ଭୁବନେଶ୍ବର ୯।୧୦: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ । ଗୋପବନ୍ଧୁ ଦାସ ନିଜର ସମଗ୍ର ଜୀବନ ଓ ଯୌବନକୁ ଓଡ଼ିଶା ମାଟି ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କରିଥିଲେ । ବିଶେଷକରି ଗରିବ, ଅବହେଳିତ ଓ ସମାଜର ତଳସ୍ତରରେ ଥିବା ଲୋକଙ୍କ ଉନ୍ନତି ପାଇଁ ସେ ସର୍ବଦା ଚିନ୍ତିତ ରହୁଥିଲେ । ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବିଜେପି, ବିଜେଡି ଭଳି ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଗୋପବନ୍ଧୁଙ୍କ ତ୍ୟାଗ, ସେବା, ସଂଗ୍ରାମ ଓ ମହାନ ଆଦର୍ଶ ତାଙ୍କୁ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ବରପୁତ୍ର ଭାବେ ପରିଚିତ କରାଇଛି । ଏହି ଅବସରରେ ଗୋପବନ୍ଧୁଙ୍କ ଭଳି ମହାନ ଜନନାୟକଙ୍କ ଜୀବନବ୍ୟାପୀ ସାଧନା ଓ ସଂଗ୍ରାମକୁ ସମ୍ମାନ ଜଣାଇବା ସହ ତାଙ୍କ ଆଦର୍ଶକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆଗାମୀ ଦିନର ଯୁବପିଢ଼ି ହିଁ ଦେଶ ଓ ରାଜ୍ୟର ଭବିଷ୍ୟତ ଶକ୍ତି । ତେଣୁ ଗୋପବନ୍ଧୁଙ୍କ ଜୀବନୀ, ସମାଜସେବା ଓ ତ୍ୟାଗପୂତ ଜୀବନରୁ ଯୁବସମାଜକୁ ଅବଗତ କରାଇବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଆଜିର ସମୟର ଆହ୍ୱାନ । ଏହାଦ୍ୱାରା ଉତ୍କଳମଣିଙ୍କ ମହାନ ଚିନ୍ତାଧାରା ଓ ସେବାର ମନୋଭାବ ଆଗାମୀ ପିଢ଼ି ମଧ୍ୟରେ ଜୀବନ୍ତ ରହିପାରିବ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଏହା ହିଁ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମତ ପ୍ରକାଶ ପାଇଥିଲା ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୁରମା ପାଢ଼ୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗୋପବନ୍ଧୁ ଦାସ ଓଡ଼ିଆ ଅସ୍ମିତାର ଗୌରବମୟ ପ୍ରତୀକ ଏବଂ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଥିଲେ । ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସେ ସାରା ଜୀବନ ଗରିବ, ଅବହେଳିତ ଏବଂ ବନ୍ୟା, ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ଗୋପବନ୍ଧୁ ଦାସ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ଏବଂ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶର ଦୃଢ଼ ସମର୍ଥକ ଥିଲେ। ଅହିଂସା ଓ ଅସହଯୋଗ ଆନ୍ଦୋଳନର ପ୍ରସାର ପାଇଁ ସେ ନିଜକୁ ସମର୍ପିତ କରିଥିଲେ ।

Also Read:- କୁଚିଣ୍ଡାରେ ମହିଳାଙ୍କୁ ମାରିଲା, ହିନ୍ଦୋଳରେ ମନ୍ଦିରରୁ ଯୁବକଙ୍କୁ ଘୋଷାଡ଼ି ନେଇ ଦଳିଦେଲା ଦନ୍ତା

ସତ୍ୟ, ତ୍ୟାଗ, ସମର୍ପଣ ଓ ନିଷ୍ଠା ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସମ୍ଭବ ବୋଲି ତାଙ୍କ ଜୀବନ ଦର୍ଶନ ଆମକୁ ଶିକ୍ଷା ଦିଏ । ସତ୍ୟବାଦୀର ବନବିଦ୍ୟାଳୟ ପ୍ରତିଷ୍ଠା କରି ଗୋପବନ୍ଧୁ ଦାସ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ମୂଳଦୁଆ ପକାଇଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ, ସମାଜ ସଂସ୍କାରକ, ଦେଶସେବକ, ଲେଖକ ଓ କବି ଭାବେ ଓଡ଼ିଶାର ଇତିହାସରେ ଅମର ହୋଇ ରହିଛନ୍ତି । ଏହି ଅବସରରେ ଯୁବପିଢ଼ିଙ୍କୁ ଗୋପବନ୍ଧୁଙ୍କ ଆଦର୍ଶରୁ ପ୍ରେରଣା ନେଇ ଓଡ଼ିଶା ମାଟିର ସେବା କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଜନସାଧାରଣଙ୍କ ସେବା, ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟକୁ ସମୃଦ୍ଧ କରିବା ଦିଗରେ ସରକାର ସଂକଳ୍ପବଦ୍ଧ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ରଖାଯାଇଛି । ଗୋପବନ୍ଧୁ ଦାସଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏହି ଲକ୍ଷ୍ୟ ହାସଲ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଆସନ୍ତା ଦଶ ବର୍ଷ ମଧ୍ୟରେ ଓଡ଼ିଶା ସମୃଦ୍ଧ ଓ ବିକଶିତ ହେବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଏକ ପ୍ରମୁଖ ଅଭିବୃଦ୍ଧିର ଇଞ୍ଜିନ ଭାବେ କାର୍ଯ୍ୟ କରିବ । ଓଡ଼ିଶାର ଜନସାଧାରଣଙ୍କ ସେବା ଓ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ସମର୍ପିତ ।

Watch Video: