ମୁମ୍ବାଇ, ୦୭/୦୪ : ମଙ୍ଗଳବାର ଆଇପିଏଲରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟ ଦଳରେ ସୁପରଷ୍ଟାର୍ ରହିଛନ୍ତି । ମୁମ୍ବାଇର ବ୍ୟାଟିଂ ଶକ୍ତିଶାଳୀ ଥିବା ବେଳେ ରାଜସ୍ଥାନରେ ଯଶସ୍ୱୀ ଜୟସ୍ୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ଫର୍ମରେ ରହିଛନ୍ତି ।

କୁହାଯାଉଛି ଯେ, ମୁକାବିଲାରେ ଜସପ୍ରିତ ବୁମରା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ମୁମ୍ବାଇ ବୋଲର ବୁମରା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର । ଅନ୍ୟ ଦିଗରେ ବୈଭବ କେଉଁ ବୋଲରଙ୍କୁ ଖାତିର କରୁନାହାଁନ୍ତି । ସବୁ ବୋଲରଙ୍କ ବଲକୁ ବାଉଣ୍ଡରୀ ଲାଇନ ବାହାରକୁ ପଠାଇ ଦେଉଛନ୍ତି । ଯାହା ମ୍ୟାଚକୁ ଖୁବ୍ ରୋମାଞ୍ଚକର କରିବ ।

ବୈଭବଙ୍କୁ ନେଇ ଏମିତି କହିଲେ ମୁମ୍ବାଇ କୋଚ୍

ମୁମ୍ବାଇ ଇଣ୍ଡିଆନ୍ସର କୋଚ୍ ପାରସ ମାମ୍ବରେ କହିଛନ୍ତି ଯେ, ବୈଭବଙ୍କୁ ସେ ବର୍ଷେ ହେବ ଦେଖୁଛନ୍ତି । ଏହା ସତ ଯେ ବୈଭବ ଜଣେ ପ୍ରତିଭାବାନ୍ ବ୍ୟାଟର । କିନ୍ତୁ ମୁମ୍ବାଇ ପାଇଁ ସେ ସରପ୍ରାଇଜ୍ ନୁହଁନ୍ତି । ସେ ନୂଆ ମଧ୍ୟ ନୁହେଁ । ପୂର୍ବରୁ ମୁମ୍ବାଇ ବିପକ୍ଷରେ ସେ ଖେଳିଛନ୍ତି ।

ପାରସ ଆହୁରି କହିଛନ୍ତି ଯେ, ବୈଭବ ଜଣେ ଭଲ ଖେଳାଳି । ତାଙ୍କୁ କିପରି ମୁକାବିଲା କରାଯିବ ସେନେଇ ମୁମ୍ବାଇ ଖାସ୍ ରଣନୀତି ପ୍ରସ୍ତୁତ କରିଛି । ସେହିପରି ରାଜସ୍ଥାନରେ ରବି ବିଷ୍ଣୋଇ ଏବେ ଭଲ ବୋଲିଂ କରୁଛନ୍ତି । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ସେ କିଛି ନୂଆ କରୁ ନାହାଁନ୍ତି । ମୁମ୍ବାଇ ବ୍ୟାଟରଙ୍କ ପାଖରେ ରବିଙ୍କ ଲେଗ୍ ସ୍ପିନର ଉତ୍ତର ରହିଛି ।

ଅପରାଜେୟ ରାଜସ୍ଥାନ

ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ଏବେସୁଦ୍ଧା ଅପରାଜେୟ ରହିଛି । ଦଳ ଦୁଇଟି ମୁକାବିଲା ଖେଳିଛି । ଦୁଇଟି ଯାକ ମ୍ୟାଚରେ ବିଜୟ ଲାଭ କରିଛି । ପଏଣ୍ଟ ତାଲିକାରେ ମଧ୍ୟ ତୃତୀୟରେ ରହିଛି । ଅନ୍ୟ ଦିଗରେ ମୁମ୍ବାଇ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ତେଣୁ ଆଜିର ମୁକାବିଲା ଜିତି ଏମଆଇ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିବ ।