ଅବୁଧାବି ୨୭।୩: ପଶ୍ଚିମ ଏସିୟାରେ ଆମେରିକା ଓ ଇରାନ ଯୁଦ୍ଧ ଏବେ ବିପଦଜନକ ମୋଡ଼ରେ ପହଞ୍ଚି ଯାଇଛି। ରିପୋର୍ଟସ ଅନୁସାରେ ଇରାନର ଭୀଷଣ ଡ୍ରୋନ ଓ ମିଜାଇଲ ଆକ୍ରମଣ ଭୟରେ ଗଲ୍ଫ ଦେଶମାନଙ୍କରେ ମୁତୟନ ଆମେରିକୀୟ ସେନା ଏବେ ମିଲେଟ୍ରି ବେସ୍ ଛାଡି ଜୀବନ ବଞ୍ଚାଇବାକୁ ସ୍ଥାନୀୟ ହୋଟେଲମାନଙ୍କରେ ଶରଣ ନେଇଛନ୍ତି। ଏହି ପରିସ୍ଥିତି ଆମେରିକା ଭଳି ଏକ ମହାଶକ୍ତି ଲାଗି ଏକ ବଡ଼ କୂଟନୈତିକ ଓ ସାମରିକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ଭୀଷଣ ସାମରିକ କ୍ଷୟକ୍ଷତି
ଏହି ଯୁଦ୍ଧରେ ଆମେରିକାକୁ ସବୁଠୁ ବଡ଼ ଆର୍ଥିକ ଓ ସାମରିକ ଝଟକା ଲାଗିଛି। ମିଳୁଥିବା ସୂଚନା ଅନୁସାରେ ଇରାନର ସଠିକ ଡ୍ରୋନ ଓ ବାଲିଷ୍ଟିକ୍ ଆକ୍ରମଣରେ ଆମେରିକାର ପାଖାପାଖି ୧୦ ହଜାର କୋଟି ଟଙ୍କା ମୂଲ୍ୟର ଘାତକ ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନଷ୍ଟ ହୋଇଥିବା ଅସ୍ତ୍ର ଶସ୍ତ୍ର ତାଲିକା ଢେର ଲମ୍ବା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସବୁ ଅସ୍ତ୍ରଶସ୍ତ୍ରରେ ୧୨ଟି ଅତ୍ୟାଧୁନିକ ଏମକ୍ୟୁ-୯ ରିପର ଡ୍ରୋନ, ୭ଟି କେସି ୧୩୫ ଟ୍ୟାଙ୍କର ବିମାନ, ୩ଟି ଏଫ-୧୫ ଇଗଲ ବିମାନ, ଗୋଟିଏ ଏଫ-୩୫ ଯୁଦ୍ଧ ବିମାନ ଓ ଗୋଟିଏ ବ୍ଲାକ୍ ହକ୍ ହେଲିକପ୍ଟର ଅଛି। ଏହି ଅସ୍ତ୍ରଶସ୍ତ୍ର କ୍ଷତି ନା କେବଳ ଆମେରିକା ଲାଗି ଆର୍ଥିକ ବରଂ ଯୁଦ୍ଦକ୍ଷେତ୍ରରେ ଆମେରିକୀୟ ଟେକ୍ନୋଲଜି ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛି।

ମିଲେଟ୍ରି ବେସ୍ ଛାଡି ହୋଟେଲରେ ଲୁଚିଛନ୍ତି ସୈନିକ
ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଆରବ ଦେଶରେ ଥିବା ଆମେରିକାର ବିଭିନ୍ନ ସାମରିକ ଘାଟିରେ ୪୦,୦୦୦ରୁ ଅଧିକ ସୈନିକ ମୁତୟନ ଥିଲେ। ହେଲେ ଇରାନ ଦ୍ୱାରା ଲଗାତାର କରାଯାଉଥିବା ଆକ୍ରମଣ ଯୋଗୁ ଏବେ ଅଧିକାଂଶ ସୈନିକଙ୍କୁ ମିଲେଟ୍ରି ବେସ୍ ରୁ ବାହାର କରି ସୁରକ୍ଷିତ ବେସାମରିକ ସ୍ଥାନ ଓ ହୋଟେଲକୁ ସିଫ୍ଟ କରିଦିଆଯାଇଛି। ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ କୌଣସି ପ୍ରକାର ନିଜ ସୈନିକଙ୍କ ଜୀବନ ବଞ୍ଚାଇବା। କାରଣ ଏପର୍ଯ୍ୟନ୍ତ ଯୁଦ୍ଧରେ ୧୫ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପୁଷ୍ଟି ହୋଇଛି ଓ ୨୦୦ରୁ ଅଧିକ ସୈନିକ ଆହତ ହୋଇଛନ୍ତି।

