ନୂଆଦିଲ୍ଲୀ: ଆମେରିକା-ଚୀନ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ଦୁନିଆକୁ ଅଛପା ନାହିଁ । ଦୁହେଁ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଏବଂ ସଦା ପରସ୍ପର ପ୍ରତି ଆକ୍ରମଣାତ୍ମକ ଅଭିମୁଖ୍ୟ ରଖନ୍ତି । ଏହାରି ଭିତରେ ଦୀର୍ଘ ନଅ ବର୍ଷ ପରେ ଟ୍ରମ୍ପଙ୍କ ଚୀନ ଯାତ୍ରା ଉପରେ ଦୁନିଆର ନଜର ରହିଛି । ଏସବୁ ଭିତରେ ଦୁଇ ରାଷ୍ଟ୍ରାଧ୍ୟକ୍ଷ ଗୁରୁବାର ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏହି ବୈଠକରେ ଟ୍ରମ୍ପ ରଖିଥିବା ବୟାନକୁ ଦୁନିଆ ଏବେ ଡିକୋଡ୍ କରିବା ଆରମ୍ଭ କରୁଛି ।

ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, "ଆପଣ ଜଣେ ମହାନ ନେତା । ମୁଁ ସମସ୍ତଙ୍କୁ କୁହେ ଯେ ଆପଣ ଜଣେ ମହାନ ନେତା । ମୁଁ ଏପରି କହିବା ଦ୍ୱାରା କିଛି ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ମୁଁ ଏବେ ବି ଏହା କହୁଛି । କାରଣ ଏହା ସତ୍ୟ ।"

ଆମେରିକା ରାଷ୍ଟ୍ରପତି ଆଜିର ବୈଠକରେ ଜିନପିଙ୍ଗଙ୍କୁ ଏକ ମହାନ ଦେଶର ମହାନ ନେତା ବୋଲି କହିଛନ୍ତି । ଏପରିକି ସ୍ୱାଗତ ସମାରୋହକୁ ମଧ୍ୟ ଟ୍ରମ୍ପ ପ୍ରଶଂସା କରିଛନ୍ତି । ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚୀନ ସେନାର ବ୍ୟବସ୍ଥାକୁ ଅସାଧାରଣ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି । ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ନିଜର ପୁରୁଣା ସାକ୍ଷାତକୁ ମନେ ପକାଇ ଟ୍ରମ୍ପ କହିଛନ୍ତି, "ଏହି ସ୍ମରଣୀୟ ସ୍ୱାଗତ ପାଇଁ ପୁଣି ଥରେ ଧନ୍ୟବାଦ ରାଷ୍ଟ୍ରପତି । ଆପଣଙ୍କୁ ଏବଂ ମାଡାମ୍ ପ୍ୟାଙ୍ଗକୁ ଆସନ୍ତା ସେପ୍ଚେମ୍ୱର ୨୪ରେ ହ୍ୱାଇଟ୍ ହାଉସକୁ ଆସିବା ପାଇଁ ନିମନ୍ତ୍ରଣ ଦେଇ ଗର୍ବ ଅନୁଭବ ହେଉଛି । ଆମେ ଏହି ଯାତ୍ରାକୁ ଅପେକ୍ଷା କରିବୁ ।"

ପ୍ରଶଂସା ଶବ୍ଦକୁ ନେଇ ଦୁନିଆ ଆଶ୍ଚର୍ଯ୍ୟ

ଟ୍ରମ୍ପଙ୍କ ଏହି ପ୍ରଶଂସା କୂଟନୈତିକ ରଣନୀତି, ନା ପ୍ରକୃତ ବନ୍ଧୁତା ଅବା ଚୀନର ପ୍ରଶଂସା ? ଟ୍ରମ୍ପ ସର୍ବଦା ପର୍ସନାଲ୍ କେମେଷ୍ଟ୍ରି ଏବଂ ଚାପଲୁସି କରି ଅନ୍ୟ ନେତାଙ୍କଠାରୁ ଭଲ ପାଇବା ପାଇଁ ଉଦ୍ୟମ କରନ୍ତି । ଉଲ୍ଲଖଯୋଗ୍ୟ ଯେ ଗତ ବର୍ଷରେ ଟ୍ରମ୍ପ ଅନେକ ଥର ଚୀନ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତୀକ୍ଷ୍ଣ ସମାଲୋଚନା କରିଥିଲେ । ଏହାର ମୁଖ ପ୍ରସଙ୍ଗ ଥିଲା ଟାରିଫ୍ ଓ ଆର୍ଥିକ ସଂକଟ ।

କରୋନାକୁ ଚୀନ ଭାଇରସ୍ ବୋଲି କହି ଚିଡ଼ାଉଥିଲେ

୨୦୨୦ ମସିହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କୋଭିଡ-୧୯ ମହାମାରୀ ପାଇଁ ଚୀନକୁ ଦାୟୀ କରିଥିଲେ । ସେ ଏହି ଭାଇରସକୁ "ଚାଇନା ଭାଇରସ" କିମ୍ବା "ଉହାନ ଭାଇରସ" ବୋଲି କହିଥିଲେ । ଏହାର ଅର୍ଥ ହେଉଛି ଯେ ଟ୍ରମ୍ପ ସବୁବେଳେ ଚୀନକୁ ଆମେରିକାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖନ୍ତି । ତେଣୁ, ତାଙ୍କର ପ୍ରଶଂସା ବୁଝିବା ଆଶ୍ଚର୍ଯ୍ୟଜନକ ।