ଆଇପିଏଲ୍ ୨୦୨୬: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ବିଶ୍ୱ କ୍ରିକେଟକୁ ଚକିତ କରିଥିବା ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜ ସଫଳତାର ମନ୍ତ୍ର କହିଛନ୍ତି । ଆଇପିଏଲ୍‌ର MVP ଏବଂ ଅରେଞ୍ଜ କ୍ୟାପ୍ ବିଜେତା ବୈଭବଙ୍କ କହିବାନୁଯାୟୀ, ମ୍ୟାଚ୍‌ର ପରିସ୍ଥିତିକୁ ପଢ଼ି ଦଳର ଆବଶ୍ୟକତା ଅନୁସାରେ ନିଜ ଖେଳକୁ ବଦଳାଇବା ହିଁ ତାଙ୍କୁ ଏହି ସଫଳତା ଦେଇଛି।

ଏହି ଚମତ୍କାର ଇନିଂସ ଏବେ ତାଙ୍କ କ୍ରିକେଟ୍ ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ପାଲଟିଛି:

 ପରିସ୍ଥିତି ଅନୁଯାୟୀ ଖେଳ ବଦଳାଇବା ଜରୁରୀ: ପୁରସ୍କାର ଗ୍ରହଣ କରିବା ପରେ ବୈଭବ କହିଛନ୍ତି, "ଚଳିତ ସିଜନରୁ ମୋର ସବୁଠାରୁ ବଡ଼ ଶିକ୍ଷା ହେଉଛି ଚାପ ବେଳେ କିପରି ଶାନ୍ତ ରହିବାକୁ ହୁଏ। ଆପଣ ହଠାତ୍ ସବୁ ମ୍ୟାଚ୍‌ରେ ଏକାଭଳି ମୋଡ୍‌ରେ ବ୍ୟାଟିଂ କରିପାରିବେ ନାହିଁ। ପରିସ୍ଥିତିକୁ ଦେଖି ଦଳ ପାଇଁ ଖେଳିବାକୁ ପଡ଼ିବ।" ଯଦିଓ ରାଜସ୍ଥାନ ରୟାଲ୍ସ କ୍ୱାଲିଫାୟର୍-୨ ରେ ଗୁଜରାଟ ଟାଇଟନ୍ସଠାରୁ ହାରି ଫାଇନାଲ୍ ରେସରୁ ବାଦ୍ ପଡ଼ିଥିଲା, କିନ୍ତୁ ବୈଭବ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ।

  ସିଜନରେ ବୈଭବଙ୍କ ଦମଦାର୍ ରେକର୍ଡ: ସେ ଚଳିତ ଆଇପିଏଲ୍‌ର ୧୬ଟି ପାଳିରୁ ୪୮.୫୦ ହାର ଏବଂ ୨୩୭.୩୦ର ଷ୍ଟ୍ରାଇକ୍ ରେଟ୍‌ରେ ସମୁଦାୟ ୭୭୬ ରନ୍ ସଂଗ୍ରହ କରିଛନ୍ତି। ଏହି ସିଜନରେ ତାଙ୍କ ବ୍ୟାଟ୍‌ରୁ ଗୋଟିଏ ଶତକ ଏବଂ ୫ଟି ଚମତ୍କାର ଅର୍ଦ୍ଧଶତକ ମାରିଛନ୍ତି।

  ଭାଙ୍ଗିଲା କ୍ରିସ୍ ଗେଲ୍‌ଙ୍କ ବିଶ୍ୱ ରେକର୍ଡ: ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଯୋଗୁଁ ସେ ସମଗ୍ର ସିଜନରେ ରେକର୍ଡ ୭୨ଟି ଛକା ମାରିଛନ୍ତି। ଏହାସହ ସେ ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍‌ଙ୍କ ଗୋଟିଏ ସିଜନରେ ମାରିଥିବା ସର୍ବାଧିକ ୫୯ଟି ଛକାର ୧୩ ବର୍ଷ ପୁରୁଣା ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

  ରବି ଶାସ୍ତ୍ରୀଙ୍କ ମଜାଦାର ପ୍ରଶ୍ନ - "କେତେ କ୍ଷୀର ପିଉଛ?":

ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନ୍ ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଟର ରବି ଶାସ୍ତ୍ରୀ ତାଙ୍କ ପାୱାର୍-ହିଟିଂ ଦେଖି ମଜାରେ ପଚାରିଥିଲେ, "ତୁମେ ଏତେ ଲମ୍ବା ଛକା ମାରୁଛ, ଦିନକୁ କେତେ କ୍ଷୀର ପିଉଛ?"

  ବୈଭବଙ୍କ ଉତ୍ତର - "ଏବେ କ୍ଷୀର ପିଉନାହିଁ, ଫିଟନେସ୍ ଜରୁରୀ":
ଏହି ପ୍ରଶ୍ନର ଉତ୍ତରରେ ୧୫ ବର୍ଷୀୟ ବୈଭବ ହସି କହିଥିଲେ, "ମୁଁ ଏବେ କ୍ଷୀର ପିଉନାହିଁ। କିନ୍ତୁ ମୁଁ କେବଳ ମୋ ଖେଳ ଉପରେ ଭରସା ରଖେ। ଯଦି ବଲ୍ ମୋ ଜୋନ୍ (Zone) ରେ ଥାଏ, ମୁଁ ମୋ ସଟ୍ ଖେଳିବାକୁ ପସନ୍ଦ କରେ।" ଏହାସହ ଆଗକୁ ଲମ୍ବା ସମୟ ଖେଳିବା ପାଇଁ ନିଜର ଫିଟନେସ୍ ଏବଂ ଶରୀରକୁ ଆଘାତମୁକ୍ତ ରଖିବା ତାଙ୍କର ପରବର୍ତ୍ତୀ ସବୁଠାରୁ ବଡ଼ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।