ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗୁରୁବାର ଏକ ବଡ଼ ଅଘଟଣ ଘଟିଛି। ପିପଲକୋଟିସ୍ଥିତ ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (THDC)ର ନିର୍ମାଣାଧୀନ ପ୍ରକଳ୍ପର ଏକ ଟନେଲ୍ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଏକାଧିକ ଶ୍ରମିକ ଭିତରେ ଫସି ଯାଇଛନ୍ତି। ଟନେଲ୍ ଭିତରକୁ ମାଟି ଓ ପାଣି ପଶିଯିବା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣା ସମୟରେ ଟନେଲ୍ ଭିତରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ ଥିଲେ। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିବା ଜଣାପଡ଼ିଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି। ତେବେ ଟନେଲ୍ ଭିତରେ ପ୍ରକୃତରେ କେତେ ଜଣ ଶ୍ରମିକ ଫସିଛନ୍ତି, ସେନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ

ଘଟଣା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚିନ୍ତା ପ୍ରକଟ କରିବା ସହ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନ୍ୟାସନାଲ୍ ଡିଜାଷ୍ଟର ରେସପନ୍ସ ଫୋର୍ସ (NDRF) ଏବଂ ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫୋର୍ସ (SDRF)ର ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଜିଲ୍ଲା ପ୍ରଶାସନ ସମେତ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ଧାମୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହି ଉଦ୍ଧାର କାର୍ଯ୍ୟର ଅପଡେଟ୍ ନେଉଛନ୍ତି।

ପ୍ରତ୍ୟେକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ମୁଖ୍ୟ ଲକ୍ଷ୍ୟ

ଟନେଲ୍ ଭିତରେ ଫସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ସରକାରର ସର୍ବୋଚ୍ଚ ପ୍ରାଥମିକତା ବୋଲି ଧାମୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବ କିମ୍ବା ଅବହେଳା ନହେବାକୁ ସେ ଅଧିକାରୀଙ୍କୁ ସତର୍କ କରିଛନ୍ତି। ଏହା ସହ ଉଦ୍ଧାର ଅଭିଯାନରେ ଆବଶ୍ୟକ ସମସ୍ତ ସମ୍ବଳ ନିୟୋଜିତ କରାଯାଇଥିବା ଏବଂ ପ୍ରଭାବିତ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Also Read- ଭାରତର ଜାଗାକୁ ନିଜର ବୋଲି ତୁଚ୍ଛାରେ ଦାବି କରୁଛି ନେପାଳ: ହେଲେ ପାଉନି ୨୧୦ ବର୍ଷ ତଳର ସୁଗୌଲି ଚୁକ୍ତିର ଦସ୍ତାବିଜ୍

ଏପର୍ଯ୍ୟନ୍ତ ଟନେଲ୍ ଧସିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ହଟାଇ ଭିତରେ ଫସିଥିବା ଅନ୍ୟ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଅଭିଯାନ ଜାରି ରଖିଛନ୍ତି।