ନୂଆଦିଲ୍ଲୀ ୦୨।୧୦; ଫ୍ଲାଏ ଦୁବାଇର ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧା ର। ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଏବଂ ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି । ଫ୍ଲାଏଦୁବାଇ ବିମାନ ଏଫଜେ-୧୦୭୩ର କକପିଟରେ ସହ-ପାଇଲଟ୍ ଏକ ଛୁରୀରେ ଆକ୍ରମଣ କରିବାରୁ କ୍ୟାପ୍ଟେନ୍ ମଚ୍ଛାର ଗୁରୁତର ଆହତ ହୋଇଥିଲେ। ସହ-ପାଇଲଟ୍ ବିମାନକୁ ତଳକୁ ପକାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଭାରତୀୟ କ୍ୟାପ୍ଟେନ୍ ମଚ୍ଛାର ସାହସର ସହିତ ପ୍ରତିରୋଧ କରିଥିଲେ ଏବଂ ତାଙ୍କ ପ୍ରୟାସକୁ ପଣ୍ଡ କରିଥିଲେ ।

ପରେ ବିମାନଟି ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।ବର୍ତ୍ତମାନ ଏହି ଭାରତୀୟ ପାଇଲଟଙ୍କୁ ଉତ୍ତର-ପଶ୍ଚିମ ସାଉଦି ଆରବର ତାବୁକ୍ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି । ଜଣେ ଭାରତୀୟ ପାଇଲଟ୍ଙ୍କ ଏଭଳି ସାହାସିକତାକୁ ବିଶ୍ବବ୍ୟାପୀ ଭୂରି ଭୂରି ପ୍ରଶଂସା କରାଯାଉଛି । ସେପେଟ ସଂଯୁକ୍ତ ଆରବ ଏମିରେଟ୍ସ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ଏହି ଘଟଣାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଏନେଇ UAE ଆଟର୍ଣ୍ଣି ଜେନେରାଲ ଡକ୍ଟର ହମାଦ ଅଲ ଶାମସି ଘଟଣାର ପରିସ୍ଥିତି ଏବଂ କାରଣ ତଦନ୍ତ ପାଇଁ ପବ୍ଲିକ୍ ପ୍ରସିକ୍ୟୁସନ ସ୍ୱତନ୍ତ୍ର ସଦସ୍ୟଙ୍କ ଏକ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।