ହୋଟେଲ ମାଲିକଙ୍କୁ ଇରାନର କଡ଼ା ଚେତାବନୀ
ଏହି ଉତ୍ତେଜନା ମଧ୍ୟରେ ଇରାନ ଏବେ ଏକ ନୂଆ ମନୋବୈଜ୍ଞାନିକ ଯୁଦ୍ଧ ଆରମ୍ଭ କରିଦେଇଛି। ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉପସାଗରୀୟ ଦେଶମାନଙ୍କ ହୋଟେଲ ମାଲିକଙ୍କୁ ଆମେରିକୀୟ ସୈନିକଙ୍କୁ ନ ରଖିବା ପାଇଁ ଅପିଲ କରିଛନ୍ତି। ଅରାଘଚୀ ଚେତାବନୀ ଦେଇ କହିଛନ୍ତି ଯେ ସୈନିକଙ୍କୁ ଏପରି ଶରଣ ଦେବା ଭୁଲ ଓ ଯଦି ହୋଟେଲ ମାଲିକ ଏପରି କରୁଥାନ୍ତି ଭବିଷ୍ୟତରେ ହେବାକୁ ଥିବା ପରିଣାମ ପାଇଁ ନିଜେ ଦାୟି ରହିବେ।

ଗଲ୍ଫ ଦେଶଙ୍କ ଉପରେ ଆକ୍ରମଣ ଜାରି
ଇରାନ ଏବେ ସେହି ସବୁ ଦେଶଙ୍କୁ ଟାର୍ଗେଟ କରୁଛି ଯେଉଁଠି ଆମେରିକୀୟ ସୈନ୍ୟ ଘାଟି ଅଛି। ତଥ୍ୟ ଅନୁସାରେ ୟୁଏଇ ଉପରେ ସବୁଠୁ ଅଧିକ ଓ ଘାତକ ଆକ୍ରମଣ ହୋଇଛି। ଏଥିରେ ୟୁଏଇକୁ ୨ହଜାର ମିଜାଇଲ ଓ ଡ୍ରୋନରେ ଟାର୍ଗେଟ୍ କରାଯାଇଛି। ସେହିପରି କ୍ୱେତ ଉପରେ ପାଖାପାଖି ୧୨ଟି ମିଜାଇଲ ଓ ଡ୍ରୋନ ଆକ୍ରମଣ ହୋଇଥିବା ବେଳେ କତାର ଉପରେ ୪୦୦ରୁ ଅଧିକ ଆକ୍ରମଣ ହେଲାଣି। ଏହା ଛଡା ସାଉଦୀ ଆରବ ଓ ବହାରିନ ଭଳି ଦେଶ ମଧ୍ୟ ଇରାନ ଆକ୍ରମଣର ଶିକାର ହୋଇଛନ୍ତି। ଫଳରେ ସମଗ୍ର ଗଲ୍ଫ କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ଦୋହଲି ଯାଇଛି।

ଟ୍ରମ୍ପ ପ୍ରଶାସନକୁ ଚ୍ୟାଲେଞ୍ଜ
ବିଶେଷଜ୍ଞଙ୍କ କହିବା କଥା ହେଉଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସାମରିକ କ୍ଷମତା ଓ ତାର ଆକ୍ରମକତାକୁ ମୂଲ୍ୟାୟନ କରିବାରେ ବଡ଼ ଭୁଲ କରିଛନ୍ତି। ବର୍ତ୍ତମାନର ପରିସ୍ଥିତି ଏପରି ଯେ ଯଦି ଟ୍ରମ୍ପ ଆଗାମୀ କିଛି ଦିନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ରାସ୍ତା ବାହାର ନ କରନ୍ତି ତେବେ ବୈଶ୍ୱିକ ମଞ୍ଚରେ ଆମେରିକାର ‘ସୁପର ପାୱାର’ ମାନ୍ୟତା ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ।

Also Read..
ହର୍ମୋଜ୍ ପରେ ବିପଦରେ ଆଉ ଏକ ଷ୍ଟ୍ରେଟ୍ ! ବଢିବ ସଙ୍କଟ, ଆମେରିକାକୁ ଧମକ ଦେଲା ହୁତି