ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ (Strait of Hormuz) ନିକଟରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ କରୁଥିବା ଏକାଧିକ ଇରାନୀ ଡ୍ରୋନକୁ ଆମେରିକୀୟ ବାହିନୀ ଗୁଳି କରି ଖସାଇ ଦେଇଛି। ଏହି ଘଟଣାକୁ ନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି।

ଇରାନ ଦ୍ୱାରା ଅନେକଗୁଡ଼ିଏ 'ୱାନ-ୱେ' (one-way) ଆକ୍ରମଣକାରୀ ଡ୍ରୋନ ଛଡ଼ାଯାଇଥିଲା, ଯାହାର ଲକ୍ଷ୍ୟ ଥିଲା ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଆକ୍ରମଣ କରିବା। ଆମେରିକୀୟ ବାହିନୀ ଏହି ସମସ୍ତ ଡ୍ରୋନକୁ ଚିହ୍ନଟ କରି ଗୁଳି କରି ଖସାଇ ଦେଇଛନ୍ତି। ଏହି ଘଟଣା ସତ୍ତ୍ୱେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିଛି ଏବଂ ସେଠାରେ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି। 

ଏନେଇ ସେଣ୍ଟକମ ଏକ୍ସରେ ପୋଷ୍ଟ କରି ଲେଖିଛି “ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଆକ୍ରମଣ କରିବା ପାଇଁ ଇରାନ ଏକାଧିକ ଏକପାଖିଆ ଡ୍ରୋନ୍ ଆକ୍ରମଣ କରିଛି। ଏହି ପ୍ରଣାଳୀ ଦେଇ ଯାତାୟାତ ଅବାଧିତ ଭାବରେ ଜାରି ରହିଥିବାରୁ ଆମେରିକାର ସେନା ଗତ କିଛି ଘଣ୍ଟା ମଧ୍ୟରେ ସେଗୁଡ଼ିକୁ ଖସାଇ ଦେଇଛି।”

ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଥିଲେ ଯେ, ୱାଶିଂଟନ ଏବଂ ତେହେରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହେବା ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହି ଘଟଣାକୁ ନେଇ କୌଣସି ଆହତ ବା କ୍ଷୟକ୍ଷତିର ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ। ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା ଓ ପ୍ରଣାଳୀ ଦେଇ ଚଳାଚଳକୁ ସୁନିଶ୍ଚିତ କରିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ।

ସେପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଇରାନ ପକ୍ଷରୁ ମଧ୍ୟ ସୂଚନା ମିଳିଛି। ଶୁକ୍ରବାର ଦିନ, ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ ବିରୁଦ୍ଧରେ ଆମେରିକାର ନୌସେନା ଅବରୋଧ ଉଠାଇବା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଏକ ପ୍ରସ୍ତାବିତ ବୁଝାମଣାପତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି ଯାହା ଶୀଘ୍ର ସ୍ୱାକ୍ଷରିତ ହୋଇପାରେ। ଏହି ବୁଝାମଣା ସବୁ କଳହକୁ ବନ୍ଦ କରିଦେଇପାରେ। ଏମିତିକି ଲେବାନନ ଉପରେ ହେଉଥିବା ଆକ୍ରମଣ ବି ଏଥିରେ ବନ୍ଦ ହୋଇଯାଇପାରେ ବୋଲି ଇରାନ କହିଛି।