ନୂଆଦିଲ୍ଲୀ, ୨୪/୦୪ : ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନାହିଁ । ଯୁଦ୍ଧ ବିରତି ଘୋଷଣା ହୋଇଥିଲେ ମଧ୍ୟ ବୟାନବାଜି ଜାରି ରହିଛି । ପରସ୍ପରକୁ ଉଭୟ ଦେଶ କଡା ଭାଷାରେ ଟାର୍ଗେଟ୍ କରୁଛନ୍ତି । ଏହା ମଧ୍ୟରେ ଆମେରିକା ଇରାନ ଉପରେ ପରମାଣୁ ବୋମା ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାର ଉତ୍ତର ରଖିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ତେବେ ପରମାଣୁ ଆକ୍ରମଣକୁ ଟ୍ରମ୍ପ୍ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକା ପାରମ୍ପରିକ ଆକ୍ରମଣ କରି ଇରାନର ଭୟଙ୍କର କ୍ଷତି ଘଟାଇଛି । ତେଣୁ ପରମାଣୁ ଅସ୍ତ୍ରର ବ୍ୟବହାର କରିବା କିଛି ଆବଶ୍ୟକତା ନାହିଁ । ଗୁରୁବାର ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ସେ ପରମାଣୁ ଅସ୍ତ୍ର ବ୍ୟବହାର କରିବା କିଛି ଦରକାର ନାହିଁ । ସେ ଏହାର ବ୍ୟବହାର କରିବେ ନାହିଁ । ଏହାକୁ କିଏ କେବେବି ବ୍ୟବହାର କରିବା ଅନୁଚିତ । ବିନା କୌଣସି ଘାତକ ଅସ୍ତ୍ର ପ୍ରୟୋଗ କରି ସେ ଇରାନକୁ ପରାସ୍ତ କରିଛନ୍ତି ।

ଇରାନ ପାଖରେ ସମୟ ଅଛି

ଏହାପୂର୍ବରୁ ଟ୍ରମ୍ପ୍ କହିଥିଲେ ଯେ, ଇରାନ ସହ ବୁଝାମଣା କରିବା ପାଇଁ ଓ୍ୱାଶିଂଟନ ଉପରେ କୌଣସି ଚାପ ନାହିଁ । କିଛି ଖବରକାଗଜ ଫେକ୍ ନ୍ୟୁଜ୍ ପ୍ରସାରଣ କରୁଛନ୍ତି । ସେ ଆଦୌ ଚାପରେ ନାହାଁନ୍ତି । ତାଙ୍କ ପାଖରେ ବହୁତ ସମୟ ରହିଛି । ହେଲେ ଇରାନ ପାଖରେ ସମୟ ନାହିଁ । ଇରାନର ନୌସେନାକୁ ସେମାନେ ସମୁଦ୍ରରେ ବୁଡାଇ ଦେଇଛନ୍ତି । ସେମାନଙ୍କର ବାୟୁସେନା ଧ୍ୱଂସ ହୋଇଯାଇଛି । ଅନେକ ରାଡାର ନଷ୍ଟ ହୋଇଛି ।

ସେ ଆହୁରି କହିଛନ୍ତି ଯେ, ବୁଝାମଣା ଏମିତି ସେମିତ ହେବ ନାହିଁ । ଆମେରିକା ତଥା ଅନ୍ୟ ସହଯୋଗୀ ଦେଶର ମତାମତ ନିଆଯିବ । ଆଲୋଚନା ସାରା ବିଶ୍ୱ ପାଇଁ ଯେପରି ଲାଭଦାୟକହେବତାହାକୁ ନଜରରେ ରଖି କରାଯିବ ବୋଲି ଟ୍ରମ୍ପ୍ କହିଛନ୍ତି ।