ବେଙ୍ଗାଲୁରୁ, ୨୩/୦୮ : ସମସ୍ତେ ଭାବୁଥିଲେ ଘରୋଇ ମୁକାବିଲାରେ ଦମଦାର ବ୍ୟାଟିଂ କରିବେ ବୈଭବ ସୂର୍ଯ୍ୟବଂଶୀ । ଛକା ଚଉକାରେ ବର୍ଷା ହେବ ଷ୍ଟାଡିୟମରେ । ବଡ ବଡ ସଟ୍ ଖେଳିବେ ୧୫ ବର୍ଷର ବିଶ୍ମୟ ବାଳକ । ବଲ୍ ମାରି ହଜାଇଦେବେ । ଫ୍ୟାନ୍ସ ମଧ୍ୟ ଘରୋଇ ମ୍ୟାଚରେ କରିଥିଲେ ଗହଳି । ଖଚାଖଚ୍ ଭର୍ତ୍ତି ଥିଲା ଦର୍ଶକ ଗ୍ୟାଲେରୀ । ହେଲେ ମ୍ୟାଚ୍ ଆରମ୍ଭ ପରେ ସବୁ ଆଶା ଫସର ଫାଟି ଯାଇଛି । ମାତ୍ର ଅଳ୍ପ କେତୋଟି ବଲ୍ ଖେଳି ପ୍ୟାଭିଲିୟନ ଫେରିଛନ୍ତି ବୈଭବ । ଅଜଣା ବୋଲର ତାଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଦୁଲୀପ ଟ୍ରଫିରେ ବୈଭବ ଆଶାନୁରୂପକ ପଦାର୍ପଣ କରିନାହାଁନ୍ତି । ନର୍ଥ ଇଷ୍ଟ୍ ବିପକ୍ଷ କ୍ୱାର୍ଟର ଫାଇନାଲରେ ସେ ଇଷ୍ଟ୍ ଜୋନ୍ ପାଇଁ ପ୍ରଥମ ପାଳିରେ ମାତ୍ର ୫ ରନ୍ କରି ଆଉଟ୍ ହୋଇଛନ୍ତି । ସେ ଲଗାତାର ଦୁଇଟି ଚଉକା ଲଗାଇ ନିଜର ଦମ୍ ଦେଖାଇଥିଲେ । କିନ୍ତୁ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଅଧିକ ସମୟ ଧରି ସେ ବଜାୟ ରଖିପାରି ନଥିଲେ ।

ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ନର୍ଥ ଇଷ୍ଟ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଇଷ୍ଟ୍ ଜୋନ୍ ପକ୍ଷରୁ ବୈଭବ ଓପନିଂ କରିଥିଲେ । ଇନିଂସର ଦ୍ୱିତୀୟ ଓଭରରେ ବିଶ୍ୱୋରଜିତ୍ କାନଥୋଜମ୍ ଙ୍କୁ ସେ ଲଗାତାର ଦୁଇଟି ଚଉକା ଲଗାଇଥିଲେ । କିନ୍ତୁ ଏହାପରେ ସେ କଭରରେ ଏକ ସଟ୍ ଖେଳିବାକୁ ପ୍ରୟାସ କରିଥିଲେ । ହେଲେ ଏହା ଗଲି ଦିଗକୁ ଯାଇଥିଲା । ସେଠାରେ ଫିଲ୍ଡିଂ କରୁଥିବା ଜୋସେଫ୍ ଲାଲଥନଖୁମା ବଲକୁ କ୍ୟାଚ୍ କରିଥିଲେ । ଫଳରେ ବୈଭବ ପ୍ୟାଭିଲିୟନ ଫେରିଥିଲେ ।

Also Read :- ଅଷ୍ଟ୍ରେଲିଆକୁ କନ୍ଦାଇଦେଲେ ବାଂଲାଦେଶର ଏହି ବୋଲର : ୩୩ ବର୍ଷ ପରେ ହେଲା ଏମିତି ଚମତ୍କାର !

କିଏ ଏହି ବିଶ୍ୱୋରଜିତ୍ ?

ବାମହାତୀ ବୋଲର ବିଶ୍ୱୋରଜିତ୍ ମଣିପୁର ଇମ୍ପାଲର ବାସିନ୍ଦା । ୩୦ ବର୍ଷୀୟ ଏହି ଖେଳାଳିଙ୍କ ଏହା ୪୮ ତମ ପ୍ରଥମ ଶ୍ରେଣୀ ମୁକାବିଲା । ସେ ୪୭ଟି ମ୍ୟାଚରେ ୨୭.୮୨ ଆଭରେଜରେ ୧୪୫ ଓ୍ୱିକେଟ୍ ନେଇଛନ୍ତି । ଏହାସହ ୪୯ଟି ଲିଷ୍ଟ୍ ଏ କ୍ରିକେଟରେ ସେ ୬୬ଟି ଶିକାର କରିଛନ୍ତି ।