କୁଚିଣ୍ଡା।ହିନ୍ଦୋଳ ୯।୧୦: ଥମିବାର ନାଁ ନେଉନି ହାତୀ-ମଣିଷ ଲଢ଼େଇ । ମୁହାଁମୁହିଁ ହେଉଛନ୍ତି ହାତୀ ଆଉ ମଣିଷ । ହାତୀ ଆକ୍ରମଣରେ ଯାଉଛି ଅନେକଙ୍କ ଜୀବନ । କାହା ପରିବାର ବେସାହାରା ହେଉଛି ତ ଆଉ କାହା ପରିବାରରେ ଦୁଃଖର ବାଦଲ ଛିଡ଼ି ପଡ଼ୁଛି । ଶୁକ୍ରବାର ମଧ୍ୟ ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଯାଇଛି ଜୀବନ ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନାଞ୍ଚଳ ସଇଡା ଗାଁରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଜଣଙ୍କ ଜୀବନ ନେଇଛି ହାତୀ । ଶୁକ୍ରବାର ସକାଳେ ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଞ୍ଜଳି କୁସୁମ ବୋଲି ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଗୁରୁବାର ଠାରୁ ୬ ଟିକିଆ ହାତୀ ପଲ କୁଚିଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ । ବନ ବିଭାଗ ମଧ୍ୟ ହାତୀ ଘଉଡ଼ାଇବାରେ ନାକେଦମ୍ ହୋଇପଡ଼ିଥିଲା । ସନ୍ଧ୍ୟାରେ ହାତୀ ପଲ ପତ୍ରାପାଲି ଅଞ୍ଚଳରେ ରହିଥିବା ବେଳେ ଭୋରରୁ ସଇଡା ଗାଁର ଅଞ୍ଜଳି ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ।

Also Read:- ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ, ସମ୍ବେଦନଶୀଳ ଘଟଣା ପାଇଁ ବଡ଼ ନିଷ୍ପତ୍ତି

ସେହିଭଳି ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି I ହିନ୍ଦୋଳ ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି I ମନ୍ଦିରରୁ ଘୋଷାଡ଼ି ଘୋଷାଡ଼ି ନେଇ ଯୁବକଙ୍କୁ ମାରିଦେଇଛି ଦନ୍ତା I ମୃତକ ଜଣଙ୍କ ହେଲେ ଜୟପଙ୍ଗା ଗାଁର ସ୍ଵପ୍ନେଶ୍ଵର ବିଶ୍ୱାଳ I ସେ ସନ୍ଧ୍ୟାରେ ମନ୍ଦିରକୁ ଯାଇଥିବା ବେଳେ ହାତୀ ତାଙ୍କୁ ମନ୍ଦିରରୁ ଘୋଷାଡ଼ି ଘୋଷାଡ଼ି ଆଣି ଗୋଡ଼ରେ ଦଳି ଦେଇଥିଲା I ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Watch Video: