୍ଧି କରୁଥିବା ନାଲି କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହାପରେ କୌଣସି ସ୍ୱଚ୍ଛ ବଟ ବୃକ୍ଷ ମୂଳେ କିମ୍ବା ଘରେ ବରଗଛର ଏକ ଡାଳକୁ କୁଣ୍ଡରେ ଲଗାଇ ତାହା ପାଖରେ ସାବିତ୍ରୀ ଏବଂ ସତ୍ୟବାନଙ୍କ ଚିତ୍ର ରଖିବା ଉଚିତ। ଏହାପରେ ତାହାକୁ ବିଧି-ବିଧାନର ସହ ପୂଜା ଏବଂ ପରିକ୍ରମା କରିବା ପରେ ବଟ ସାବିତ୍ରୀ ବ୍ରତର କଥା କହିବା କିମ୍ବା ଶ୍ରଦ୍ଧାପୂର୍ବକ ତାହା ଶୁଣିବା ଉଚିତ ।

Also Read-Trigrahi Yog 2026: ମଙ୍ଗଳ, ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗରେ ବଦଳିବ ଭାଗ୍ୟ, ଏହି ରାଶିମାନଙ୍କ ହେବ ଜବରଦସ୍ତ ଫାଇଦ