ଆଲାପ୍ପୁଝା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ମାଇକେଲ ବୋଉଲସ୍ ଶନିବାର ଏକ ଘରୋଇ ଯାତ୍ରାରେ କେରଳର ଆଲାପ୍ପୁଝାରେ ଆସି ପହଞ୍ଚିଛନ୍ତି। ଟ୍ରମ୍ପଙ୍କ ଝିଅ ଟିଫନୀ ଟ୍ରମ୍ପଙ୍କ ସ୍ୱାମୀ ହେଉଛନ୍ତି ମାଇକେଲ ବୋଉଲସ୍ ଶନିବାର ଦିନବେଳା କୋଚ୍ଚି ପହଞ୍ଚିଥିଲେ। ଅଧିକାରୀକ୍ ସୂତ୍ର ଅନୁସାରେ ତାଙ୍କ ସହ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ମଧ୍ୟ ଅଛନ୍ତି। ପୋଲିସ ସୂତ୍ରରୁ ମିଳୁଥିବା ସୂଚନାରେ ଟ୍ରମ୍ପଙ୍କ ଜ୍ୱାଇଁ ଓ ଭାରତରେ ଆମେରିକା ରାଷ୍ଟ୍ରଦୂତ କୋଚ୍ଚି ଓ ନିକଟସ୍ଥ ଆଲାପ୍ପୁଝା ପର୍ଯ୍ୟଟନସ୍ଥଳ ପରିଦର୍ଶନରେ ଯାଇ ପାରନ୍ତି । ତେବେ ପୋଲିସ ତାଙ୍କ ଯାତ୍ରା କାର୍ଯ୍ୟକ୍ରମ ପୁଷ୍ଟି କରି ନାହିଁ।

ହେଲେ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର କୋଚ୍ଚିରେ ମୁଖ୍ୟମନ୍ତ୍ରୀ ଭି.ଡି.ସତୀସନଙ୍କୁ ଭେଟିଥିଲେ। ତେବେ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ସତୀସନ ଏହି ଅବସରରେ ବୋଉଲସଙ୍କୁ ମଧ୍ୟ ଭେଟିଥିବାର ଦାବି କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଖବରକୁ ଖଣ୍ଡନ କରିଛି। ସରକାରୀ ସୂତ୍ର ଅନୁସାରେ ମୁଖ୍ୟମନ୍ତ୍ରୀ ସତୀସନ ଆମେରିକା ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଥିବା ପୁଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ଏହାକୁ ଏକ ଅଧିକାରୀକ ବୈଠକ ବୋଲି କହିଛନ୍ତି।

ତେବେ ଆମେରିକା ଦୂତାବାସ ମୁଖପାତ୍ର କହିଛନ୍ତି ଯେ ବୋଉଲସ ଓ ଗୋର ପାଖାପାଖି ୧ ଦଶନ୍ଧୀରୁ ଅଧିକ କାଳ ହେଲା ବନ୍ଧୁ ଅଟନ୍ତି। ଏଣୁ ବୋଉଲସ ତାଙ୍କ ବନ୍ଧୁଙ୍କୁ ଭେଟିବା ପାଇଁ ଭାରତ ଆସୁଛନ୍ତି। ବୋଉଲସଙ୍କ ଏହା ଦ୍ୱିତୀୟ ଭାରତଗସ୍ତ କାର୍ଯ୍ୟକ୍ରମ। ତାଙ୍କର ଏହି ଯାତ୍ରା ଏକାନ୍ତ ବ୍ୟକ୍ତିଗତ ଓ ଏଥିରେ ସରକାରଙ୍କର କୌଣସି ହସ୍ତକ୍ଷେପ ନାହିଁ। ଏଣୁ ତାଙ୍କ ଗସ୍ତରେ କୌଣସି ପ୍ରକାରର ସରକାରୀ ସୁବିଧା ଉପଲବ୍ଧ କରାଯାଉନି। ସେ ତାଙ୍କ ବନ୍ଧୁ ଗୋରଙ୍କ ସହିତ ଏବେ କେରଳ ଗସ୍ତରେ ଅଛନ୍ତି।