ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡରୁ ଏକ ଚକିତ କଲାଭଳି ଜୀବାଶ୍ମ (Fossil) ଆବିଷ୍କୃତ ହୋଇଛି, ଯାହା ପୃଥିବୀରେ ଜୀବମାନଙ୍କର ବିବର୍ତ୍ତନ ଇତିହାସକୁ ଏକ ନୂଆ ଦିଗ ଦେଇଛି। ଗବେଷକମାନେ ଭାରତର ଗୁଜରାଟ ରାଜ୍ୟରୁ (କଚ୍ଛ ଅଞ୍ଚଳର ଏକ କୋଇଲା ଖଣିରୁ) ପ୍ରାୟ ୪୭ ମିଲିୟନ୍ (୪ କୋଟି ୭୦ ଲକ୍ଷ) ବର୍ଷ ପୁରୁଣା ଏକ ବିଶାଳକାୟ ସାପର ଜୀବାଶ୍ମ ଉଦ୍ଧାର କରିଛନ୍ତି। ବୈଜ୍ଞାନିକମାନେ ଏହି ପ୍ରାଚୀନ ସାପର ନାମ ପୌରାଣିକ କଥାବସ୍ତୁକୁ ଆଧାର କରି 'ବାସୁକୀ ଇଣ୍ଡିକସ୍' (Vasuki indicus) ରଖିଛନ୍ତି।

ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଏହି ସାପର ଲମ୍ବ ପ୍ରାୟ ୪୮ ରୁ ୫୦ ଫୁଟ୍ (ପ୍ରାୟ ୧୫ ମିଟର) ଥିଲା ଏବଂ ଏହାର ଓଜନ ପାଖାପାଖି ୧,୦୦୦ କିଲୋଗ୍ରାମ  ଥିଲା। ଏହି ସାପର ଆକାର ବର୍ତ୍ତମାନର ସବୁଠାରୁ ବଡ଼ ଆନାକୋଣ୍ଡା କିମ୍ବା ପାଇଥନ୍ (ଅଜଗର) ଠାରୁ ମଧ୍ୟ ବହୁ ଗୁଣ ଅଧିକ।

ପ୍ରାୟ ୧୬୦ ମିଲିୟନ୍ (୧୬ କୋଟି) ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠକୁ ଆସିଥିବା ପ୍ରାଥମିକ ପ୍ରଜାତିର ସାପ ପ୍ରଥମେ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିଲେ। ଧୀରେ ଧୀରେ ସେମାନେ ନିଜ ଶରୀରକୁ ସ୍ଥଳଭାଗର ପରିବେଶ ସହ ଖାପଖୁଆଇ ବଞ୍ଚିବା ଶିଖିଥିଲେ। 'ବାସୁକୀ'ର ଆବିଷ୍କାର ପ୍ରମାଣ କରୁଛି ଯେ, ପ୍ରାଚୀନ କାଳରେ ଏହି ଜୀବମାନେ କେତେ ବଡ଼ ଆକାର ଧାରଣ କରିପାରୁଥିଲେ।

ଏହି ପ୍ରଜାତିର ସାପର ନାମକରଣ ହିନ୍ଦୁ ପୁରାଣର ପ୍ରସିଦ୍ଧ ସାପ  'ବାସୁକୀ'ଙ୍କ ନାମ ଅନୁସାରେ କରାଯାଇଛି। ସନାତନ ଧର୍ମର ପୌରାଣିକ କଥାବସ୍ତୁ ଅନୁଯାୟୀ, ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ହୋଇଥିବା ପ୍ରସିଦ୍ଧ 'ସମୁଦ୍ର ମନ୍ଥନ' ସମୟରେ ବାସୁକୀଙ୍କୁ ହିଁ ଦଉଡ଼ି (ରସି) ଭାବରେ ବ୍ୟବହାର କରାଯାଇଥିଲା। ଏହାର ବିଶାଳ ଆକାର ଯୋଗୁଁ ବୈଜ୍ଞାନିକମାନେ ଏହାକୁ ଏହି ନାମରେ ନାମିତ କରିଛନ୍ତି।